Odisha news

ରରୁଆଁ ବ୍ଲକରେ ଦୁର୍ନୀତିର ଗନ୍ଧ, ପୁରୁଣା ପ୍ରକଳ୍ପର ନୂଆ ରୂପ ଦେବା ଅଭିଯୋଗ

0

ବାରିପଦା : ସରକାରୀ କାର୍ଯ୍ୟରେ ବଡଧରଣର ଅନିୟମିତତା ହୋଇଥିବା ତଥା ଚଞ୍ଚକତା କରି ଟଙ୍କା ହଡପ ହେବା ତଥା ପୁରୁଣା ପ୍ରକଳ୍ପକୁ ନୂଆ ରୂପ ଦେଇଥିବାପରି ଏକ ଗୁରୁତର ଅଭିଯୋଗ ହୋଇଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, ରରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମପଞ୍ଚାୟତର କନିକା ଗ୍ରାମରେ ନୂଆ କରି ତିଆରି ହୋଇଥିବା କୋଠି ଘର ଓ ଦୂର୍ଗା ମଣ୍ଡପ ଠାରୁ ଗ୍ରାମ ନିକଟସ୍ଥ ବିଲ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ କେନାଲ ପୂର୍ବରୁ ଥିବା ପ୍ରକଳ୍ପ ଉପରେ ନିର୍ମିତ ହୋଇଛି ।

ମାତ୍ର ଏହି ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ସଠିକ୍ ତଦାରଖ ଅଭାବରୁ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ପୁରୁଣା କୋଠି ଘର ପଲସ୍ତରା ଛଡାଇ ଦୁର୍ବଳ କାନ୍ଥ ଉପରେ ଛାତ ପକାଯାଇଛି । ଫଳରେ ଘରଟି ଅତ୍ୟନ୍ତ ବିପଦ ଶଙ୍କୁଳ ଅବସ୍ଥାରେ ଅଛି । ସବୁଠାରୁ ପରିତାପ ବିଷୟ ସ୍ୱଚ୍ଛତା ନିମନ୍ତେ ସରକାର ସୂଚନା ଫଳକ ବ୍ୟବସ୍ଥା କରିଥିବାବେଳେ ଏଠିସବୁ ନିୟମକୁ ଜଳାଞ୍ଜଳି ଦିଆଯାଇ ଲୋକମାନଙ୍କୁ ଅନ୍ଧକାରରେ ରଖାଯିବା ସହ ସୂଚନାଫଳକ ମଧ୍ୟ ନାହିଁ ।

ଏପିରିକି କିଛି ବର୍ଷ ତଳେ ନିର୍ମିତ ଡ୍ରେନକୁ ତାଡି ଦେଇ ସେହି ସ୍ଥାନରେ ନୂତନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରାଯିବା ସମସ୍ତଙ୍କୁ ଆଶର୍ଯ୍ୟ କରିଛି, ତାହା ପୁଣି ନିର୍ମାଣର ମାସେ ନପୁରୁଣୁ ଭାଙ୍ଗି ଗଲାଣି । ଅପରପକ୍ଷରେ ଯନ୍ତ୍ରୀ ତଥା ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ଠିକାଦାର ମାଲେମାଲ ହେଉଥିବାବେଳେ ପ୍ରକଳ୍ପ କାର୍ଯ୍ୟ ନାମରେ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି । ଏପରି କାର୍ଯ୍ୟର ଉଚ୍ଚସ୍ତରୀୟ ଯାଞ୍ଚ କରିବା ତଥା ସରକାରୀ ଅର୍ଥ ହଡପ କରିବା ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି । ଏନେଇ ରରୁଆଁ ବ୍ଲକ ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା ।

Leave A Reply