କୋଦଳା (susant ku pattanaik) ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରତାକୁ ବଜାୟ ରଖିବାକୁ ଗୁରୁତ୍ବ ଦିଆଯାଉଥିବା ବେଳେ କାରାଗାର ଗୁଡିକରେ ସାମାଜିକ ଦୂରତାକୁ କିଭଳି ପାଳନ କରାଯିବ ତାହା ଏକ ଚିନ୍ତାର କାରଣ ପାଲଟିଛି। ଗଂଜାମ ଜିଲ୍ଲା କୋଦଳା ଉପ କାରାଗାରରେ ଆବଶ୍ୟକତା ଠାରୁ ଅଛନ୍ତି ଅଧିକ ସଂଖ୍ୟକ କଏଦୀ। କାରାଗାରରେ ମୋଟ ୧୧୦ ଜଣ କଏଦୀ ରହିବାକୁ ଥିବା ବେଳେ ଏବେ ଅଛନ୍ତି ୨୧୦ ଜଣ କଏଦୀ। କ୍ଷମତା ଠାରୁ ଶତାଧିକ କଏଦୀ ଅଧିକ ଥିବାରୁ ସେମାନଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତ୍ବ ରହିବ ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଏଦୀଙ୍କ ସଂଖ୍ୟା ଦୁଇଗୁଣ ଅଧିକ ଥିବାରୁ ସେମାନଙ୍କ ଖାଇବା ପିଇବା, ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ, ଶୋଇବା ପାଇଁ ଜାଗା ଇତ୍ଯାଦି ସଠିକ୍ ଭାବେ ଉପଲବ୍ଧ ହେବାପାଇଁ ସମସ୍ଯା ଦେଖା ଦେଉଛି।ଅପରପକ୍ଷେ ଆସିକା ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ଘଟଣା ପଦାକୁ ଆସିବା ପରେ କୋଦଳା ଜେଲ୍ ଭିତରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର କିପରି ରହିଛି ତାହା ମଧ୍ୟ ଏକ ପ୍ରମୁଖ ବିଷୟ ପାଲଟିଛି। କରୋନା ନିୟନ୍ତ୍ରଣକୁ ନେଇ ପୋଲିସ ଓ ପ୍ରଶାସନ ଏବେ ସେଦିଗରେ ବ୍ଯସ୍ତ ରହିଥିବା ବେଳେ ଜେଲ୍ ଗୁଡିକ ଉପରେ କଡା ନଜର ରହି ପାରୁନି ।ଯାହା ଫଳରେ କି ଜେଲ୍ ଭିତରେ ଏବେ ଅତି ସହଜରେ ବେଆଇନ କାର୍ଯ୍ୟ ହେଉଥିବା ନେଇ ଚର୍ଚ୍ଚା ହେଉଛି। ଜେଲ୍ ଭିତରକୁ ମାଦକ ଦ୍ରବ୍ଯ, ପାନ, ଗୁଟଖା, ସିଗାରେଟ୍ ଇତ୍ଯାଦି ଯାଉଥିବା ନେଇ ମଧ୍ୟ ଶୁଣିବାକୁ ମିଳୁଛି। ସାଧାରଣ ମାମଲା ଠାରୁ ଆରମ୍ଭ କରି ହାର୍ଡକୋର କ୍ରିମିନାଲ୍ ମାନେ ମଧ୍ୟ ଏଠାରେ ରହୁଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନକୁ ବର୍ତମାନ ବଡ଼ ଚ୍ଯାଲେଞ୍ଜ ସୃଷ୍ଟି ହୋଇଛି ।
ଜେଲ୍ ଭିତରେ ସିସିଟିଭି କ୍ୟାମେରା କିଭଳି କାମ କରୁଛି, ଖାଦ୍ୟ ପଦାର୍ଥ ନିୟମ ଅନୁସାରେ ଯୋଗାଇ ଦିଆଯାଉଛି କି ନାହିଁ, କଏଦୀ ମାନଙ୍କ ମଧ୍ୟରେ ସାମାଜିକ ଦୂରତା, ଶୃଙ୍ଖଳା କିପରି ରହୁଛି ଏବଂ ଖାସ୍ କରି ଏତେ ସଂଖ୍ୟକ କଏଦୀଙ୍କୁ କିପରି ଜେଲ୍ ମଧ୍ୟରେ ପରିଚାଳନା କରାଯାଉଛି ସେ ନେଇ ଉଚ୍ଚ ଅଧିକାରୀ ତର୍ଜମା କରି ପ୍ରତ୍ଯକ୍ଷ ଭାବରେ ପରିଦର୍ଶନ କରିବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ। ଅନ୍ୟ ପଟେ ଏ ସମ୍ପର୍କରେ କୋଦଳା ଉପ କାରାଗାରର ଜେଲ୍ ସୁପରିଟେଣ୍ଡେଣ୍ଟ କୁଂ ପଚାରିବାରୁ ସରକାରଙ୍କ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ସଠିକ୍ ଭାବେ ହେଉଥିବା କହିଛନ୍ତି।