Odisha news

ଲୁଣା ଜୁଆରରେ ୨ ହଜାର ହେକ୍ଟର ରବି ଧାନ ନଷ୍ଟ ହେବା ଆଶଙ୍କା : ସାଳନ୍ଦୀ ନଦୀ ବ୍ୟାରେଜରୁ ପାଣି ଛାଡିବାକୁ ଦାବି କଲେ ଚାଷୀ

0

ତିହିଡି,୦୨/୦୩: ତିହିଡି ବ୍ଲକ ଅଧିନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତରେ ହୋଇଥିବା ରବି ଧାନ ବୈତରଣୀ ନଦୀର ଲୁଣା ଜୁଆରରେ ନଷ୍ଟ ହେବାର ଆଶଙ୍କା ଉପୁଜିଛି । ଏହି ୨ଟି ପଞ୍ଚାୟତର ପ୍ରାୟ ୨ହଜାର ହେକ୍ଟର ଜମିରେ ଧାନ ଚାଷ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଚାଷୀମାନଙ୍କୁ ଏହା ଚିନ୍ତାରେ ପକାଇଛି । ପଞ୍ଚାୟତର ଚାଷୀ ମାନେ ଏକ ବୈଠକରେ ମିଳିତ ହେବା ପରେ ଏ ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ସାଳନ୍ଦୀ କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ, ତହସିଲଦାର, ବ୍ଲକ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଳନ୍ଦୀ ନଦୀର ଉପରମୁଣ୍ଡରେ ଥିବା ବ୍ୟାରେଜରୁ ପାଣି ଛାଡିବାକୁ ସେମାନେ ଦାବୀ ଜଣାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଗତ ବର୍ଷ ବନ୍ୟାରେ ୨ଟି ପଞ୍ଚାୟତର ଖରିଫ ଧାନ ଚାଷ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।

ରବି ଋତୁର ଧାନ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ମୁଖ୍ୟ ଭରସା ହୋଇଛି । ଏଥିପାଇଁ ଚାଷୀମାନେ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି । ଏବେ ଧାନରେ ଥୋଡ ଆସିବା ସମୟ ଉପନୀତ ହୋଇଥିବାରୁ ବୈତରଣୀର ଲୁଣା ଜଳ ସାଳନ୍ଦୀ ଓ ଗେଙ୍ଗୁଟି ନଦୀ ଦେଇ ପ୍ରବାହିତ ହୋଇଛି । ଏହି ଲୁଣା ପାଣି ଜମିରେ ମାଡି ଗଲେ ଧାନ ଚାଷ ନଷ୍ଟ ହୋଇଯିବ ବୋଲି ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ସାଳନ୍ଦୀ ନଦୀରେ ମିଠା ପାଣି ଛଡା ଗଲେ ଲୁଣା ପାଣିକୁ ପ୍ରତିହତ କରିହେବ ସେମାନେ ଦର୍ଶାଇଛନ୍ତି । ପଞ୍ଚାୟତର ମାନସ ରଞ୍ଜନ ନାୟକ, ରମେଶ ଚନ୍ଦ୍ର ନାୟକ, ସରୋଜ କୁମାର ନାୟକ, ଉପେନ୍ଦ୍ର ବାରିକ, ପ୍ରଶାନ୍ତ ନାୟକ, ଅରୁଣ କୁମାର ମହାନ୍ତି, କେଶବ ଚନ୍ଦ୍ର ନାୟକ, ମାୟାଧର ବେହେରା, ହରିହର ପଣ୍ଡା ଓ ଅକ୍ଷୟ କୁମାର ନାୟକ ପ୍ରମୁଖ ଚାଷୀ ବୈଠକରେ ମିଳିତ ହୋଇଥିଲେ ।

Leave A Reply