ହିମାଂଶୁ ଶେଖର ଆଚାର୍ଯ୍ୟ : ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଅସହ୍ୟ ହେଲାଣି । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ରହିଛି । ମଙ୍ଗଳବାର ଅନୁଗୁଳ ସବୁଠାରୁ ଉତ୍ତପ୍ତ ଥିଲା । ଏଠାରେ ତାପମାତ୍ରା ଥିଲା ୩୯.୭ ଡିଗ୍ରୀ । ଗତ ମଙ୍ଗଳବାର ରାଜ୍ୟର ୪ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ପାର ହୋଇଥିଲା । ସେହିପରି ୧୨ ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ବା ତାଠାରୁ ଅଧିକ ରହିଛି । ସୋନପୁରରେ ୩୯.୫ ଡିଗ୍ରୀ ,ବାରିପଦାରେ ୩୯.୨ ଡିଗ୍ରୀ ,ଟିଟିଲାଗଡ ଏବଂ ବୈାଦ୍ଧ ୩୯ ଡିଗ୍ରୀ ,ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, କଟକରେ ୩୮ ଡିଗ୍ରୀ, ସମ୍ବଲପୁରରେ ୩୮.୬ଡିଗ୍ରୀ,ଭଦ୍ରକରେ ୩୮.୨ ଡିଗ୍ରୀ, ଯାଜପୁର,ନୟାଗଡ ଓ ତାଳଚେରରେ ତାପମାତ୍ରା ୩୮ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପକ୍ଷରେ ହିଟ୍ ୱେଭକୁ ନେଇ ସର୍ତକ କରାଇଛନ୍ତି ଏସ୍ଆରସି । ି ପାଣିପାଗ ବିଶେଷଜ୍ଞଙ୍କ ମତରେ ଭାରତ ମହାସାଗର-ଦକ୍ଷିଣ ପଶ୍ଚିମ ମହାସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହା ଧୀରେ ଧୀରେ ବଳ ଗୋଟାଇ ବାତ୍ୟାର ରୂପ ନେଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୁଏ ତାହାର ପ୍ରଭାବ ଓଡିଶା ଉପରେ ପ୍ରାୟ ପଡିନଥାଏ । ସେ ଯାହା ହେଉ ନା କାହିଁକି ବାତ୍ୟାର ଆକଳନ କରାଯାଇନଥିବା ଜଣା ପଡିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଆଧାରରେ ଅନୁଗୁଳ, ବାଲେଶ୍ୱର, ବୈାଦ୍ଧ , ବଲାଙ୍ଗିର , ଝାରସୁଗୁଡା , ଖୋର୍ଦ୍ଧା,ମୟୁରଭଞ୍ଜ ଓ ସୋନପୁର ଜିଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ ଆରସି ଏସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ ମାନଙ୍କୁ ପରାର୍ମଶ ଦିଆଯାଇଛି । ଶିଶୁ, ବୟସ୍କ, ଅସୁସ୍ଥ ଲୋକ ଘରୁ ନବାହାରିବାକୁ କୁହାଯାଇଛି । ଦି୍ୱପ୍ରହରରେ ଘରୁ ବାହାରିଲେ ଆବଶ୍ୟକ ପଦକ୍ଷେପ ନେଇ ବାହାରିବା ପାଇଁଁ ସୂଚନା ଦିଆଯାଇଛି । ଗ୍ରୀଷ୍ମ ଲହରୀକୁ ନେଇ ଲୋକଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ମୋଟାମୋଟି ଭାବେ ୧୬ ତାରିଖ ଠାରୁ ୧୯ ତାରିଖ ଯାଏ ଗ୍ରୀଷ୍ମ ପ୍ରଭାବ ନେଇ ସର୍ତକ ରହିବାକୁ ଚିଠିରେ ଉଲ୍ଲେଖ ରହିଛି । ଏପରିକି ହିଟ୍ ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ସର୍ବୋପରି ପରିସ୍ଥିତିକୁ ଦେଖି ଆବଶ୍ୟକ ବ୍ୟବସ୍ଥା ଗ୍ରହନ କରିବାକୁ ସବୁ ଜିଲ୍ଲାପାଳ ମାନଙ୍କୁ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା ।
ବଢୁଛି ତାପମାତ୍ରା, ବଦଳୁଛି ପରିବେଶ । ପ୍ରକୃତି ଉପରେ ଅଧିକ ହସ୍ତକ୍ଷେପ ଯୋଗୁଁ ଶ୍ରୀହୀନ ହେବାରେ ଲାଗିଛି ସବୁଜ ପୃଥିବୀ । ଏହି କ୍ଷେତ୍ରରେ ବିଶ୍ୱ ତାପାୟନ ମୁଖ୍ୟକାରଣ ଭାବେ ଉଭା ହୋଇଛି । ଦୈନନ୍ଦିନ ଜୀବନରେ ମଣିଷ ବ୍ୟବହାର କରୁଥିବା ବିଭିନ୍ନ ବିଳାସ ପୂର୍ଣ୍ଣ ଆସବାବ ପତ୍ର, ଯାନ ବାହାନ, ଶିଳ୍ପସଂସ୍ଥାରୁ ନିର୍ଗତ ବିଷାକ୍ତ ବାଷ୍ପ, ବାୟୁରେ ଉତ୍ତାପ ସୃଷ୍ଟିକାରୀ ଅଙ୍ଗାରକାମ୍ଳ ଗ୍ୟାସ ଯୋଗୁଁ ବିଶ୍ୱ ତାପାୟନ ବଢିଚାଲିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଲ୍-ନିନୋ ଭଳି ସମସ୍ୟା ଦେଖାଦେଉଛି । ଫଳସ୍ୱରୂପ ତାପମାତ୍ରାରେ ଏଭଳି ପରିବର୍ତ୍ତନ ଦେଖାଦେଉଛି । ସୂଚନାଯୋଗ୍ୟ ଯେ, ଅନେକ ସମୟରେ ଫେବୃଆରୀରେ ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ପାର କରିବାର ଉଦାହରଣ ରହିଛି । ୧୯୬୩ ଫେବୃଆରୀ ୨୩ରେ ଭୁବନେଶ୍ୱର ତାପମାତ୍ରା ୪୨.୭ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ, ୨୦୧୨ରେ ୪୦.୧ଡିଗ୍ରୀ, ୨୦୧୬ରେ ୪୦.୯ଡିଗ୍ରୀ, ୨୦୧୯ରେ ୩୯.୪ଡିଗ୍ରୀ ରହିଥିଲା । ଏବେ ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି ।
ଛଅ ଋତୁ ଆଜି ସାତ ସପନ । ଶରତ, ଶୀତ ଓ ବସନ୍ତ କ୍ରମଶଃ ମାନସ ପଟରୁ ହଜିଗଲେଣି । ଏବେ କେବଳ ଗ୍ରୀଷ୍ମ ,ବର୍ଷା ଓ ଶୀତ ତିନୋଟି ଋତୁ ଅନୁଭବ କରିହେଉଛି । ଏଥିମଧ୍ୟରୁ ପ୍ରାୟ ସାତ ଆଠ ମାସ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ, ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । କହିବା ବାହୁଲ୍ୟ ଯେ, ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ବସନ୍ତ । ଋତୁରାଜ ସେ । ଫାଲଗୁନ-ଚୈତ୍ର, ନା ଥାଏ ଖରା, ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ଯେଉଁ ସମୟରେ ବସନ୍ତ ଋତୁ ଅନୁଭବ ହେବା କଥା ସେହି ସମୟରେ ରାଜ୍ୟରେ ଯେଭଳି ହାରରେ ତାପମାତ୍ର ବଢିଛି ତାକୁ ଦେଖିଲେ ଲାଗୁଛି ବସନ୍ତ ସମେତ ଶରତ ଓ ହେମନ୍ତ ଅଚିରେ ହଜିଯିବ ଓ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିବ । ଏପରିକି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ତାତି ଚିନ୍ତାଜନକ ହୋଇରହିବ ।
ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆମ ଦେଶରେ ୧୯୫୦ ମାସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଆସୁଅଛି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜନସଚେତନ ସୃଷ୍ଟି କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି । ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢିଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି ଓ ବୃଷ୍ଟିପାତ ହ୍ରାସ ପାଉଛି ।୧୯୯୯ର ମହାବାତ୍ୟା ଠାରୁ ଆାରମ୍ଭ କରି ଫୋନି ଓ ଆମ୍ଫାନ, ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳା ଏବଂ ୨୦୧୫ରେ ନେପାଳର ହୋଇଥିବା ଭୟଙ୍କର ଭୂକମ୍ପ ପ୍ରଭାବ ଜନଜୀବନକୁ କିପରି ପ୍ରଭାବିତ କରିଥିଲା ତାହା ଏବେ ସମସ୍ତେ ଜାଣିଛେ ।
ଉତ୍ତରାଖଣ୍ଡରେ ଅତିତରେ ଘଟିଥିବା ମହାପ୍ରଳୟ ଓ ବାଦଲ ଫଟା ବର୍ଷା ମନକୁ ଆସିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ । ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ମାତ୍ର ୩୦୦ବର୍ଷ ଭିତରେ ମଣିଷର ଶିଳ୍ପ ବିପ୍ଲବ ଧରିତ୍ରୀକୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି । ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମେ ପରିବେଶକୁ ଆମେ ନିଜେ ନଷ୍ଟ କରୁଛେ । ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି । ସେଥିପାଇଁ ଆମେ ଦାୟୀ । ତେଣୁ ପୃଥିବୀର ପୁନରୁଦ୍ଧାର ବି ଆମର ଦାୟିତ୍ୱ । ତେଣୁ ଜଳବାୟୁ ପରିବର୍ତ୍ତନ ଲାଗି ଦାୟୀ କାରଣ ଗୁଡିକୁ ଯଥାଶୀଘ୍ର ନିୟନ୍ତ୍ରଣ କରିବା ଓ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଭଳି ଗତିବିଧିକୁ କମ୍ କରିବା ଆମର ଦାୟିତ୍ୱ । ଅବସରପ୍ରାପ୍ତ ଅଧ୍ୟାପକ