ତିହିଡି,୨୧/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ଥାନା ଅଧିନ କାଁପଡା ପଞ୍ଚାୟତର ଦପା ଗ୍ରାମରେ ଆଜି ମଧ୍ୟାହ୍ନରେ ଛାତରୁ ଖସି ପଡି ଜଣେ ୨ ବର୍ଷର ଶିଶୁ କନ୍ୟା ପ୍ରାଣ ହରାଇଛନ୍ତି । କନ୍ୟାକୁ ରକ୍ଷା କରିବାକୁ ଯାଇ ତାଙ୍କ ବଡ ମାଆ ମଧ୍ୟ ଛାତରୁ ଖସି ପଡି ଗୁରୁତର ହୋଇଛନ୍ତି । ମୃତ କନ୍ୟାଙ୍କ ନାଁ ଭାଗ୍ୟଲକ୍ଷ୍ମୀ ଏବଂ ତାଙ୍କ ବଡ ମାଆଙ୍କ ନାଁ ରଶ୍ମିତା ସ୍ୱାଇଁ(୩୨) ବୋଲି ଜଣାଯାଇଛି । ପ୍ରକାଶ ଯେ, ଶିଶୁ କନ୍ୟାକୁ ସାଙ୍ଗରେ ଧରି ତାଙ୍କ ବଡ ମାଆ ଘରର ଛାତ ଉପରକୁ ଯାଇଥିଲେ । ଶିଶୁଟି ସେଠାରେ ଖେଳୁଥିବା ବେଳେ ଛାତ ଧାରକୁ ଯାଇ ତଳକୁ ଖସି ପଡିଥିଲା । ଶିଶୁକୁ ରକ୍ଷା କରିବାକୁ ଉଦ୍ୟମ କଲା ବେଳେ ତାଙ୍କ ବଡ ମାଆ ମଧ୍ୟ ଛାତରୁ ଖସି ପଡି ଗୁରୁତର ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ଲାଗି ତିହିଡି ମେଡିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ବଡ ମାଆ ରଶ୍ମୀତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
