ପ୍ରଫେସର ଡାକ୍ତର ମଦନ ମୋହନ ସାହୁ : ଭଗବାନଙ୍କୁ ପାଇବା ପାଇଁ ଆମର ଧର୍ମ ଆମକୁ ବିଭିନ୍ନ ମାର୍ଗ ଦେଖାଇଛି ସେଥିପାଇଁ ରାମକୃଷ୍ଣ ପରମହଂସ କହିଛନ୍ତି “ଯତ ମତ ତତ ପଥ’ ଅର୍ଥାତ୍ ବିଭିନ୍ନ ଧର୍ମ ମତରେ ବିଭିନ୍ନ ପଥ ନିଦେ୍ର୍ଦଶ କରାଯାଇଥିଲେ ମଧ୍ୟ ସେ ସବୁ ପଥ ପରମାତ୍ମାଙ୍କୁ ପାଇବାର ଏକ ମାର୍ଗ । ପରମାତ୍ମ କିନ୍ତୁ ଦିବ୍ୟାନନ୍ଦରେ ପରିପୂର୍ଣ୍ଣ ନଈଟିଏ ପରି ଚରି ପ୍ରବହମାନ । ସେହି ନଦୀର ଯେକୌଣସି ଘାଟର ଜଳରେ ଆମେ ସ୍ନାନ କରିପାରୁ । ଏହି ମହାନ ଆଧ୍ୟାତ୍ମିକ ପୁରୁଷ ସମସ୍ତଙ୍କ ପାଇଁ ଗୋଟିଏ ଜୀବନ ଧର୍ମ ଶିକ୍ଷା ଦେଇଛନ୍ତି ତାହା ହେଉଛି – “ଘାଟ ଅନେକ ହୋଇଥାଏ କିନ୍ତୁ ନଈ ଗୋଟିଏ’ । ଅର୍ଥାତ୍ ଗୋଟିଏ ନଈରେ ଅନେକ ଘାଟ ଥାଏ ।
ଯେ କୌଣସି ଘାଟର ଜଳରେ ଆମେ ସ୍ନାନ କରିପାରୁ । ସେହିପରି ଆମେ ଯେଉଁ ଈଶ୍ୱରଙ୍କ ଠାରେ ବିଶ୍ୱାସ ପୋଷଣ କରୁନା କାହିଁକି ତାଙ୍କୁ ପାଇବାକୁ ଯେଉଁ ଉପାୟ ଅବଲମ୍ବନ କରୁନା କାହିଁକି ଯଦି ଆମେ ତାହା ଗଭୀର ଭକ୍ତି ଓ ଶୁଦ୍ଧ ହୃଦୟରେ କରୁ ତାହାହେଲେ ଆମେ ଭଗବାନଙ୍କୁ ଲାଭ କରିପାରୁ । ଉନବିଂଶ ଶତାବ୍ଦୀରେ ଧାର୍ମିକ କ୍ଷେତ୍ରରେ ଶ୍ରୀରାମକୃଷ୍ଣ ପରମହଂସ ସବୁଠୁ ଉଚ୍ଚ ସ୍ଥାନରେ ବିରାଜମାନ କରିଥିବା ଜଣେ ରହସ୍ୟମୟ ତଥା ମହାନ ଯୋଗୀ ପୁରୁଷ ଥିଲେ । ବେଶ ସରଳ ଶବ୍ଦରେ ଆଧ୍ୟାତ୍ମିକ ବାକ୍ୟଗୁଡ଼ିକୁ ସାଧାରଣ ଲୋକଙ୍କ ସମ୍ମୁଖରେ ପ୍ରକାଶ କରୁଥିଲେ । ଯେଉଁ ସମୟରେ ହିନ୍ଦୁ ଧର୍ମ ବିରାଟ ସଙ୍କଟର ସମ୍ମୁଖୀନ ହୋଇଥିଲା ସେତେବେଳେ ଶ୍ରୀ ରାମକୃଷ୍ଣ ପରମହଂସ ଏକ ନୂଆ ଆଶାର କିରଣ ସାଜି ଉଭା ହୋଇଥିଲେ । ତାଙ୍କ ପାଖରେ ଅଦ୍ଭୁତ ଶକ୍ତି ଥିଲା । କୁହାଯାଏ ଶ୍ରୀ ରାମକୃଷ୍ଣ ପରମହଂସ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ।
୧୮୩୬ ମସିହା ମେ ୧୮ (ତିଥି ଅନୁସାରେ ଫାଲଗୁନ ଶୁକ୍ଳ ଦ୍ୱିତୀୟା ଏ ବର୍ଷ ତାଙ୍କର ୧୮୫ତମ ଜନ୍ମ ଦିନ ପାଳନ ହେଉଛି ୧୫ ମାର୍ଚ୍ଚ)ରେ ରାମକୃଷ୍ଣ ପରମହଂସ ପଶ୍ଚିମବଙ୍ଗର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିବାରୁ ବେଶ ଧାର୍ମିକ ଚିନ୍ତାଧାରା ତାଙ୍କ ପାଖରୁ ପିଲାଟି ଦିନରୁ ବାରି ହୋଇପଡ଼ୁଥିଲା । ସାଧାରଣ ପିଲାଙ୍କ ଭଳି ରାମକୃଷ୍ଣଙ୍କର ସ୍କୁଲ ଯିବା, ପାଠ ପଢ଼ିବା, ଲେଖାଲେଖି ପ୍ରତି ଆଦୌ ରୁଚି ନଥିଲା । ସବୁବେଳେ ଆଧ୍ୟାତ୍ମ ଚିନ୍ତାଧାରା ପ୍ରତି ଢ଼ଳି ରହୁଥିଲେ । କମ୍ ବୟସରୁ ସେ ବୟସ୍କଙ୍କ ଭଳି ବିଚାର କରିପାରୁଥିଲେ । ପିଲା ଦିନରୁ ହିଁ ତାଙ୍କର ଭାରତୀୟ ଆଧ୍ୟାତ୍ମିକ ନାଟକ ପ୍ରତି ଅଧିକ ଆଗ୍ରହ ଥିଲା । ଯେତେବେଳେ ସେ ମାତ୍ର ୧୬ ବର୍ଷ ବୟସର ହୋଇଥିଲେ ତାଙ୍କ ଭାଇଙ୍କ ସହ କୋଲ୍କାତା ଚାଲିଗଲେ । ସେଠାରେ ଦେବୀ କାଳୀଙ୍କର ଏକ ମନ୍ଦିର ଥିଲା । ଏହି ମନ୍ଦିରରେ ରାମକୃଷ୍ଣଙ୍କ ଭାଇ ଥିଲେ ଜଣେ ପୂଜାରୀ । ଯେତେବେଳେ ତାଙ୍କ ମୃତୁ୍ୟ ହେଲା ଶ୍ରୀ ରାମକୃଷ୍ଣ ମନ୍ଦିରର ପୂଜାରୀ ଦାୟିତ୍ୱ ନିର୍ବାହ କଲେ ।
ପୂଜା କରିବା ବେଳେ ଶ୍ରୀ ରାମକୃଷ୍ଣ ସମ୍ପୂର୍ଣ୍ଣ ଭାବେ ଦେବୀ କାଳୀଙ୍କ ଧ୍ୟାନରେ ଲୀନ ହୋଇଯାଉଥିଲେ । ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଦେବୀଙ୍କୁ ଧ୍ୟାନ କରୁଥିଲେ । ଏ ସମୟରେ ଜଣେ ପୂଜାରୀଙ୍କ କର୍ତ୍ତବ୍ୟକୁ ସେ ଭୁଲିଯାଉଥିଲେ । ଧୀରେ ଧୀରେ ସେ ଦେବୀ କାଳୀଙ୍କ ଧ୍ୟାନରେ ଏତେ ନିମଗ୍ନ ରହିଗଲେ ଯେ ଯୁଆଡ଼େ ଚାହିଁଲେ ତାଙ୍କୁ କେବଳ ମା’କାଳୀଙ୍କ ଆଭାସ ହେଲା । ସେ ନିଜ ଜୀବନ କାଳରେ ନା ଗୋଟିଏ ପୁସ୍ତକ ରଚନା କରିଥିଲେ ନା ପ୍ରବଚନ ଦେଇଥିଲେ । କିନ୍ତୁ ପ୍ରକୃତି ଏବଂ ଦୈନନ୍ଦିନ ଜୀବନର ଉଦାହରଣ ନେଇ ଖୁବ୍ ସରଳ ଭାଷାରେ ଲୋକଙ୍କୁ ବୁଝାଉଥିଲେ । ସେ ଯାହାକୁ ଯେବେ ବି କିଛି ଶିକ୍ଷା ଦେଉଥିଲେ, ତାହା ଏତେ ସୁନ୍ଦର ଭାବେ ପ୍ରକାଶ କରୁଥିଲେ ଯେ ଶୁଣୁଥିବା ଲୋକ ତୁରନ୍ତ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଥିଲା । ତାଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷାକୁ ନେଇ ୧୯୪୨ରେ ଦି ଗୋସ୍ପେଲ ଅଫ୍ ଶ୍ରୀରାମକୃଷ୍ଣ ନାମରେ ଏକ ଇଂରାଜୀ ପୁସ୍ତକ ପ୍ରକାଶିତ ହୋଇଥିଲା । ଯାହା ଆଜି ବି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସକ୍ଷମ ହୋଇଛି ।
ଯେଉଁଭଳି ଭାବେ ଏକ ଫୁଲ ଚାରିପାଖେ ମହୁମାଛି ଘୁରି ବୁଲିଥାନ୍ତି ସେଭଳି ଭାବେ ଶ୍ରୀରାମକୃଷ୍ଣଙ୍କ ଆଧ୍ୟାତ୍ମିକ ବାଣୀ ଶୁଣିବାକୁ ଦୂରଦୂରାନ୍ତରୁ ଭକ୍ତଗଣ ତାଙ୍କ ପାଖକୁ ଆସୁଥିଲେ । ସେ ନିଜ ଭକ୍ତଙ୍କୁ ଦୁଇ ଭାଗରେ ବିଭକ୍ତ କରିଥିଲେ । କିଛି ଭକ୍ତ ଗୃହସ୍ଥି ସମ୍ଭାଳୁଥିଲେ । ଅନ୍ୟ ବର୍ଗ ମଧ୍ୟମ ବର୍ଗର ଯୁବପିଢ଼ି ଥିଲେ । ଯେଉଁମାନେ ଗୃହସ୍ଥି ବର୍ଗରେ ଥିଲେ, ସେମାନଙ୍କୁ ପରମହଂସ ପରିବାରର ମୁଖ୍ୟ ଦାୟିତ୍ୱ ସମ୍ଭାଳିବା ସହ କେଉଁଭଳି ପ୍ରକାରେ ଭଗବାନଙ୍କ ଅନୁଭୂତି ମିଳିପାରିବ ତାହା ଶିକ୍ଷା ଦେଉଥିଲେ । ଦ୍ୱିତୀୟ ବର୍ଗଙ୍କ ମାଧ୍ୟମରେ ନିଜର ସନେ୍ଦଶକୁ ସର୍ବତ୍ର ପହଞ୍ଚାଉଥିଲେ । ଏହି ଭକ୍ତଗଣଙ୍କ ମଧ୍ୟରେ ସର୍ବପ୍ରଥମରେ ଥିଲେ ସ୍ୱାମୀ ବିବେକାନନ୍ଦ । ସେ ବେଦାନ୍ତର ସନେ୍ଦଶ ପୁରା ଦୁନିଆରେ ପହଞ୍ଚାଇଥିଲେ । ୧୮୮୫ରେ ରାମକୃଷ୍ଣ ପରମହଂସ ଗଳା କ୍ୟାନସରରେ ପୀଡ଼ିତ ହେଲେ । ଉତ୍ତମ ଚିକିତ୍ସା ପ୍ରଦାନ ସତ୍ତ୍ୱେ ଦିନ ଗଡ଼ିବା ସାଙ୍ଗକୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହେଲା । ଶେଷରେ ୧୮୮୬ ମସିହା ଅଗଷ୍ଟ ୧୬ରେ ସେ ଶେଷନିଃଶ୍ୱାସ ତ୍ୟାଗ କଲେ ।