Odisha news

ତିହିଡି ତହସିଲରେ ୫ଶହ ଏକର ସରକାରୀ ଜମି ଜବରଦଖଲ : ପ୍ରଶାସନିକ ଅବହେଳାରୁ ହୋଇପାରୁନି ଅବରୋଧମୁକ୍ତ

0

ତିହିଡି : ତିହିଡି ତହସିଲ ଅଧିନ ବିଭିନ୍ନ ମୌଜାରେ ପ୍ରାୟ ୫ଶହ ଏକରୁ ଉଦ୍ଧ୍ୱର୍ ଜମି ଜବରଦଖଲ ହୋଇଛି । ଏ ସଂପର୍କରେ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଯାଏଁ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଯାହାଫଳରେ ଲୋକମାନେ ଅଧିକରୁ ଅଧିକ ଜମି ଜବରଦଖଲ କରିବାକୁ ସୁଯୋଗ ପାଉଛନ୍ତି । ପ୍ରଶାସନିକ ଅବହେଳାକୁ ଏଥି ପାଇଁ ଲୋକେ ଦାୟୀ କରୁଥିବା ବେଳେ ଜବରଦଖଲ ହୋଇଥିବା ଜମି କିପରି ଅବରୋଧମୁକ୍ତ ହୋଇ ପାରିବ ସେ ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଦାବି ହୋଇଛି । ବିଭିନ୍ନ ମୌଜାରେ ଜଙ୍ଗଲ, ଶ୍ମଶାନ, ଗୋଚର ଏବଂ ଅନାବାଦି କିସମର ସରକାରୀ ଜମି ରହିଛି । ଲୋକେ ଏହିସବୁ ଜମିକୁ ଜବରଦଖଲ କରିଛନ୍ତି । କେତେକ ଚାଷୀ ସେମାନଙ୍କ ଜମାପାଖେ ଥିବା ସରକାରୀ ଜମିକୁ ନିଜ ଜମା ସହ ମିଶାଇ ଦେଇଛନ୍ତି । କେତେକ ଚାଷୀ ମଧ୍ୟ ଜଙ୍ଗଲ ଓ ଅନ୍ୟ କିସମର ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି । ଏପରିକି ବିଭିନ୍ନ ମୌଜାରେ ସରକାରୀ ଜମିକୁ ଜବରଦଖଲ କରି ଘର ତିଆରି କରି ବସବାସ କରୁଛନ୍ତି । ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୨୦ ବର୍ଷ ପୂର୍ବେ ପାଣି ନାଳ ରହିଥିଲା । ରାସ୍ତା ପାଶ୍ୱର୍ରେ କ୍ରମଶଃ ଘର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଘର କରୁଥିବା ଲୋକମାନେ ସେହି ସରକାରୀ ପାଣି ନାଳକୁ ଧୀରେ ଧୀରେ ନିଜ ଅଧିନକୁ ନେଇ ଯାଇଛନ୍ତି । ଏହି କାରଣରୁ ଚାଷ ସମୟରେ ଲୋକମାନେ କେନାଲ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଜବରଦଖଲ ଯୋଗୁଁ ଗୋଚର ସଙ୍କୁଚିତ ହୋଇଯିବାରୁ ଗାଈଗୋରୁ ଚରିବାରେ ବାଧା ସୃଷ୍ଟି ହେଉଛି । ବିଭିନ୍ନ ମୌଜାରେ ଥିବା ଜଗନ୍ନାଥଙ୍କ ସମ୍ପତ୍ତିକୁ ମଧ୍ୟ ହଡପ କରାଯାଇଛି । କେତେକ ଲୋକ ତହସିଲର ଅସାଧୁ କର୍ମଚାରୀଙ୍କୁ ହାତବାରିସି କରି ସରକାରୀ ଜମିକୁ ନିଜ ନାଁରେ କରାଇ ନେବାରେ ସକ୍ଷମ ହୋଇଛନ୍ତି । ଏପରିକି ଚକବନ୍ଦୀ ବେଳେ ପ୍ରଭାବଶାଳୀ ବ୍ୟକ୍ତିମାନେ ଚକବନ୍ଦୀ ଅମିନଙ୍କୁ ହାତ କରି କିଛି ସରକାରୀ ଜମି ନିଜ ନାଁରେ କରାଇ ନେଇଛନ୍ତି । ଯାହାଫଳରେ ସରକାରୀ ଭାବେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରାଯିବାକୁ ଆବଶ୍ୟକ ପଡୁଥିବା ଜମିର ଅଭାବ ହେଉଛି । ଜବରଦଖଲ ମୁକ୍ତ ପାଇଁ ଲୋକେ ବିଭିନ୍ନ ସମୟରେ ତହସିଲଦାରଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହି ସମସ୍ୟାକୁ ଗମ୍ଭୀରତାର ସହ ନିଆଯାଇ ଜବରଦଖଲ ହୋଇଥିବା ଜମିକୁ ମୁକ୍ତ କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି ।

Leave A Reply