Odisha news

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲା : ଗିରଫ ହୋଇ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଜେଲ ଗଲେ

0

ଭଦ୍ରକ: ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି | ଆଉ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି | ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ପ୍ରମାଣ ପାଇବା ପରେ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଓ ଭୁବନେଶ୍ବର ଖଣ୍ଡଗିରି ଛକଠାରେ ଥିବା ରାଜ କମୁନିକେସନର ମାଲିକ ରଞ୍ଜନ କୁମାର ନାୟକକୁ ଗିରଫ କରାଯାଇଥିଲା |

ଏହା ପରେ ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା | ତେବେ ନିରଞ୍ଜନଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି | ତେବେ ଜେଲ ଯିବା ବାଟରେ ନିରଞ୍ଜନ ସେଠୀ ଗଣମାଧ୍ୟମକୁ କହିଛନ୍ତି ଯେ ସମୟ ସବୁ ସତ କହିବ | ସୂଚନା ଥାଉ କି ଆଜି ଅପରାହ୍ନରେ ଭଦ୍ରକର ଅତିରିକ୍ତ ଏସପି ଯତୀନ ପଣ୍ଡା ଚାନ୍ଦବାଲିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଫଟୋଗ୍ରାଫର ମାନସ ସ୍ବାଇଁଙ୍କୁ ଚାନ୍ଦବାଲିରୁ ଏକ ବିବାହ ଉତ୍ସବର ଫଟୋ ଉଠାଇବା ପ୍ରୋଗ୍ରାମରୁ ଅପହରଣ କରିବା ପରେ ତାଙ୍କୁ ଭୁବନେଶ୍ବର ନେବା ରାସ୍ତାରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ତାଙ୍କଠାରୁ ମୋବାଇଲ ଛଡାଇ ଫିଙ୍ଗି ଦିଆଯାଇଥିଲା।

ଏହି ମୋବାଇଲକୁ ସେଠାରେ ଜଣେ ଦୋକାନୀ ପାଇବା ପରେ ପୁଲିସକୁ ଖବର ଦେଇଥିଲେ। ଏହି ମୋବାଇଲ ପୁଲିସ ହାତରେ ପଡ଼ିବା ପରେ ପୁଲିସ ଏହି ମୋବାଇଲ ଚିପ୍ସରୁ ଅନେକ ତଥ୍ୟ ପାଇଛି। ଭଦ୍ରକ ପୁଲିସ ଓ ଭୁବନେଶ୍ବର ପୁଲିସର ମିଳିତ ଚଢାଉରେ ଆଜି ଏହି ଦୁଇ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପୁଲିସ ଗିରଫ କରିଛି। ଖୁବ ଶୀଘ୍ର ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କର ଗୁମର ଖୋଲିବ ବୋଲି ଏଏସପି ଯତୀନ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଶର୍ମିଷ୍ଠାର ଅନ୍ୟ ଜଣେ ସହଯୋଗୀ ଝୁନାକୁ ମଧ୍ୟ ପୁଲିସ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି।

Nalco
Leave A Reply