ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ନିମ୍ନମାନର : ୩.୪୬ କୋଟିରେ ନିର୍ମିତ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ
ତିହିଡି,୧୯/୦୩: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ତିହିଡି ବ୍ଳକର ବିସି ରୋଡ ଠାରୁ ବୀରବରପୁର ଯାଏଁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ତଦାରଖ ଅଭାବରୁ ଏ ପ୍ରକାର ପରିସ୍ଥିତି ଉପୁଜିଥିବା ଜଣାଯାଇଛି । ତିହିଡି-ବୀରବରପୁର ରାସ୍ତା ୁପରେ ଭାଟପଡା, ସୟା, ବାହାବଳପୁର ଓ ମହରମପୁର ପଞ୍ଚାୟତର ଅଧିବାସୀ ମାନେ ଗମନାଗମନ ଲାଗି ନିର୍ଭର କରନ୍ତି । ଏହାଛଡା ଏହି ରାସ୍ତାଟି ପଡୋଶୀ ବାସୁଦେବପୁରକୁ ସଂଯୋଗ କରୁଥିବାରୁ ସେହି ବ୍ଲକର ଲୋକମାନେ ମଧ୍ୟ ରାସ୍ତାରେ ଯାତାୟାତ କରିଥାନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତାଟି ନିର୍ମିତ ହୋଇଥିଲା । ମାତ୍ର ଦୁର୍ବଳ କାମ ଯୋଗୁଁ ଏହା ଖୁବ ଶିଘ୍ର ନଷ୍ଟ ହୋଇଯାଇଥିଲା । ତେବେ ବିଗତ ୧୦ ବର୍ଷ ମଧ୍ୟରେ ରାସ୍ତାର ମରାମତି ଓ ପିଚୁ କରାଯିବା ବାବଦକୁ କୋଟିଏରୁ ଅଦôକ ଟଙ୍କା ଖର୍ଚ୍ଚ କରାଯାଇଛି । ମାତ୍ର ରାସ୍ତାର ଅବସ୍ଥା କିଛି ମାସ ପରେ ଶୋଚନୀୟ ହୋଇ ପଡୁଥିବାରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବିସି ରୋଡ ଠାରୁ ବୀରବରପୁର ଭାୟା ସୟା ଯାଏଁ ରାସ୍ତା ନିର୍ମାଣ ପାଇଁ ୩କୋଟି ୪୬ ଲକ୍ଷ ୮୯ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ୭.୬ଶହ କିମି ଦୈର୍ଘ୍ୟର ଏହି ରାସ୍ତାକୁ ୪.୩୯୫ କିମି କଂକ୍ରିଟ ଏବଂ ୩.୨୦୫ କିମି ପିଚୁ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି । କଂକ୍ରିଟସ୍ତର ୧୮୦ମିମି, ମେଟାଲିଂ ୭୫ମିମି ଏବଂ ମୋରମ ସ୍ତର ୧୫୦ ମିମି କରାଯିବାର ନିୟମ ଥିଲେ ମଧ୍ୟ ଏହା କରା ନଯାଇ ନାମକୁମାତ୍ର ପିଚୁ ଓ କଂକ୍ରିଟ କରାଯାଇଛି । ଯାହାଫଳରେ ନିର୍ମାଣ ମାସେ ନପୁରୁଣୁ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିବା ଆରମ୍ଭ ହେଲେଣି । କାର୍ଯ୍ୟ ସମୟରେ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ତଦାରଖ କରିବାର ନିୟମ ଥିବା ବେଳେ ଏହା ଠିକ୍ ରୂପେ ତଦାରଖ ହୋଇପାରିନାହିଁ । ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର କରିବାକୁ ଠିକାଦାରଙ୍କୁ ସୁଯୋଗ ମିଳି ପାରିଛି । ଗୋଟିଏ ରାସ୍ତା ଉପରେ ବିଭିନ୍ନ ସମୟରେ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିଲେ ମଧ୍ୟ ଏହାର ସଦୁପଯୋଗ କରାଯାଉନାହିଁ । ଯାହାଫଳରେ ଅଞ୍ଚଳବାସୀ ଯାତାୟାତରେ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ନିର୍ମାଣ ବାବଦକୁ କେତେ ଟଙ୍କା ଆତ୍ମସାତ କରାଯାଇଛି ତାହା ଲୋକଲୋଚନକୁ ଆସି ପାରିବ ବୋଲି ମତପ୍ରକାଶ ପାଇଛି ।

Comments are closed.