Odisha news

ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୬ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର ହେଲେ ସୁର

0

ଭୁବନେଶ୍ବର: ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ୬ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳ ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ବିଧାୟକ ଶ୍ରୀ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ରାଜଧାନୀର ବିଭିନ୍ନ ପାର୍କ ଓ କ୍ରୀଡ଼ା କାର୍ଯ୍ୟକ୍ରମରେ ନିଜ ପୁଅଙ୍କ ପାଇଁ କଂଗ୍ରେସରେ ରହି ସୁର ଭୋଟ୍‌ ମାଗୁଥିବାର ଅଭିଯୋଗ ହୋଇଥିଲା। ଏନେଇ କଂଗ୍ରେସ ପକ୍ଷରୁ ତାଙ୍କୁ ଦୁଇ ଦୁଇ ଥର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ନୋଟିସ୍ ପାଇଁ ସୁର କେତେବେଳେ ଗଣମାଧ୍ୟମକୁ ଦାୟୀ କରିଥିଲେ ତ ଆଉ କେତେବେଳେ ଅନ୍ୟ ଦଳ ପାଇଁ ପ୍ରଚାର କରି ନ ଥିବା ନେଇ ସଫେଇ ରଖିଥିଲେ। ନିଜକୁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ ବୋଲି ଦାବି କରିବା ସହ ଜୀବନର ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ବୋଲି ବାରମ୍ବାର କହି ଆସୁଥିଲେ। କାରଣ ଦର୍ଶାଅ ନୋଟିସ୍‌ର ସୁର ଜବାବ ରଖିଥିଲେ ହେଁ ତାହାକୁ ଦଳ ଗ୍ରହଣ କରିନାହିଁ।

କାର୍ଯ୍ୟାନୁଷ୍ଠାନ ପରେ ଗଣମାଧ୍ୟମକୁ ଶ୍ରୀ ରାଉତରାୟ କହିଛନ୍ତି, ଏଥିରେ ମୋର କିଛି ଆପତ୍ତି ନାହିଁ। କଂଗ୍ରେସ ବହିଷ୍କାର କଲେ ବି ରହିବି ଓ ନ କଲେ ବି ରହିବି। ହାଇକମାଣ୍ଡ କିଛି ତଦନ୍ତ ନ କରି ଯେଉଁ ନିଷ୍ପତ୍ତି ନେଇଛନ୍ତି ତା ବିରୋଧରେ ଆପତ୍ତି ଜଣାଇବି। ମୋ ପୁଅ ଅନ୍ୟ ଦଳରୁ ଟିକେଟ୍‌ ପାଇବ ବୋଲି ମୁଁ କ’ଣ କଂ‌ଗ୍ରେସରୁ ବହିଷ୍କୃତ ହେବି। ଯେଉଁମାନେ କଂଗ୍ରେସରେ ଏବେ ଅଛନ୍ତି ସେମାନେ ସମସ୍ତେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି। ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଉଲ୍ଲେଖ ଯେ ୨୦୧୯ ମସିହାରେ ଶ୍ରୀ ରାଉତରାୟ ଜଟଣୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ‌ପୂର୍ବରୁ ଘୋଷଣା କରିସାରିଛନ୍ତି।

Govt
Leave A Reply