Odisha news

ଆସନ୍ତାକାଲି ଠାରୁ ଭକ୍ତଙ୍କ ଲାଗି ନିୟମିତ ଖୋଲିବ ଶ୍ରୀମନ୍ଦିର

ପୁରୀ,୯ା୧: ଏଣିକି ଭକ୍ତମାନଙ୍କ ଦର୍ଶନ ଲାଗି ପ୍ରତ୍ୟେହ ଶ୍ରୀମନ୍ଦିର ଖୋଲିବ । ଗତ୨୦ ଦିନର ଅନୂଭୂତି ଓ ଲୋକମାନଙ୍କ ମତାମତ ଅଧାରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରତିଦିନ ଭକ୍ତମାନେ ଶ୍ରୀମନ୍ଦରିରେ ଶ୍ରୀଜିଉମାନଙ୍କ ଦର୍ଶନ କରିପାରିବେ । କାର୍ଯ୍ୟକାରୀହେବାକୁ ଯାଉଥିବା ଏହି ନୂତନ ଏସ୍ଓପି ଫଳରେ ଆସନ୍ତା ରବିବାର ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ଼କ୍ଟର କ୍ରିଷନ୍ କୁମାର କହିଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକ ପରେ ଶ୍ରୀଜିଉମାନଙ୍କ ଦର୍ଶନ ଲାଗି ନୂତନ ଏସ୍ଓପି ସମ୍ପର୍କରେ ସୂଚନାଦେଇ ମୁଖ୍ୟପ୍ରଶାସକ କହିଥିଲେଯେ, ଆନନ୍ଦବଜାରରୁ ଭକ୍ତମାନେ ଏଣିକି ଅଭଡ଼ା ନେଇପାରିବେ । ସପ୍ତାହକ୬ଦିନ ପରିବର୍ତ୍ତେ ଏଣିକି ପ୍ରତିଦିନ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୬ରୁ ଶ୍ରୀମନ୍ଦିରରେ ଦର୍ଶନ ଆରମ୍ଭ ହେବ । ପୁରୀ ଭକ୍ତମାନଙ୍କ ପାଇଁ ସକାଳ ୬ରୁୁ ୭ଟା ପର୍ଯ୍ୟନ୍ତ ଦର୍ଶନ ଲାଗି ଦିଆଯାଉଥିବା ସୁଯୋଗ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।

ସମସ୍ତ ଭକ୍ତ ସକାଳ ୬ଟାରୁ ଶ୍ରୀମନ୍ଦିର ବନ୍ଦ ରହିବା ପର୍ଯ୍ୟନ୍ତ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ତେବେ କୋଭିଡ଼ କଟକଣା ଆଧାରରେ ସାମାଜିକ ଦୂରତ୍ୱ ବଜାୟ ରଖିବା,ମାସ୍କ ପରିଧାନ ଓ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ ଭଳି ନିୟମ ବଳବତ୍ତର ରହିବ । ସାନିଟାଇଜେସନ୍ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିଲା । ଏବେ ତାହାର ପରିବର୍ତ୍ତନ କରାଯାଇଛି । ଶ୍ରୀମନ୍ଦିର ଦର୍ଶନାର୍ଥôଙ୍କ ପାଇଁ ବନ୍ଦହେବା ପରେ ସପ୍ତାହରେ ତିନିଥର ରାତିରେ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯିବ । ସିଂହଦ୍ୱାରଦେଇ ସମସ୍ତ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଅନ୍ୟ ତିନି ଦ୍ୱାରଦେଇ ସେମାନେ ପ୍ରସ୍ଥାନ କରିବେ । ବାହାରୁ ଅସୁଥିବା ଭକ୍ତମାନେ ସେମାନଙ୍କ ଜୋତା ,ଚପଲ ଓ ମୋବାଇଲ୍ ପ୍ରଭୁତି ନିର୍ଦ୍ଧାରିତ ସ୍ଥାନରେ ରଖିଯାଉଥିବାରୁ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କଲେ ସେମାନେ ରଖିଥିବା ସାମଗ୍ରୀ ସହଜରେ ପାଇପାରିବେ । ତେବେ ଏହା ବାଧ୍ୟତା ମୂଳକ ନୁହେଁ ବୋଲି ମୁଖ୍ୟପ୍ରଶାସକ କହିଥିଲେ ।

ଶ୍ରୀମନ୍ଦିରେ ପାନ ଓ ଗୁଟୁକା ଖାଇ ଛେପ ପକାଇଲେ ଜରିମାନ ଦେବାର ବ୍ୟବସ୍ଥା ରହିଛି । ତାହକୁ ଅଧିକ କଡ଼ାକଡ଼ି କରାଯିବ । ଏଥିପାଇଁ ଜିଲ୍ଲା ପ୍ରାଶସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାର୍ଡÿ ଗଠନ କରାଯିବ । ପାନ ଓ ଗୁଟୁକା ଖାଇ ଛେପ ପକାଉଥିବା ବ୍ୟକ୍ତିମାନଙ୍କ ଠାରୁ ଏକ ହଜାରଟଙ୍କା ଲୋଖାଁଏ ଜରିମାନା ଆଦାୟ କରାଯିବ । ଶ୍ରୀମନ୍ଦିରମଧ୍ୟକୁ ଯେପରି କୌଣସି ପ୍ରକାର ପଲଥିନ୍ ପ୍ରବେଶ କରିନପାରିବ ସେଥିଲାଗି ଅଧିକ ଧ୍ୟାନ ଦିଆଯିବ । ଯଦି କୌଣସି ବ୍ୟକ୍ତି ଶ୍ରୀମନ୍ଦିରକୁ ପଲ୍ଥିନ୍ ନିଅନ୍ତି ତାଙ୍କ ଠାରୁ ଶହେ ଟଙ୍କା ଜରିମାନା ଆଦାୟ କରାଯିବ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶନର ଉତ୍ତର ଦେଇ ମୁଖ୍ୟପ୍ରଶାସକ କହିଥିଲେଯେ,ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ସମ୍ପର୍କରେ ସୋମବାର ସୁଦ୍ଧା ନିଷ୍ପତ୍ତି ନିଆଯିବ । ରୂପାଦ୍ୱାର ସମ୍ପର୍କର୍ରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ସେ କହିଥିଲେ ଯେ, ଦାତାମାନଙ୍କ ସହିତ ଆଲୋଚନା ଚାଳିଛି, ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାପକ ବିଚାର ବିମର୍ଷର ଆବଶ୍ୟକତା ରହିଛି । ତେବେ ତାହା ଖୁୁବ୍ ଶୀର୍ଘ କାର୍ଯ୍ୟକାରୀ ହେବ । ମହାପ୍ରଭୁଙ୍କ ଲାଗି ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ ଚାଲିଥିବା ସେ ସୂଚନା ଦେଇଥିଲେ ।

Comments are closed.