Odisha news

ମୁକ୍ତି ସଂଗ୍ରାମର ଅସ୍ତମିତ ସୂର୍ଯ୍ୟ : ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

0

ଡଃ.ଅରୁନ୍ଧତୀ ଦେବୀ : କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତରେ ଜଣେ ପରିଚିତ ସୁନାମଧନ୍ୟ ତ୍ୟାଗପୂତ ଜୀବନ ନିର୍ବାହ କରିଥିବା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ମହାପ୍ରୟାଣ ସହିତ ସ୍ୱାଧୀନତା ସଂଗ୍ରାମର ଏକ ଜାଜ୍ଜୁଲ୍ୟମାନ ଦୀପଶିଖା ନିର୍ବାପିତ ହୋଇଥିଲା । ପୁଣ୍ୟ ପାବନ ସ୍ମରଣୀୟ ବୁଦ୍ଧ ପୂର୍ଣ୍ଣିମା ୧୯୨୨ ମସିହା ମେ ୧୧ ତାରିଖରେ ପୁରୀ ଜିଲ୍ଳା ନିମାପଡ଼ାସ୍ଥିତ ବଡ଼ଅନ୍ଧିଆ ଗ୍ରାମରେ ଜନ୍ମଲାଭ କରିଥିବାବେଳେ ମାତ୍ର ଦଶବର୍ଷ ବୟସରେ ବିଦ୍ୟାଳୟ ଜୀବନରୁ ହିଁ ତାଙ୍କ ସଂଗ୍ରାମୀ ଜୀବନର ଅୟମ୍ଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଛାତ୍ର ଥିବାବେଳେ ସେ ସମୟର ଶକ୍ତିଶାଳୀ ଗୋରା ଫୌଜର ସମ୍ରାଟ ପଞ୍ଚମ ଜର୍ଜଙ୍କ ଗୁଣଗାନ ନକରି ମହାତ୍ମା ଗାନ୍ଧୀଙ୍କ ଜୟ ଜୟକାର ଓ ଦେଶମାତୃକାର ବନ୍ଦନା ଗାନ କରିବାରୁ ସେ ମାଡ଼ଖାଇ କ୍ଷତାକ୍ତ ହୋଇଥିଲେ ।

ନିମାପଡ଼ା ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ର ଥିବାବେଳେ ୧୯୪୨ ମସିହାରେ ଜାତିର ପିତା ବାପୁଜୀଙ୍କ ସ୍ୱାଧୀନତା ଡାକରାର ଆହ୍ୱାନୀରେ ନିଜକୁ ଝାସ ଦେଇ ଦେଶ ମାତୃକାର ସେବା ପାଇଁ ଶପଥ ନେଇଥିଲେ । ୧୯୪୨ ମସିହା ସେପ୍ଟେମ୍ବର ୧୬ ତାରିଖରେ ନିମାପଡ଼ା ଥାନା ସାମ୍ନାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଥାନା ଅଧିକାର କରି ସ୍ୱାଧୀନତାର ପ୍ରତୀକ ସଂକେତ ଜାତୀୟ ପତାକା ଉଡ଼ାଇବାର ଲକ୍ଷ୍ୟ ରଖି ବ୍ରିଟିଶ ପୁଲିସର ଗୁଳି ଖାଇ ଅଳ୍ପକେ ଜୀବନ ବଞ୍ଚô ଯାଇଥିଲା ସିନା କିନ୍ତୁ ତାଙ୍କ ସହ କୋଡିଏ ଜଣ ଯୁବସଂଗ୍ରାମୀ କାରାବରଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ନିମାପଡ଼ା ଅଞ୍ଚଳ ସନ୍ନିକଟ ଚରଣପଦା, ହଂସପଡ଼ା, ବିଷ୍ଣୁପୁରୁ ଓ ଗଡ଼ଅଣ୍ଠିଆ ଗ୍ରାମରୁ ଅନେକ ଯୁବ ସଂଗ୍ରାମୀ ତାଙ୍କ ନେତୃତ୍ୱକୁ ଗ୍ରହଣ କରିଥିଲେ ।

ତାଙ୍କ ସଂଗ୍ରାମୀ ସହଯୋଗୀ ଉତ୍ସବ ମଳିକ ପୁଲିସ ଗୁଳିରେ ଜୀବନ ଦେଇଥିଲେ ମଧ୍ୟ ସେ ଆହୁରି ବଜ୍ର ଶପଥ ନେଇଥିଲେ । ୧୯୪୫ରେ ପୁରୀ ଜେଲରୁ କଟକ ଜେଲକୁ ଆସିବା ବେଳେ କିମ୍ବଦନ୍ତୀ କଳିଙ୍ଗ ବୀର ବିଜୁବାବୁ ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ସହଯୋଗ ତାଙ୍କ ଭିତରେ ଜାତିର ତ୍ୟାଗବହ୍ନିର ମଶାଲକୁ ଆହୁରି ତେଜୀୟାନ କରିଥିଲା ।

କେବଳ ସ୍ୱାଧୀନତା ସଂଗ୍ରାମ ଜୀବନ ନୁହେଁ ସାମାଜିକ ଜୀବନରେ ସବୁ କ୍ଷେତ୍ରରେ ଗାନ୍ଧିଜୀଙ୍କ ଆଦର୍ଶକୁ ମୁଖ୍ୟ କରୁଥିଲେ । ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇ ଉକ୍ରଳ କେଶରୀ ହରେକୃଷ୍ଣ ମହତାବ ଓ ବିଜୁ ବାବୁଙ୍କ ସହ ବେଶ ଘନିଷ୍ଠ ସମ୍ପର୍କ ରହିପାରିଥିଲା । କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ପ୍ରଦେଶ କମିଟି ସେବା ଦଳର ମୁଖ୍ୟ ଭାବେ ଦାୟିତ୍ୱ ନିଷ୍ଠାପର ଭାବେ ତୁଲାଇଥିଲେ । କ୍ରମାଗତ ଭାବେ ସେ ୧୯୬୧, ୧୯୬୬ ଓ ୧୯୭୮ ମସିହାରେ ରାଜ୍ୟସଭାକୁ ଯାଇଥିଲେ ।

ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ସମିତିର ଅଧ୍ୟକ୍ଷ, ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସମିତିର ସାଧାରଣ ସମ୍ପାଦକ ଓ ଗୋପବନ୍ଧୁଙ୍କ କାଦୁଆ ଆଶ୍ରମର ସଭାପତି ଭାବେ ଭିନ୍ନ ଭିନ୍ନ ଦାୟିତ୍ୱରେ ଥିଲେ । ୬୦ରୁ ୭୦ ଦଶକ ଭିତରେ ତକ୍ରାଳୀନ ସମୟର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଓ ବୁଭୁକ୍ଷୁ ଲୋକ ମାନଙ୍କ ପାଇଁ ସେ ଖାଦ୍ୟ ସାମଗ୍ରୀ ଓ ରିଲିଫ୍ ବାଣ୍ଟୁଥିଲେ । ଜଣେ ମଦ ବିରୋଧୀ ଆନେ୍ଦାଳନର ଅନନ୍ୟ ଶ୍ରେଷ୍ଠ ନେତୃତ୍ୱ ଭାବେ ସେ ଯେତିକି ପରିଚିତ, ଭାଷା ସୁରକ୍ଷା ଆନେ୍ଦାଳନ ଭଳି ପ୍ରତିଟି ସାମାଜିକ ଜନ ଆନେ୍ଦାଳନରେ ସେ ଆଗଧାଡ଼ିରେ ରହୁଥିଲେ । ବିଜୁ କଳିଙ୍ଗ ଫାଉଣ୍ଡେସନର ସେ ସଭାପତି ଦାୟିତ୍ୱ ମଧ୍ୟ ତୁଲାଉଥିଲେ ।

ତାଙ୍କ ଉତ୍ସର୍ଗୀକୃତ ସମାଜ ସେବା ଓ ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ମରଣୀୟ ଓ ସମର୍ପିତ ଭୂମିକା ପାଇଁ ୨୦୧୮ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ଭୂଷିତ କରିଥିଲେ । ଭାରତ ସରକାର ନୂଆ ନିୟମ ପ୍ରଣୟନ ପରେ ସେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ନିଜ ଶରୀର ଦାନ କରିବା ନେଇ କିଛି ଦିନ ତଳେ ଘୋଷଣା କରିଥିଲେ । ପୂଜ୍ୟଶ୍ରୀ କୁମାର ଭାଇଙ୍କ ହାତଗଢ଼ା ଅନୁଷ୍ଠାନ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନେ୍ଦାଳନର ଅନେକ କାର୍ଯ୍ୟକ୍ରମରେ ସେ ନିଜକୁ ସାମିଲ କରୁଥିଲେ ।

ଅନେକ କାର୍ଯ୍ୟକ୍ରମରେ ସେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏହି ଲେଖିକା ତାଙ୍କ ମୂଲ୍ୟବାନ ପରାମର୍ଶ ଓ ଆଶୀର୍ବାଦ ପ୍ରାପ୍ତ ହୋଇଛି । ଅନେକ ଓଡ଼ିଆ ସଙ୍ଗଠନ ତାଙ୍କ ଜନ୍ମ ଶତବାର୍ଷିକ ପାଳନ କରିବା ପାଇଁ ବେଶ ଆଗ୍ରହର ସହ ପ୍ରତୀକ୍ଷା କରିଥିଲେ । ଭାରତ ବର୍ଷ ଜଣେ ଯୋଗ୍ୟ ସନ୍ତାନକୁ ଓ ମହାନ ଦେଶଭକ୍ତକୁ ହରାଇଲା । ଏ ଜାତି ଜଣେ ଯଥାର୍ଥ କର୍ମଯୋଗୀଙ୍କୁ ହରାଇଲା । ତାଙ୍କ ଦେଶପ୍ରେମ ଆଗାମୀ ପିଢ଼ୀକୁ ବିଶେଷକରି ଯୁବବର୍ଗଙ୍କୁ ସମାଜ ସେବା ପାଇଁ ଓ ଦେଶ ମାତୃକାକୁ ଭଲ ପାଇବା ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ । ପରିଣତ ବୟସରେ ପହଞ୍ଚôଥିଲେ ମଧ୍ୟ ସେ ନିଜକୁ ସମାଜ ସେବାରେ ସକ୍ରିୟ ରଖିଥିଲେ ।

ସାରା ଜୀବନ ଥିଲେ ଗାନ୍ଧୀ ଓ ଦେଶମାତୃକାର ପୂଜାରୀ । ଯେଉଁ ମଞ୍ଚରେ ସେ ପାଦ ଦେଉଥିଲେ ତତ୍କ୍ଷଣାତ କହୁଥିଲେ “ମହାତ୍ମା ଗାନ୍ଧୀ କି ଜୟ, ଭାରତ ମାତା କି ଜୟ….’ ଦେଶର ମୁକ୍ତି ସଂଗ୍ରାମର ଅସ୍ତମିତ ଏହି ସୂର୍ଯ୍ୟଙ୍କ ପ୍ରତି ଏହି ଲେଖିକା କୋଟି କୋଟି ପ୍ରଣାମ ଜଣାଉଛି । ଜଣେ ସର୍ବ ଜନାଦୃତ ଓ ସମ୍ମାନନୀୟ ଯୁଗପୁରୁଷଙ୍କୁ କୋଟି କୋଟି ଓଡ଼ିଶା ବାସୀଙ୍କ ସହ ତାଙ୍କୁ ସଲାମ ଜଣାଉଛି ।

Leave A Reply