ଶଶୁରଘର ଗାଁପାଖ ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ପୁଲିସ ତଦନ୍ତ କରୁନଥିବା ପ୍ରତିବାଦରେ ପରବାର ପକ୍ଷରୁ ଅନଶନ ଚେତାବନୀ
ତିହିଡ଼ି, ୨୭/୦୯(Jadumani Panigrahi) : ତିହିଡ଼ି ଥାନା ମଙ୍ଗଳପୁର ପଞ୍ଚାୟତ ଅଧୀନ କନାଟିଆ ଗ୍ରାମର କେଶବ ମାଇତି (୩୦) ନାମକ ଜଣେ ଯୁବକଙ୍କ ମୃତ ଦେହ ଗତ ୧୮ ତାରିଖରେ ତାଙ୍କ ଶଶୁରଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମର କିଛିଦୂରରେ ଏକ ଧାନ ବିଲରୁ ଉଦ୍ଧାର କରାଯାଇଥିଲା । କେଶବଙ୍କୁ ଯୋଜନାବଦ୍ଧ ଭାବେ ତାଙ୍କ ସ୍ତ୍ରୀ, ଶଶୁର, ଶଳା ଓ ଶାଶୁ ମିଶି ମାରି ଦେଇ ବିଲରେ ପକାଇ ଦେଇଥିବା ନେଇ କେଶବଙ୍କ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରାଯାଇଥିଲା ।
ତେବେ ଅଭିଯୋଗକୁ ୭ଦିନ ପୂରଣ ହୋଇଥିଲେ ମଧ୍ୟ ପୋଲିସ ଏହି ହତ୍ୟା ଘଟଣାରେ ମାମଲା ରୁଜୁ କରିନଥିବା ବେଳେ ସାଧାରଣ ତଦନ୍ତଟିଏ ବିଏ ଏଯାଏ କରୁନଥିବା କେଶବଙ୍କ ଭାଇ ଆଜି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସମ୍ବେଦନଶୀଳ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବାଧ୍ୟ ହୋଇ ପରିବାର ସମସ୍ତ ସଦସ୍ୟ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପୋଲିସ ଡିଜି, ଆଇଜିଙ୍କ ସମେତ ରାଜ୍ୟ ମାନବାଧିକାର କମିଶନରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିବା ସୂଚନା ମିଳିଛି ।
କନାଟିଆ ଗ୍ରାମର ମନୋରଂଜନ ମାଇତି କରିଥିବା ଅଭିଯୋଗରୁ ପ୍ରକାଶ ଯେ, ତାଙ୍କ ସାନଭାଇ କେଶବ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ବୈଦିକ ରୀତରେ ବିବାହ କରିଥିଲେ । ବିବାହ ପରେ ସବୁ ଭାଇ ଏକାନ୍ନରେ ଥିବାବେଳେ କେଶବଙ୍କ ପତ୍ନୀ ବିଭିନ୍ନ ସମୟରେ ପାରିବାରିକ ବିଶୃଙ୍ଖଳା ସୃଷ୍ଟି କରି କେଶବଙ୍କୁ ତାଙ୍କ ଗ୍ରାମରେ ଘରଜ୍ୱାଇଁଆ ହୋଇ ରହିବାକୁ ଜିଦ୍ କରୁଥିଲେ । ଏଥିସହ ତାଙ୍କ ଶଶୁର ଓ ଶଳାମାନେ ମଧ୍ୟ ବିଭିନ୍ନ ସମୟରେ ଘରକୁ ଆସି ତାଙ୍କୁ ଜଳଙ୍ଗା ଗ୍ରାମରେ ରହିବାକୁ ପ୍ରବର୍ତ୍ତାଉ ଥିଲେ । ତେବେ ଘରେ ପତ୍ନୀଙ୍କର ବିଶୃଙ୍ଖଳା ବଢ଼ିବାରୁ କେଶବ ବାଧ୍ୟ ହୋଇ ୨ବର୍ଷ ତଳେ ଶଶୁରଘରେ ଯାଇ ରହୁଥିଲେ । ସେଠାରେ ତାଙ୍କ ପତ୍ନୀ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହ ତୁମେ ଅଯୋଗ୍ୟ, ଅପଦାର୍ଥ, ତୁମେ ମରିଯାଅ ମୁଁ ଅନ୍ୟତ୍ର ବିବାହ କରିବି ବୋଲି ଧମକ ଚମକ ଦେଉଥିଲେ । ତେବେ ଗତ ସେପ୍ଟେମ୍ବର ମାସରେ ମନୋରଂଜନ ଭାଇ ନିଟକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ମଧ୍ୟ କେଶବଙ୍କୁ ତାଙ୍କ ପତ୍ନୀ, ଶଳା, ଶଶୁର ମିଶି ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିଲେ ।
ଏଥିରେ ଅଶ୍ୱିନୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଘରୁ ତଡ଼ିଦେବା ସହ ଆଉଥରେ ଏଠାକୁ ଆସିଲେ ତୁମ ଭାଇଙ୍କ ଶବ ତୁମ ଗ୍ରାମକୁ ଯିବ ବୋଲି ଧମକ ଚମକ ଦେଇଥିଲେ । ତେବେ ଗତ ୧୬ ତାରିଖ ରାତିରେ କେଶବଙ୍କ ସ୍ତ୍ରୀ କନାଟିଆ ଗ୍ରାମର ତାଙ୍କ ପଡ଼ୋଶୀ ସୀତାରାମ ମଣ୍ଡଳଙ୍କୁ ଫୋନ କରି କେଶବ ଘର ଛାଡ଼ି ପଳାଇ ଯାଇଥିବା କହିଥିଲେ । ଏହି ଖବର ଜଣିବା ପରେ ପରଦିନ କେଶବଙ୍କ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯିବା ସହ ଜଳଙ୍ଗା ଗ୍ରାମକୁ ଯାଇ ଶଶୁରଘରେ ଏ ସମ୍ପର୍କରେ ପଚାରିଥିଲେ । ତେବେ ଶଶୁରଘର ଲୋକେ କହିଥିଲେ ଯେ, ସେ ମଲା କେତେ ଗଲା କେତେ ଆମେ ତାର ଖୋଜ ଖବର ନେବୁନାହିଁ ବୋଲି ରୋକଠୋକ କହିଥିଲେ ।
ତେବେ ଗ୍ରାମର କେତେକ ଲୋକଙ୍କୁ ପଚାରା ଉଚୁରା କରିଥିଲେ ମଧ୍ୟରେ କେଶବଙ୍କର କୌଣସି ଖୋଜଖବର ପାଇନଥିଲେ । ତେବେ ୧୮ ତାରିଖ ଦିନ ଜଳଙ୍ଗା ଗ୍ରାମ ନିକଟ କେନାଲ ପାଖରେ ଏକ ଧାନ ବିଲରେ କେଶବର ମୃତ ଦେହ ପଡ଼ିଥିବା ଖବର ପାଇ ପରିବାରଲୋକେ ସେଠାକୁ ଯାଇଥିଲେ । ତେବେ ସେଠାରେ ପାରିପାଶ୍ୱିର୍କ ଅବସ୍ଥିତିକୁ ଲକ୍ଷ୍ୟ କରି କେଶବଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବାକୁ ମନୋରଂଜନ ଭଦ୍ରକ ଆସିଥିଲେ । ମାତ୍ର ଆସିବା ବାଟରେ କେଶବଙ୍କ ପତ୍ନୀ, ଶଳା, ଶଶୁର, ଶାଶୁଙ୍କ ସମେତ ଅନ୍ୟ କେତେକ ଲୋକ ତାଙ୍କୁ ଅଟକାଇ ତୁମେ ଥାନାକୁ ଯାଇ ପାରିବ ନାହିଁ ଯଦି ଯାଅ ତୁମର ଲାସ୍ ଗାଏବ କରିଦିଆଯିବ ବୋଲି ଧମକ ଚମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ମନୋରଂଜନ ଘରକୁ ପଳାଇ ଆସି ପରଦିନ ଲୁଚି ଛପି ଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ତାଙ୍କ ଭାଇଙ୍କୁ ସୁପରିକଳ୍ପିତ ଭାବେ ମାରି ଦିଆଯାଇଥିବା ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।
