Odisha news

ତୋରଣ ଆଲୋକମାଳାରେ ଝଲସୁଛି ତାଳଚେର : ୬ଷ୍ଠ ଦିନରେ ଗଣେଶପୂଜା , ସରଗରମ ପୂଜା ମାହୋଲରେ ଜନସମୁଦ୍ର

0

ତାଳଚେର ତା ୦୫/୦୯ ଅଗ୍ରପୂଜ୍ୟ ଗଜାନନଙ୍କ ଭସାଣୀ ଉତ୍ସବ ଯେତିକି ପାଖେଇ ଆସୁଛି ତାଳଚେର ଅଂଚଳରେ ଦିନକୁ ଦିନ ସେହି ପରିମାଣରେ ଦର୍ଶକଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ପାଇବାରେ ଲାଗିଛି । ଅପରାହ୍ଣ ୫ଘଟିକା ସମୟରୁ ରାତ୍ରୀ ୧୦ଘଟିକା ପର୍ଯ୍ୟନ୍ତ ହାଣ୍ଡିଧୂଆଁ ଠାରୁ ଆରମ୍ଭକରି ଶର୍ମାଛକ, ଆଇଟିଆଇଛକ, ହାଟତୋଟା ଅଂଚଳ, ବସଷ୍ଟାଣ୍ଡଛକ, ବାଇପାସ୍ ଛକ,  ଫାଷ୍ଟଗେଟ୍‌, ରାମଚନ୍ଦ୍ର ବଜାର, ହନୁମାନପଡ଼ା, ମହାବଳପଡ଼ା, ବଡ଼ବଜାର ବଜାର, ବଉଲଛକ, ନୂଆବଜାର, ଭୈରବୀ ସାହି, ସିଂହସାହି, ବଡ଼ଦାଣ୍ଡସାହି, କାରଗିଲଗ୍ରୁପ୍‌, ଘୋଡ଼ାଶାଳ ଛକ, ବାପୁଜୀନଗର, ମ୍ୟୁନିସ୍ପାଲିଟି, ଲିଙ୍ଗରାଜ ରୋଡ଼୍‌, ଜାମ୍ବୁବଣିଆ ସାହି, କୁମ୍ଭାର ସାହି ପ୍ରାୟ ୫କିମି ବ୍ୟାପି ୭୦ରୁ ଉର୍ଦ୍ଧ୍ୱ ଛୋଟବଡ଼ ପୂଜାମଣ୍ଡରେ ପ୍ରଭୂ ଗଜାନନ ପୂଜା ପାଉଛନ୍ତି । ଏସବୁ ଅଂଚଳରେ ଗୁଡ଼ିକରେ ଓଡ଼ିଶାର କୋଣ ଅନୁକୋଣ ଏପରିକି ରାଜ୍ୟ ବାହାରୁ ବିଭିନ୍ନ କିସମର ଦୋକାନ ବଜାର, ଭଳିକି ଭଳି ଚାଟ୍‌, ଗୁପଚୁପ୍‌, ଦୋଳି ମନହରିରେ ଅଂଚଳଟି ପୂରୀଉଠିଛି ଏବଂ ପାଗ ଅନୁକୂଳ ଥିବାରୁ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ କାରବାର ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି । ପ୍ରତ୍ୟେକ ପୂଜା ମଣ୍ଡପ ଅଂଚଳରେ ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଆକର୍ଷିତ ତୋରଣମାନ ଦର୍ଶକମାନଙ୍କ ମନଙ୍କୁ ଆନନ୍ଦିତ କରି ପକାଉଛି । ଏହି ଭିଡ଼କୁ ଆଖି ଆଗରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ଗୁଡ଼ିକରେ ଅସ୍ଥାୟୀ କ୍ୟାମ୍ପ କରିବା ସହିତ ବିଭିନ୍ନ ସ୍ଥାନ ମାନଙ୍କରେ ପୋଲିସ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗ  ପକ୍ଷରୁ ଛୋଟମୋଟ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ଗଣେଶପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ଦୁଇଟି ବିଭାଗ ଯଥା ‘କ’ ଓ ‘ଖ’ ବିଭାଗରେ ଏମାନଙ୍କୁ ନିୟୋଜିତ କରାଯାଇଛି । ତେବେ ହାଟତୋଟା ପ୍ରଜାମଣ୍ଡଳ ଭବନ ଠାରେ ମହିଳା ଓ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ କିସମର ଦୋଳି, ମୀନାବଜାର, ହସ୍ତଶିଲ୍ପୀ ପଡ଼ିଥିବାରୁ ଏହି ସ୍ଥାନରେ ଲୋକଙ୍କ ଭିଡ଼ ଅଧିକ ହୋଇଥିବା ପରିଲକ୍ଷିତ କରାଯାଇଛି । ତାଳଚେର ପୌରପରିଷଦ ପକ୍ଷରୁ ଅସ୍ଥାୟୀ ପରିଶ୍ରାଗାର ବିଭିନ୍ନ ସ୍ଥାନରେ କରାଯାଇ ନଥିବାରୁ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହର ମଧ୍ୟରେ ରହିଥିବା ବିଦେଶୀ ମଦ ଦୋକାନ ଗୁଡ଼ିକ ଖୋଲା ଥିବାରୁ ମଦର ବନ୍ୟା ଛୁଟି ଚାଲିଥିବା ସାଙ୍ଗକୁ ମଦ୍ୟପୀ ମାନଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ଡ଼୍ୟୁଟିରେ ଥିବା ପୋଲିସ୍ ନିଜ ନିଜ ମୋବାଇଲରେ ଘଂଟାଘଂଟା ଧରି ବ୍ୟସ୍ତ ରହୁଥିବା ସାଙ୍ଗକୁ ଆଉ କିଏ ନିଜ ଡ଼୍ୟୁଟି ସ୍ଥାନ ଗୁଡ଼ିକରେ ନରହି ଗୁପ୍‌ଚୁପ ଚାଟ୍ ଖାଇବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମଳିଛି । ଏହାର ସୁଯୋଗ ନେଇ ରୋମିଓମାନେ ଫଟାସାଇଲେନ୍ସର ଗାଡ଼ି ଧରି କାନଫଟା ଆବାଜ ସହ ଉଚ୍ଚଶଦ୍ଦର ହର୍ଣ୍ଣ ବଜାଇ ଭିଡ଼ଭିତରେ ଗାଡ଼ି ଛାଡ଼ି ଅଶାନ୍ତି ବାତାବରଣ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ପୁନଶ୍ଚ ଗଣେଶ ପୂଜା ପୂର୍ବରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲାଇନ ସଜାଡ଼ିବାକୁ ନେଇ ସକାଳ ୯ଘଟିକା ଠାରୁ ଅପରାହ୍ଣ ୩ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ କରାଯାଇଥିଲା କିନ୍ତୁ ବିଦ୍ୟୁତ୍ ବିଭାଗ ନିଜର କାର୍ଯ୍ୟ ସଠିକଭାବେ କରିପାରି ନଥିବାରୁ ପ୍ରସଦ୍ଧ ଗଣେଶ ପୂଜା ଅବସରରେ ବାରମ୍ବାର ବିଦ୍ୟୁତ୍ କାଟ୍ ଲୁଚକାଳି ଖେଳୁଥିବାରୁ ପୂଜାମାହୋଲ ଫିକା ପଡ଼ୁଛି । ତେବେ ଫାଷ୍ଟଗେଟ୍ ଠାରେ କେନ୍ଦ୍ରୀୟ ପୂଜାକମିଟି ପକ୍ଷରୁ ଲୋକଙ୍କ ଆକୃଷ୍ଟ କରିବା ପାଇଁ ଏକ ଅସ୍ଥାୟୀ ମଂଚ କରାଯାଇ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ କରିବା ସହିତ ନାଚ ଗୀତରେ ଦର୍ଶକ ଝୁମୁଥିବା ଦେଖିବାକୁ ମିଳିଛି ।

Nalco
Leave A Reply