Odisha news

କୌନ୍ତେୟ ପ୍ରତିଜାନୀହି

0

ପ୍ରଫେସର ଡାକ୍ତର ମଞ୍ଜୁଶ୍ରୀ ନାୟକ : ଭଗବାନ ଶ୍ରୀକୃଷ୍ଣ ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଭକ୍ତ ଅର୍ଜ୍ଜୁନଙ୍କୁ କହିଲେ – ହେ କୁନ୍ତୀ ପୁତ୍ର, ତୁମେ ନିଶ୍ଚୟକରି ଜାଣିରଖ, ମୋ ଭକ୍ତର କଦାପି ବିନାଶ ହୁଏନାହିଁ । ଏହି ପ୍ରସଙ୍ଗରେ ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି, ମନୁଷ୍ୟ ପ୍ରବୃତ୍ତିବଶ୍ୟତାରେ ବିନଷ୍ଟ ହୁଏ । ମନୁଷ୍ୟର ର୍ଦୁଭୋଗର ମୂଳରେ ଅଛି ପ୍ରବୃତ୍ତିଜନିତ କୁକର୍ମ । କିନ୍ତୁ ସବୁ ପ୍ରବୃତ୍ତିକୁ ନେଇ ଇଷ୍ଟ ବା ଗୁରୁପୁରୁଷୋତ୍ତମଙ୍କ ଠାରେ ଅନ୍ତରାସୀ ହେଲେ ଆଉ ବିନଷ୍ଟ ହେବାର ଉପାୟ ନାହିଁ । ସବୁ ବୃତ୍ତି ସହ ଗୁରୁଙ୍କ ଠାରେ ଅଚ୍ଛେଦ୍ୟ ଭାବରେ ଚିରଦିନ ପାଇଁ ଅନ୍ତରାସୀ ହେଲେ ବିନଷ୍ଟିର ମୂଳ ମରିଯାଏ । ବୃତ୍ତିର ଅଧୀଶଙ୍କ ଠାରେ ବୃତ୍ତି ରୂପାନ୍ତରିତ ହୁଏ, ପ୍ରେମର ଦାବାଗ୍ନିରେ ଷଡ଼ରିପୁ, ଷଡ଼ଐଶ୍ୱର୍ଯ୍ୟର ନବକଳେବର ଲାଭ କରେ । ସଦ୍ଗୁରୁଙ୍କ ଠାରେ ଅଛି ଐଶ୍ୱର୍ଯ୍ୟ ଓ ଆଧିପତ୍ୟ ।

ଗୁରୁଭକ୍ତି ଓ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ଅଦମ୍ୟ ନିଶାରେ ମନୁଷ୍ୟର ପ୍ରବୃତ୍ତି ଗୁଡ଼ିକ ବିନ୍ୟସ୍ତ ଓ ସଂହତ ହୋଇଉଠେ । ସମସ୍ତ ପ୍ରବୃତ୍ତି ଏକମୁଖୀ ଓ ଅର୍ଥପୂର୍ଣ୍ଣ ହୁଏ, ନିୟନ୍ତ୍ରଣ, ସାମଞ୍ଜସ୍ୟ ଓ ସମାଧାନର ସୋପାନରେ ବିଶୃଙ୍ଖଳା ମଧ୍ୟରେ ସୁଶୃଙ୍ଖଳ ବିଧାନ ଗଢ଼ି ଉଠେ । ଆଉ ରୋଗ, ଶୋକ, ଦାରିଦ୍ର୍ୟ ଓ ମୃତୁ୍ୟ ଇତ୍ୟାଦି ଯନ୍ତ୍ରଣା ଭକ୍ତକୁ ଦବାଇପାରେ ନାହିଁ, ହଟାଇ ପାରେନାହିଁ, ଭକ୍ତ ନିରାଶ ହୁଏନାହିଁ, ହତାଶ ହୁଏନାହିଁ, କ୍ରିୟାଶୀଳ ଓ ଆଶାବାଦୀ ମନରେ ଦୁର୍ଗତି ସବୁ ଦୁର୍ଗ ହୋଇ ଜୀବନଯୁଦ୍ଧରେ ଭକ୍ତ ବିଜୟ ପ୍ରାପ୍ତ ହୁଏ ।

କଥା ପ୍ରସଙ୍ଗରେ ପ୍ରେମାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ଭକ୍ତି ପରି ଆଉ ଜିନିଷ ନାହିଁ । ଭଗବତ୍ ଗୀତାର ଦ୍ୱାଦଶ ଅଧ୍ୟାୟରେ ଦ୍ୱିତୀୟ ଶ୍ଲୋକରେ ନିତ୍ୟଯୁକ୍ତା କଥା ଶୁଣି ଶ୍ରୀ ଶ୍ରୀ ଠାକୁର କହିଲେ, ଭକ୍ତିର ଲକ୍ଷଣ ହେଲା ସର୍ବଦା ଯୁକ୍ତ ରହିବା । ଇଷ୍ଟଙ୍କୁ ବାଦ ଦେଇ ଏକ ମୁହୂର୍ତ୍ତ ମଧ୍ୟ ଭକ୍ତକୁ ଭଲ ଲାଗେନାହିଁ । ଇଷ୍ଟ ବିସ୍ମୃତି ହେଲେ ଭକ୍ତର ପ୍ରାଣ ହାହାକାର ହୋଇଉଠେ । ଇଷ୍ଟ ଚିନ୍ତା ଓ ଇଷ୍ଟ କର୍ମ ହିଁ ଭକ୍ତର ଜୀବନ ସୂତ୍ର । ଭକ୍ତ ଯିଏ ସେ ସମସ୍ତଙ୍କ ପ୍ରତି ଦ୍ୱୈଷହୀନ, ମୈତ୍ରୀଭାବପୂର୍ଣ୍ଣ ଓ ସଦୟ । ସେ ଦେଖେ ପ୍ରତିଟି ସତ୍ତା ମଧ୍ୟରେ ପରମପିତାଙ୍କର ଅଧିଷ୍ଠାନ । ଉର୍ଦ୍ଧମୂଳଂ ଅଧଃଶାଖଂ ବ୍ୟାପାରରେ ଶ୍ରୀ ଶ୍ରୀ ଠାକୁର କହିଲେ ମନୁଷ୍ୟର ମୂଳ ଅର୍ଥାତ୍ ମସ୍ତିଷ୍କ ଇଷ୍ଟ ବା ଗୁରୁପୁରୁଷୋତ୍ତମଙ୍କୁ ବିନ୍ୟସ୍ତ କଲେ ଅନିଷ୍ଟ ପ୍ରେରଣାର ବିନାଶ ହୁଏ । ନାମଧ୍ୟାନ କଲେ ମସ୍ତିଷ୍କର ଗଭୀରତମ ସ୍ତରରେ କୃଷ୍ଣ ବା ଇଷ୍ଟଙ୍କର ପ୍ରଭାବ ପଡ଼େ ଓ ଚେତନ ବା ଅବଚେତନ ସ୍ତରରେ କୃଷ୍ଣ ବା ଇଷ୍ଟଭାବ ଜାଗ୍ରତ ହୁଏ ।

ବହୁଜନ୍ମ ପରେ ଜ୍ଞାନବାନ ବୁଝିପାରନ୍ତି ଯେ ବାସୁଦେବ (ବସୁଦେବଙ୍କ ପୁତ୍ର) ହିଁ ସର୍ବାବସ୍ଥାରେ ବିରାଜମାନ ଓ ଜ୍ଞାନ ଓ ଭକ୍ତିର ଚରମ ପରାକାଷ୍ଠା । କଳ୍କୀ ଅବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ମୋର ମା’ କଲିକତାର ହରିତକୀ ବାଗାନ୍ରେ କୋଇଲା ପାଉଁଶ ଭିତରୁ ଛୋଟ ଛୋଟ କୋଇଲା ବାଛି ଧୋଇ ରଖୁଥିଲେ । ଏହାଦେଖି ଜନୈକ ଭଦ୍ରବ୍ୟକ୍ତି କହିଲେ – ସ୍ୱୟଂ ମା’ କେତେ ବିଷୟାସକ୍ତ? ମା’ ଏହାର ଉତ୍ତରରେ କହିଥିଲେ – ମୁଁ ମୋ ପିଲାର ସ୍ୱାର୍ଥ ଦେଖୁଛି । ମା’ ଯେପରି ଭାବରେ ସନ୍ତାନର ସ୍ୱାର୍ଥ ଦେଖେ ଭକ୍ତ ସେହିପରି ଭାବରେ କୃଷ୍ଣଙ୍କର ସ୍ୱାର୍ଥ ଦେଖିଲେ ବାସୁଦେବ ସର୍ବମିିତି ସ ମହାତ୍ମା ସୁଦୁର୍ଲ୍ଲଭ ଭାବ ଜାଗ୍ରତ ହୁଏ ।

“ନାସ୍ତିବୁଦ୍ଧିର ଯୁକ୍ତସ୍ୟ ନଚାଯୁକ୍ତସ୍ୟ ଭାବନା’…… ଶ୍ରୀ ଶ୍ରୀ ଠାକୁର କହିଲେ ଗୁରୁ ବା କୃଷ୍ଣଙ୍କ ସହିତ ଅଯୁକ୍ତ ବ୍ୟକ୍ତିର ବୁଦ୍ଧି ଦିଶାହୀନ, ଭାବନା ଗତିହୀନ, ଭାବନାଶୀଳ ଯେ ନୁହେଁ ତାର ଶାନ୍ତି ଓ ସୁଖ ସୁଦୂର ପରାହତ । “ମୟିସର୍ବାଣି କର୍ମାଣି ସଂନ୍ୟସ୍ୟାଧ୍ୟାତ୍ମଚେତଷା’….. ଶ୍ରୀ ଶ୍ରୀ ଠାକୁର କହିଲେ – ଯାବତୀୟ କର୍ମ ଆଧ୍ୟାତ୍ମ ଚେତନାର ସଙ୍ଗେ ମତେ ସଂନ୍ୟସ୍ତ କର, ନିରାଶୀନିର୍ମମ ଓ କାମନା, ବାସନାଜନିତ ତାପମୁକ୍ତ ହୋଇ ଯୁଦ୍ଧକର । ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଲେ – “ମନ୍ମନାଭବମଦଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ’ – ଅର୍ଥ ତୁମେ ମୋର ଚିତ୍ତଗତ ହୁଅ, ମୋର ଭଜନାକର, ମୋର ଯାଜନକର, ମୋତେ ନମସ୍କାର କର, ତାହାଲେ ମୋତେ ପ୍ରାପ୍ତ ହେବ, ତୁମେ ମୋର ପି୍ରୟ, ତୁମ ପାଖରେ ଏହି ପ୍ରତିଜ୍ଞା ମୁଁ କରୁଅଛି । ସମସ୍ତ ଗୀତା ସହସ୍ର କଣ୍ଠରେ ଏହି ଇଷ୍ଟପ୍ରାଣ ଓ କୃଷ୍ଣପ୍ରାଣ ହେବା ପାଇଁ ମନୁଷ୍ୟ ଜାତିକୁ ଆହ୍ୱାନ ଜଣାଇଛି ।

ଅବତାର ପୁରୁଷମାନେ କ’ଣ ବିଭିନ୍ନ ସ୍ତରର? ଏହି ପ୍ରସଙ୍ଗରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ପ୍ରତିପଦର ଚନ୍ଦ୍ର, ଦ୍ୱିତୀୟାର ଚନ୍ଦ୍ର, ସପ୍ତମୀର ଚନ୍ଦ୍ର ଓ ପୂର୍ଣ୍ଣିମାର ଚନ୍ଦ୍ର ଏକ, ଯଦିଓ ଆମେମାନେ ଅଜ୍ଞତାର ଛାୟା ଭିତରେ ଏହାକୁ ଛୋଟବଡ଼ ଦେଖୁ । ଜନୈକ ଭକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ଗୋବର୍ଦ୍ଧନ ଧାରଣର ତାତ୍ପର୍ଯ୍ୟ ଜିଜ୍ଞାସା କରିବାରୁ ଶ୍ରୀ ଶ୍ରୀ ଠାକୁର କହିଲେ – ଗୋ ମାନେ ପୃଥିବୀ । ପୃଥିବୀର ବର୍ଦ୍ଧନ ବା ମନୁଷ୍ୟ ଜାତିର ବର୍ଦ୍ଧନକୁ ଯିଏ ଧାରଣ କରନ୍ତି ସେ ହିଁ ଗୋବର୍ଦ୍ଧନଧାରୀ । ଭକ୍ତ ହିସାବରେ ଅର୍ଜ୍ଜୁନ ଓ ହନୁମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ଅର୍ଜ୍ଜୁନଙ୍କୁ ଭଗବାନ କୃଷ୍ଣ ଅନେକ ବୁଝାଇ ସୁଝାଇ ଧର୍ମଯୁଦ୍ଧରେ ରାଜି କରାଇଥିଲେ, କିନ୍ତୁ ହନୁମାନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଇଛାବୁଝି ତାଙ୍କ ଆଦେଶର ଅପେକ୍ଷା ନରଖି ତଦନୁଯାୟୀ କାର୍ଯ୍ୟ କରୁଥିଲେ ।

କୁଳମାଲିକ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଏହି ପ୍ରସଙ୍ଗରେ କହିଲେ – ସେଥିପାଇଁ ଅର୍ଜ୍ଜୁନଙ୍କର ରଥର ନାମ କପିଧ୍ୱଜ । କପି ମାନେ ହନୁମାନ ଓ ଧ୍ୱଜ ମାନେ ଚୂଡ଼ା, ଅର୍ଜ୍ଜୁନଙ୍କର ରଥର ଅଗ୍ରଣୀ ଚାଳକ ଶକ୍ତି ହେଲେ ହନୁମାନ । ଶ୍ରୀଗୁରୁ ଭଗବାନ କୃଷ୍ଣଙ୍କର ମହାପ୍ରୟାଣ ସମ୍ପର୍କରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ମୋର କେତେ ଗୁଡ଼ିଏ ଧାରଣା ଅଛି, ମନେହୁଏ ସତ୍ୟ । ମନେହୁଏ ଏକ ଝଙ୍କାଳିଆ ନିମଗଛର ମୋଟା ଡାଳରେ ଭଗବାନ କୃଷ୍ଣ ଡେରି ହୋଇ ଗୋଡ ଝୁଲାଇ ବସିଥିଲେ । ଏହି ସମୟରେ ଗୋଟିଏ ତୀର ଆସି ତାଙ୍କର ପାଦବିଦ୍ଧ କଲା । ସେ ମାଟିରେ ପଡ଼ିଗଲେ ଓ କିଛି ସମୟ ପରେ ଦେହରକ୍ଷା କଲେ । ସବୁଘଟଣା ଖୁବ୍ ସ୍ପଷ୍ଟ ମନେହୁଏ । ବ୍ୟାପାରଟା ଅକସ୍ମାତ ଘଟିଗଲା ।

“ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ’ – ଏହି ପ୍ରସଙ୍ଗରେ ଯୁଗାବତାର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ – ତୁମର ମନଗଢ଼ା ଯେତେ ଧର୍ମ ସେ ସବୁ ପରିତ୍ୟାଗ କରି ଏକମାତ୍ର ମୋତେ ରକ୍ଷା କରିଚାଲ, ମୁଁ ତୁମକୁ ସବୁ ପାପରୁ ମୁକ୍ତ କରିବି । ଶରଣଂ ବ୍ରଜ ଅର୍ଥରେ ଶ୍ରୀ ଶ୍ରୀ ଠାକୁର କହିଲେ – ମୋତେ ରକ୍ଷା କରିଚାଲ । ମୋର ସ୍ୱାର୍ଥ ଓ ନିୟମକୁ ନଷ୍ଟ କରିବାକୁ ଦିଅନାହିଁ । ମୋର ପରିପନ୍ଥୀ କିଛି କରନାହିଁ । ଏହାର ଅର୍ଥ ମୂର୍ତ୍ତ ଇଷ୍ଟଙ୍କୁ ଧରିବାକୁ ହେବ । ତାଙ୍କଠାରେ ଯୁକ୍ତ ହେବାକୁ ହେବ, ଅନ୍ୟ ସବୁ ବିବେଚନା ଛାଡ଼ିଦେଇ ଗୁରୁଙ୍କର ସ୍ୱାର୍ଥ ପ୍ରତିଷ୍ଠାକୁ ଅଖଣ୍ଡ ରଖି ଚାଲିବାକୁ ହେବ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ସ୍ୱହସ୍ତ ଲିଖିତ ସତ୍ୟାନୁସରଣରେ ମୁକ୍ତ କଣ୍ଠରେ କହିଲେ – ଭାରତ! ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧାସମ୍ପନ୍ନ ହୁଅ ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ହୁଅ ଓ ସେହି ମାନଙ୍କୁ ହିଁ ସ୍ୱୀକାର କର ଯେଉଁମାନେ ତାଙ୍କୁ ଭଲପାଆନ୍ତି କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆର୍ବିଭାବ ।

Leave A Reply