ବିଶ୍ବବ୍ୟାପୀ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ଟପିଲା: ସଂକ୍ରମଣ ମାମଲାରେ ବ୍ରାଜିଲ୍ ରୁଷ୍କୁ ଟପି ବିଶ୍ବରେ ଦ୍ବିତୀୟ ସ୍ଥାନରେ
ୱାସିଂଟନ: ବିଶ୍ବବ୍ୟାପୀ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ଟପିଯାଇଛି। ସଂକ୍ରମଣ ମାମଲାରେ ବ୍ରାଜିଲ୍ ରୁଷ୍କୁ ଟପି ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ଏହି ଲାଟିନ୍ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍ରେ ଶନିବାର ପୁଣି ୧୬ ହଜାର ୫୦୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୯୬୫ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ବରେ କରୋନା ମୃତ୍ୟୁ କ୍ଷେତ୍ରରେ ବ୍ରାଜିଲ୍ ଏବେ ଷଷ୍ଠ ସ୍ଥାନରେ ରହିଛି। ବ୍ରାଜିଲ୍ରେ ଆକ୍ରାନ୍ତ ସଂଖ୍ୟା ୩.୫ ଲକ୍ଷ ପହଞ୍ଚିବ।
ଅନ୍ୟପକ୍ଷେ ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୩୬୧ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୦୮୬ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୂଯାୟୀ ନ୍ୟୁୟର୍କ ପୁଲିସ ବିଭାଗରେ ୪୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ୫ ହଜାର ୭୩୯ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସେପଟେ ଦକ୍ଷିଣ କୋରିଆରେ ପୁଣି ୨୫ ନୂଆ ମାମଲା ଚିହ୍ନଟ ହୋଇଛି। ସିଓଲ୍ ନାଇଟ୍କ୍ଲବ୍ କ୍ଲଷ୍ଟର୍ରେ ମାମଲା ୨୨୫କୁ ବୃଦ୍ଧି ପାଇଛି। ତେଣୁ ଦକ୍ଷିଣ କୋରିଆରେ ଏବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଭୟ ବଢ଼ିଛି। ଚୀନ୍ରେ ମଧ୍ୟ ଆଜି ପୁଣି ୩ ନୂଆ ମାମଲା ଚିହ୍ନଟ ହୋଇଛି। ସଂକ୍ରମଣ ମାମଲାରେ ବିଶ୍ବରେ ତୃତୀୟ ସ୍ଥାନରେ ଥିବା ରୁଷ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ସବୁଠୁ ଅଧିକ ମୃତ୍ୟୁ ତଥା ୧୫୩ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍ରେ ସମୁଦାୟ ମୃତ୍ୟୁସଂଖ୍ୟା ୩,୫୪୧ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ରେ ୯, ୫୯୯ ନୂଆ ମାମଲା ଚିହ୍ନଟ ହୋଇଛି। ରୁଷ୍ ପଛକୁ ସ୍ପେନ୍, ବ୍ରିଟେନ୍ରେ ମଧ୍ୟ ସଂକ୍ରମଣ ବଢ଼ୁଛି। କିନ୍ତୁ ଆମେରିକା, ବ୍ରାଜିଲ୍, ରୁଷ୍ ଓ ଭାରତ ଏବେ ବିଶ୍ବରେ ନୂଆ ହଟ୍ସ୍ପଟ୍ ପାଲଟିଛି।