Odisha news

ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀପତ୍ର

0

ତାଳଚେର ତା ୨୫/୦୬ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ଗସ୍ତ ଅବସରରେ   ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବର୍ତମାନ ଓଡିଶା ସରକାର ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ତାଳଚେର-ପାଲଲହଡା-ପରଜଙ୍ଗ-କଙ୍କଡାହାଡ-କଣିହାଁ ବ୍ଲକ ଅଂଚଳକୁ ନେଇ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ କରିବା ପାଇଁ ତାଳଚେରବାସୀ ଦାବୀ କରୁଛନ୍ତି । ୧୯୯୩ ମସିହା ଠାରୁ ୧୩ ରୁ ୩୦ ଜିଲ୍ଲା ଗଠନ ସମୟରେ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ପାଇଁ ତାଳଚେରବାସୀ ଦାବୀ କରିଥିଲେ । ତତ୍ କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ସେତେବେଳେ ତାଳଚେରବାସୀଙ୍କୁ ପ୍ରତିଶୃତି ଦେଇଥିଲେ ୩୧ ନଂ ଜିଲ୍ଲା ହେଲେ ତାଳଚେରକୁ ଜିଲ୍ଲାର ମାନ୍ୟତା ଦିଆଯିବ । ବର୍ତମାନ ରାଜ୍ୟ ସରକାର ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ କରିଥିବାରୁ ତାଳଚେରବାସୀ ଜିଲ୍ଲା ଦାବୀ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨୦୦ ରୁ ଅଧିକ ଦିନ ହେବ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସିଛନ୍ତି ।  ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବୀ ଉପସ୍ଥାପନା ପାଇଁ ତାଳଚେରବାସୀଙ୍କ ପକ୍ଷରୁ ବିଧାନସଭା ସମ୍ମୁଖରେ ଗତ ଫେବୃୟାରୀ ୨୧ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ଦାବୀ ନେଇ ଏକ ସ୍ମାରକପତ୍ର ନବୀନ ନିବାସରେ ଓ.ଏସ୍‌.ଡି. ରୀତାରାଣୀ ମହାପାତ୍ରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ତାଳଚେରବାସୀ କେନ୍ଦ୍ରମନ୍ତ୍ରୀଙ୍କ ଜରିଆରେ ଓଡିଶା ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରିବା ପାଇଁ ତାଳଚେରବାସୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ଚୈତନ୍ୟ ପ୍ରଧାନ, ସାଧାରଣ ସଂପାଦକ ବିଭୁତି ପଟ୍ଟନାୟକ, କୋଷାଧ୍ୟକ୍ଷ ସୁକାନ୍ତ ଦାସ, ବଳରାମ କୁଣ୍ଡ, ଶୋଭାଗିନୀ ଦାସ, ଆଡଭୋକେଟ୍ ଉଚ୍ଛନ୍ନ ପଟ୍ଟନାୟକ, ଅର୍ଜୁନ ଭୂତିଆ, ବିରେନ୍ଦ୍ର ଖଣ୍ଡୁଆଳ, ଅଭୟ ପାଣି, ଅନ୍ତର୍ଜାମୀ ପ୍ରଧାନ, ପଦ୍ମନାଭ ସାହୁ, ସଂଜୀବ ନାଏକ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply