Odisha news

*ଅନ୍ଧଶ୍ରଦ୍ଧା ଓ ମଣିଷତ୍ୱ*

0
ଯାଜ୍ଞସେନୀ ସାହୁ  : ସମୟ ସ୍ରୋତରେ ପରିବର୍ତ୍ତନ ସହ ଆସୁଥିବା ନୂତନ ପିଢିକୁ ସମ୍ଭାଳିବା ଯେ କେତେ କଷ୍ଟ ଏକଥା ଜେମା ଆଈଠୁ ବେଶୀ ଆଉ କିଏ ଅଙ୍ଗେ ନିଭେଇଥିବ !ସକାଳୁ ସଞ୍ଜ କୁନା ପ୍ରଶ୍ନର ଉତ୍ତର ଦେଇ ଦେଇ ତାର ଅଧା ଶାନ୍ତି ଭଙ୍ଗ ହୁଏ।କୁନା ବି ଏଡିକି ବକଟେ ଛୁଆ ସିନା ତା ମନରେ ଅଜସ୍ର ପ୍ରଶ୍ନର ସମ୍ଭାର। କେବଳ କଣ ସେତିକି! ସନ୍ଦେହ ଦୂର ନହେବା ଯାଏଁ ଜମା ଥୟ ଧରେନି।ଓଳିଆରୁ ପଡି ଗଜା ଯାହାକୁ କହନ୍ତି ଭଲା। ଆଈ କଥା ଆଉ କ’ଣ।ସକାଳ ନ ପାହୁଣୁ ତାର ଗୋଟିଏ ଚିନ୍ତା ।ଫୁଲତୋଳା ଆଉ ଗୋବରଲିପା।ପୁନିଅଁପରବ ଆସିଲେ ରାତିସାରା ତାକୁ ନିଦ ହୁଏନି।ଭାରି ନିଷ୍ଠାପର ଧାର୍ମିକ ।ଅବଶ୍ୟ ବୟସ ଶେଷ ସମୟରେ ଠାକୁର ସେବାରେ ମନ ବଳେଇବାଟା ନୂଆ କଥା ନୁହେଁ।
ସେଦିନ ସକାଳର ଦୃଶ୍ୟପଟ ଥିଲା କିଛି ଏଇଭଳି।ବୁଢ଼ୀ ଠାକୁର ପୂଜାରେ ବ୍ୟସ୍ତ ଥିଲା ବେଳେ ଭିକାରୀଟେ ଆସି ଦାଣ୍ଡ ମୁହଁରେ ଖାଇବାକୁ ମାଗୁଥାଏ।ଭୋକିଲା ପେଟକୁ କ୍ଷୀଣ କଣ୍ଠସ୍ୱର।ବାରମ୍ବାର ଡାକରେ ବୁଢ଼ୀର ଧ୍ୟାନ ଭଙ୍ଗ ହେଉଥାଏ।ତରବରରେ ମାଡ଼ିଆସିଲା ଗିନାଏ ଚାଉଳ ଧରି।କୁନା ବସି ସବୁ ଦେଖୁଥାଏ।ଚାଖଣ୍ଡେ ଦୂରରୁ ବୁଢ଼ୀ ଚାଉଳ ଦଉ ଦଉ ଅଧା ଚାଉଳ ତଳେ ପଡୁଥାଏ।
-“ଆଲୋ ଆଈ !ଦେଖାଯାଉନି ? ଚାଉଳ ଗୁଡାକ ବା ତଳେ ପଡୁଛି। ଆମ ଗୁରୁଜୀ କହୁଥିଲେ ଅନ୍ନ ନଷ୍ଟ କଲେ ଏ …..”
– “ଲଷ୍ମୀଙ୍କୁ ଅପମାନ ହେବ ତ! ଏଇଟା କଣ ମୁଁ ଜାଣିନି ଯେ ମୋତେ ଗୁରୁଜୀ ପାଠ ଶିଖଉଛୁ। ହୁଁ !” ..ମୁହଁ ବଙ୍କେଇ ବୁଢ଼ୀ କହିଲା।
– “ନା ନା ଆଈ।ଅନ୍ନ ନଷ୍ଟ କଲେ କୃଷକଙ୍କୁ ଅପମାନ ହୁଏ।କାରଣ ସେ ଖରା,ବର୍ଷା, ଶୀତକୁ ଖାତିର ନ କରି ଝାଳବୁହା ପରିଶ୍ରମ କରି ଶସ୍ୟ ଅମଳ କରି ଆମକୁ ଯୋଗାଏ।”
-” ମୁଁ ଠିକ୍ ଜାଣିଥିଲି ତୁ ଅବୁଝା ମୋ କଥାରୁ ଖିଅ କାଢିବୁ।ଯା ଯା ମୋ ସମୟ ନଷ୍ଟ କରେନି।” ..ବୁଢ଼ୀ କଥା କାଟିଦେଲା।
ଏତିକି ବେଳେ ଭିକାରୀଟି ଛାଇ ଆଶାରେ ଆଉ ଦୁଇ ପାହାଚ ଚଢି ପାଣି ମନ୍ଦେ ମାଗି ବସିବା ହୁଅନ୍ତେ ବୁଢ଼ୀ ପଛକୁ ଯାଇ ଟାଣସ୍ୱରରେ ,
-“ଆରେ ଆରେ !ଗଲା ଗଲା ନୂଆ ଲୁଗାଟା ମୋର ଛୁଆଁ ହେଇଗଲା।ଦାଣ୍ଡଟା ଲିପିଥିଲି ସେଇଟା ବି ଅପବିତ୍ର ହେଇଗଲା।ସେଇଠି ରହରେ।”
ଅସହ୍ୟ ହେଇ ଉଠିଆସିଲା କୁନା।
– “ପାଟି କାଇଁ କରୁଛୁ ଆଈ ?ତୋ ଲୁଗାଟା ଛୁଆଁ ହେଇଯାଉଛି କେମିତି ? ଏଇଟା ବା ଠାକୁର ଲୁଗା।”
-” ଆରେ ବୋକା ସେଇ କଥା ତ କହୁଛି।ପୂଜା ପାଇଁ ଏ ଗୋଟିକ ମୋର ମଠା ଲୁଗା।ଏଇନା ଠାକୁର ଘରକୁ ଯିବି କେମିତି ?”..ରାଗ ତମତମରେ ବୁଢ଼ୀ।
କଥାଟା କୁନା ମଗଜରେ ଯାଉ ନଥାଏ।ପୁଣି ଆରମ୍ଭ କଲା ପ୍ରଶ୍ନବାଣ।
-“କାଇଁ ଠାକୁର କ’ଣ ତୋର ଏକା ?ଗୁରୁଜୀ କହୁଥିଲେ ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ।ହେଲେ ଠାକୁର ତୋର ଯେତିକି ସେଇ ଅଙ୍କଲଙ୍କର ବି ସେତିକି ନା ! “
-“ହଁ ଯେ। ଏମାନେ ପରା ଆମଠୁ ଜାତିରେ ଛୋଟ।”
-“ଏଁ ଜାତି !ଏଇ ଜାତି ମାନେ କଣ ଆଈ ?”.. ପ୍ରଶ୍ନିଳ ଭଙ୍ଗୀରେ।
-“ଆରେ ହୁଣ୍ଡା !ସେଇ ଯୋଉ ଶିବୁ ନନା ଆମ ଗାଁମୁଣ୍ଡ ମନ୍ଦିର ବ୍ରାହ୍ମଣ।ସେମାନେ ଯେମିତି ଆମଠୁ ବଡ।ଠିକ ସେମିତି ଆମେ ଏମାନଙ୍କଠୁ ଜାତିରେ ବଡ।”
ଏଥର କୁନା କିଞ୍ଚିତ ବୁଝି ପାରିଲା ବୋଧେ।
-“ଆଚ୍ଛା ! ସେଥିପାଇଁ ତୁ ସେଇ ନନାଙ୍କ ଗୋଡ ଧୋଇ ଘରେ ନେଇ ପୂଜା ପତର ଖାଇବାକୁ ଦେଲୁ। ହେଲେ ସେଦିନ ଏମିତି ଆଉ ଜଣେ ଅଙ୍କଲ୍ ଆମ ଦାଣ୍ଡରେ ଆସି ଖାଇବାକୁ ମାଗିଥିଲେ।ତାଙ୍କୁ ତ ଘରେ ଡାକିଲୁନି ?”
ସହଜରେ ଛାଡିବା ଜନ୍ତୁ ନୁହଁ ଏ କୁନା।ତେଣେ ଉତ୍ତର ଦେବାରେ ଅକ୍ଷମତାକୁ ବୁଢ଼ୀ ପ୍ରାଣପଣେ ଲୁଚାଇବାକୁ ଚେଷ୍ଟା ଚଲେଇଥାଏ।କୁନ୍ଥାହସ ଟିଏ ଦେଇ,
-“ତୋ ଆଈ କଣ ଏଡ଼େ ବେଦରଦୀଟା କିରେ !ମୁଁ ପରା ପୂର୍ବ ରାତିର ତୁ ଛାଡିଥିବା ଡାଲିଭାତ ତାକୁ ଦେଇଥିଲି।”
ଆଶ୍ଚର୍ଯ୍ୟଜନିତ ହୋଇ ଚମକି ପଡିଲା କୁନା।
-“ସେଇଟା ତ ବାସି ହେଇ ଗନ୍ଧେଇ ଯାଇଥିବ। ଅଙ୍କଲ୍ କେମିତି ଖାଇଥିବେ ଆହାଃ।ତୋତେ ସେଇଟା କ’ଣ ଦବାର ଥିଲା ଆଈ ? “
ବୁଢୀ ଭିତରେ ଏବେ ଚିଡାପଣ ଉକୁଟି ଆସୁଥାଏ । ଅସମ୍ଭାଳ ହୋଇ,
-“ଆଉ କଣ ପୂଜା ଘରୁ ଖାଇବା ଆଣି ଦେଇଥାନ୍ତି ? ଏଇ ହାଡ଼ି ପାଣ ଘର ଲୋକ ଗୁଡା ପରା ଆମର ନାଳନର୍ଦ୍ଦମା ,ଅଳିଆ ଆବର୍ଜନା, ଲୁଗାପଟା, ଜୋତାମୋଜା ସଫା କରନ୍ତି।”
ଜାତି ତ ଜାତି ହାଡ଼ି ପାଣ ପୁଣି କୋଉ ଲୋକ ! ଏତେ ଏତେ ନୂଆ ଶବ୍ଦ ତା ମନକୋଣରୁ ଇଚ୍ଛାଶକ୍ତିକୁ ଛଟପଟ କରିପକାଉଥିଲା।ଶବ୍ଦଟା ଶୁଣିଲା ଶୁଣିଲା ପରି ଲାଗୁଛି ଯେ !କଷ୍ଟେ ମଷ୍ଟେ ମନେ ପକାଇବାକୁ ଲାଗିଲା। ହଁ ଠିକ୍, ମାମୁଁ ବାହାଘରରେ ତ କଣ ନା ଆଉ !
ସାଜସଜ୍ଜା ଦେଖି କୁନା ସାଙ୍ଗସାଥୀ ସହ ଏଣେ ତେଣେ ବୁଲୁ ଥାଏ।ଜଣେ ହାଡ଼ି ଘର ଲୋକ ଆସି ଶଙ୍ଖ ଫୁଙ୍କିବ, ବାଜା ବଜାଇବ ବୋଲି ଅଜା ୟାକୁତାକୁ କହି ଡକାଇ ପଠାଇଲେ।ଲୋକଟି ଆସି ଗେଟ୍ ବାହାରେ ରହି ଶଙ୍ଖବାଜା କାଢି ଆରମ୍ଭ କଲା।ପାଖେ ଯାଇ ମଜା ଉଠାଇବାକୁ କୁନା ଆନନ୍ଦରେ ଧାଇଁ ଯିବାବେଳକୁ ଅଜା ସେଠାରୁ ଟାଣି ଆଣିଥିଲେ।”ହେଇରେ ମାଙ୍ଗଳିକ କାର୍ଯ୍ୟ ବେଳେ ଏ ପଳେଇଲା ତା’ପାଖକୁ ।ଆଜି ଭଲ ଅଛି ମନ୍ଦ ଅଛି ।” ଏତିକି କଣ ଦୁଇ ଧାଡି ଗୁଣୁଗୁଣେଇ ହେଇ ଗାଳି କରିଥିଲେ। କୁନା ମନେ ରଖିଛି।ଭାବନାରୁ  ଫେରି ଆସିଲା କୁନା।ଭିତରଟା ଗୋଳେଇଘାଣ୍ଟି ହେଉଥାଏ।
-” ଆଈ ପ୍ଲିଜ୍। ରାଗିବୁନି ଏଇ ଗୋଟାକ ମୋର ଶେଷ ପ୍ରଶ୍ନ।ତା ପରେ ଯା ତୁ ତୋର ପୂଜା କରେ।”
ବୁଢୀର ସହମତି ନ ଲୋଡି କୁନା ପଚାରି ଚାଲିଲା।
-“ତୁ କଣ ଜାତି ଫାତି କହିଲୁ ହେଲା ଯେ, ହେଲେ ଏମାନେ କାହିଁକି ଆମର ଅସନା ,ଆମ ଲୁଗାପଟା ସଫା କରନ୍ତି ଯେ ? ଗୁରୁଜୀ ତ ସବୁବେଳେ କୁହନ୍ତି ନିଜ କାମ ନିଜେ କରିବା କଥା।ଆଉ ଅନ୍ୟଜଣେ ଯଦି ତୁମ କାମକୁ ବିନା ଦ୍ବିଧାରେ କରିପାରୁଛି ତାକୁ ସମ୍ମାନ ଦେବା ଉଚିତ୍।ଏଇ ଯେମିତି ତୁ ଆଉ ମମ୍ମି ମୋର ଅନେକ କାମ କରି ଦିଅ। “
ବୁଢ଼ୀ ସମ୍ପୂର୍ଣ୍ଣ ନିରୁତ୍ତର।ମନେ ମନେ ପରାଜୟ ସ୍ୱୀକାର କରିଥିଲେ ବି ଲଜ୍ଜ୍ୟାବୋଧକୁ ପ୍ରଦର୍ଶନ କରୁନଥାଏ।ଛିଞ୍ଚାଡି କଚାଡି ହୋଇ ଘର ଭିତରକୁ ଗଲା ବେଳେ କେବଳ ଏତିକି କହିଗଲା , “ତୁ ଯାହା ହଇରାଣ କରିଲୁଣୁ ତୋ ମମ୍ମି ଏତିକି ତା ପିଲାଦିନେ କରିନି।ମମ୍ମି ଫୋନ୍ କଲେ ଆଜି କହୁଛି ରହ।ମୁଁ ଯାଏ ଦାଣ୍ଡପିଣ୍ଡାଟାରେ ଟିକେ ଗଙ୍ଗାପାଣି ଛିଞ୍ଚି ଦିଏ।ଜୟ ମା ଲଷ୍ମୀ ମୋ ଦୋଷ ଧରିବୁନି ଲୋ ମା !”
Nalco
Leave A Reply