କନ୍ଧମାଳ : ସ୍କୁଲ ପିଲାମାନଙ୍କୁ ଏବେ ୩ ମାସର ମଧ୍ୟାହ୍ନ ଭୋଜନ ଟଙ୍କା ପିଲାଙ୍କ ବ୍ୟାଙ୍କ ଖାତାରେ ମିଳିବ । ସରକାରଙ୍କ ତରଫରୁ ଏହି ଘୋଷଣା ପରେ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏକସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଅର୍ଥ ପଇଠ କରାଯିବ । ଯଦି କାହାର ବ୍ୟାଙ୍କ ପାସବୁକ୍ ନଥିବ ତେବେ, ପ୍ରଧାନ ଶିକ୍ଷକ ସଂପୃକ୍ତ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ ନଗଦ ଟଙ୍କା ଯୋଗାଇ ଦେବେ । ବର୍ତମାନ ସ୍କୁଲ ଗୁଡିକରେ ଶିକ୍ଷକ ମାନେ ପିଲାମାନଙ୍କ ପାସବୁକ୍ ନମ୍ବର ସଂଗ୍ରହ କରି ତାଲିକା ଓ ଅର୍ଥରାଶି ପ୍ରସ୍ତୁତ କରୁଛନ୍ତି । ପ୍ରଥମରୁ ୫ମ ଯାଏଁ ଛାତ୍ରଛାତ୍ରୀଙ୍କୁ ୪୭୯.୯୬ ଟଙ୍କା ଓ ୬ଷ୍ଠରୁ ୮ମ ଯାଏଁ ଛାତ୍ରଛାତ୍ରୀ ମାନଙ୍କୁ ୭୧୭.୧୬ ଟଙ୍କା ଦିଆଯିବ । ମାର୍ଚ୍ଚ ୧୬ରୁ ୩୧ ଯାଏଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୪.୯୩ ପଇସା ଓ ଏପ୍ରିଲ ୧ରୁ ଜୁନ୍ ୧୫ ଯାଏଁ ୫ ଟଙ୍କା ୪୨ ପଇସା ହିସାବରେ ସରକାର ଅର୍ଥ ପଇଠ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ସେହିପରି ୬ଷ୍ଠରୁ ୮ମ ଯାଏଁ ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ୧୬ରୁ ୩୧ ତାରିଖ ଯାଏଁ ୭ଟଙ୍କା ୩୬ ପଇସା ହିସାବରେ ଓ ଏପ୍ରିଲ ୧ରୁ ଜୁନ୍ ୧୫ ଯାଏଁ ୮ଟଙ୍କା ୧୦ ପଇସା ହିସାବରେ ପ୍ରଦାନ କରାଯିବ । ସୂଚନା ଯୋଗ୍ୟ ଯେ, ଏପ୍ରିଲ ୧ରୁ ସରକାର ମଧ୍ୟାହ୍ନ ଭୋଜନ ଅର୍ଥ ବୃଦ୍ଧି କରିଥିଲେ । ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପିଛା ୪୯ ପଇସା ଓ ଉଚ୍ଚପ୍ରାଥମିକ ପିଲାମାନଙ୍କ ପିଛା ୭୪ ପଇସା ବୃଦ୍ଧି କରିଥିଲେ । ସରକାର ଅର୍ଥ ଦେବା ଶୁଣିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି