Odisha news

ବିବର୍ତ୍ତନ: ଜ୍ଞାନ ଦାନ୍ତ ଉଭାନ

0

ଏକ ନୂଆ ଅଧ୍ୟୟନରୁ ଜଣାଯାଇଛି ଏବେ ବି ମଣିଷର ବିବର୍ତ୍ତନ ଘଟୁଛି । ଏକଥାର ପ୍ରମାଣ ଆଜିକାଲି ପିଲାଙ୍କ ଜ୍ଞାନ ଦାନ୍ତ ଆଉ ଉଠୁନାହିଁ । ୨୫୦ ବର୍ଷ ହେଲା ଏହି କ୍ଷୀଣ ବିବର୍ତ୍ତନ ପ୍ରକ୍ରିୟା ଚାଲିଛି । ଛୋଟ ମୁହଁ, ଅତିରିକ୍ତ ଗୋଡ଼, ପାଦ ହାଡ଼ ଓ ଅଗ୍ରଭାଗରେ ଥିବା ଏକ ନୂଆ ଧମନୀ ସଙ୍କେତ ଦେଉଛି ଯେ ଆମ ଶରୀର ବଦଳୁଛି । ଅଷ୍ଟ୍ରେଲିଆ ବୈଜ୍ଞାନିକଙ୍କ ମତରେ ମାନବ ଜାତି ଏବେ କ୍ଷୀଣ ବିବର୍ତ୍ତନ ଦେଇ ଗତି କରୁଛି । ଏ ସମ୍ବନ୍ଧୀୟ ଗବେଷଣା ନିବନ୍ଧର ପ୍ରମୁଖ ଲେଖକ ଡା. ତେଘନ ଲୁକାସ୍‌ କହିଛନ୍ତି, ଅନେକ ଲୋକ ଭାବୁଛନ୍ତି ମଣିଷର ବିବର୍ତ୍ତନ ବନ୍ଦ ହୋଇଯାଇଛି । ହେଲେ ଅଧ୍ୟୟନରୁ ଜଣାପଡ଼ିଛି ୨୫୦ ବର୍ଷ ହେବ ଆମର ବିବର୍ତ୍ତନଗତ ବିକାଶ ସ୍ପଷ୍ଟଭାବେ ପରିଲକ୍ଷିତ ହେଉଛି । ବୈଜ୍ଞାନିକ ଟିମ୍‌ ଏକ ଧମନୀ ପାଇଥିଲେ ଯାହା ଜନ୍ମ ପରେ ଗାଏବ ହୋଇଯାଉଥିଲା । ଊନବିଂଶ ଶତାଦ୍ଦୀରୁ ଏଥିରେ ବ୍ୟତିକ୍ରମ ଘଟି ସେହି ଧମନୀ ବୟୋବୃଦ୍ଧି ସହିତ ଉଭାନ ହେଉନାହିଁ । ସେହିପରି ଜ୍ଞାନ ଦାନ୍ତ ଆଉ ଉଠୁନାହିଁ । ଜର୍ନଲ ଅଫ୍‌ ଆନାଟମିରେ ପ୍ରକାଶିତ ନିଷ୍କର୍ଷ ଅନୁସାରେ ମନୁଷ୍ୟ ପ୍ରଜାତି ଭିନ୍ନ ଭାବେ ବିକଶିତ ହେଉଛି । ମଣିଷର ମୁହଁ କ୍ରମଶଃ ଛୋଟ ହେବା ଯୋଗୁ ଜ୍ଞାନ ଦାନ୍ତ ପାଇଁ ମାଢ଼ିରେ ସ୍ଥାନାଭାବ ଘଟୁଛି । ପ୍ରକୃତିର ରହସ୍ୟମୟ ବିବର୍ତ୍ତନ କ୍ରମରେ ଜ୍ଞାନଦାନ୍ତ ଉଠିବା ବନ୍ଦ ହୋଇଗଲାଣି । ଜ୍ଞାନଦାନ୍ତ ସାଧାରଣତଃ ୧୩ରୁ ୨୧ ବର୍ଷ ବୟସ ମଧ୍ୟରେ ଉଠିଥାଏ । ଦନ୍ତ ଚିକିତ୍ସକଙ୍କ ମତରେ ୨୫ ବର୍ଷ ବୟସ ସୁଦ୍ଧା ଯଦି ଜ୍ଞାନ ଦାନ୍ତ ନ ଉଠେ, ତେବେ ଆଉ ଉଠିବ ନାହିଁ । ଆଗାମୀ ୮୦ ବର୍ଷ ଭିତରେ ଯେଉଁମାନେ ଜନ୍ମ ହେବେ ସେମାନଙ୍କ ମାଢ଼ିରେ ଜ୍ଞାନ ଦାନ୍ତ ଦେଖାଦେବ ନାହିଁ । ଏହାର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ଏହା ଆଧୁନିକ ମାନବର ‘ମାଇକ୍ରୋ ଇଭୋଲୁ୍ୟଶନ୍‌’ ।

Nalco
Leave A Reply