ପୋଲିସ୍ ପ୍ଲାଟୁନର ଫ୍ଲାଗମାର୍ଚ୍ଚ ମଧ୍ୟରେ ଦେଓ ପ୍ରକଳ୍ପ ଦ୍ବାରା ସମ୍ପୁର୍ଣ୍ଣ ବୁଡି ଅଞ୍ଚଳର ବିସ୍ଥାପନ କାର୍ଯ୍ୟ ଆଗେଇ ଚାଲିଛି
କରଞ୍ଜିଆ : ପୋଲିସ ପ୍ଲାଟୁନର ଫ୍ଲାଗମାର୍ଚ୍ଚ ମଧ୍ୟରେ ଦେଓ ପ୍ରକଳ୍ପ ଦ୍ବାରା ସମ୍ପୁର୍ଣ୍ଣ ବୁଡି ଅଞ୍ଚଳର ହାତୀବାରୀ ଗାଁରୁ ସ୍ୱତପ୍ରଵୃତ ଭାବରେ ବିସ୍ଥାପନ କାର୍ଯ୍ୟ ଆଜି ଶାନ୍ତି ଶୃଙ୍ଖଳାର ସହ ଚାଲୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଚଟବୁରା ଓ ପୋଲିଥିନ ଯୋଗାଇବା ସହ ଜିନିଷ ପତ୍ର ନେବା ପାଇଁ ମଜୁରୀ ଓ ୧୫ଟି ଟ୍ରାକ୍ଟର ଯୋଗାଯାଇଥିବା ବିଷୟ ଉପଜିଲ୍ଲାପାଳ ଡ଼ଃ ରଜନୀ କାନ୍ତ ବିଶ୍ୱାଳ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକୁ ଠିକ୍ ଭାବରେ ପରିଚାଳନା କରିବାକୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବାଦଲ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଶ୍ୱର ସୋରେନ୍, ସହକାରୀ ଯନ୍ତ୍ରୀ ବିଭୁତି ଭୁଷଣ ମହାପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ଶିବାଶିଷ ବରାଳ, କରଞ୍ଜିଆ ପୋଲିସ ଅଧିକ୍ଷକ ସତ୍ୟ ବିକାଶ ଭୁୟାଁ ଓ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସରୋଜିନୀ ସିଂ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ ଯେ ଆଜି ସୁଦ୍ଧା ସମ୍ପୁର୍ଣ୍ଣ ବୁଡି ଅଞ୍ଚଳ ହାତୀବାରୀ ଓ ଦେବିଗଡ ଗ୍ରାମର ପ୍ରାୟ ୧୬-୨୦ ପରିବାର ନିଜ ଇଚ୍ଛା ଅନୁସାରେ ଘରଦ୍ବାର ଭାଙ୍ଗି ଅନ୍ୟତ୍ର ନୂତନ ଆଶ୍ରୟସ୍ଥଳୀକୁ ଉଠିବା ଆରମ୍ଭ କରିଛନ୍ତି। ପ୍ରଶାସନର ଏହି କାର୍ଯ୍ୟ ଦ୍ଵାରା ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଠିକ୍ ସମୟରେ ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଚାଷୀକୂଳ ଆଶା ବ୍ୟକ୍ତ କରିଛନ୍ତି। ମନୋଜ ମହାନ୍ତି
