ଡାକ୍ତର ସମ୍ରାଟ କର ,ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍ : ବହୁଦିନ ପରେ ବିଦେଶରେ ରହୁଥିବା ବନ୍ଧୁ ସୂର୍ଯ୍ୟକାନ୍ତର ଫୋନ ସକାଳୁ ସକାଳୁ ପାଇଲି । ସେ ମୋତେ କହିଲା “ଭାରତରେ ରିୟାଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲା ବିଦେଶରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ସତରେ ଏପରି କିଛି କଣ ଡ୍ରଗ୍ସ ରହିଛି ଯାହାକି ବ୍ୟବହାର କରୁଥିବା ଲୋକଟିର ମୁଡ଼୍ ବଦଳାଇ ଦିଏ?’ ମୁଁ ତାଙ୍କୁ କହିଲି ଏଲଏସ୍ଡି ଲଇସର୍ଜିକ୍ ଏସିଡ଼ ଡାଇଇଥାଇଲାମାଇଡ଼୍, ସଂକ୍ଷେପରେ ଏଲ୍ଏସ୍ଡିକୁ ମଧ୍ୟ ଏସିଡ଼ କୁହାଯାଏ । ଏହାର ରଙ୍ଗ ସ୍ୱଚ୍ଛ ବା ଧଳା । ଏହା ଗନ୍ଧହୀନ, ଈଶତ୍ ତିକ୍ତ । ଦାନା ଆକାରରେ ମିଳେ ଏଲ୍ଏସ୍ଡି । ଅତି ବାଇଗଣି ରଶ୍ମିରେ ଏଲ୍ଏସ୍ଡି ଚୂର୍ଣ୍ଣ ହୋଇଯାଏ ।
ଏଲ୍ଏସ୍ଡିର ମୁଖ୍ୟ ତତ୍ତ୍ୱ ଲାଇସର୍ଜିକ୍ ଏସିଡ଼ ଏକ ପଙ୍ଗସରୁ ମିଳିଥାଏ । କେତେକ ଦେଶର ଲାବ୍ରୋରେଟୋରୀରେ ଏହାକୁ ବେଆଇନ ଭାବେ ପ୍ରସ୍ତୁତ କରାଯାଉଛି । ବିକ୍ରି ପାଇଁ ଏଲ୍ଏସ୍ଡିକୁ ବେଳେ ବେଳେ ତରଳ ବସ୍ତୁରେ ପରିଣତ କରାଯାଏ । ତେବେ ଚୋରା ବଜାରରେ ଏଲ୍ଏସ୍ଡି ଅତି ଛୋଟ ଛୋଟ ଟାବଲେଟ ଆକାରରେ ବିକ୍ରି ହେଉଛି । ଏଲ୍ଏସ୍ଡି ସେବନ କରୁଥିବା ବ୍ୟକ୍ତିମାନେ ଏଲ୍ଏସ୍ଡି ଜନିତ ଅନୁଭୂତିକୁ “ଟ୍ରିପ୍’ କହିଛନ୍ତି । ଏହି ନିଶା ଏକାଦିକ୍ରମେ ୧୨ଘଣ୍ଟା ଲାଗିରହେ । ଯଦି ଭେଜାଲ ଏଲଏସ୍ଡି ଯୋଗୁଁ ବିଶେଷ ନିଶା ହେଲା ନାହିଁ, ଏ ପରିସ୍ଥିତିକୁ କୁହାଯାଏ ବ୍ୟାଡଟ୍ରିପ୍ । ଏଲଏସ୍ଡି ସେବନ କଲେ ମୁହୂର୍ତ୍ତକ ମଧ୍ୟରେ ମଣିଷର ମୁଡ଼ ବଦଳିଯାଏ । ମସ୍ତିଷ୍କରେ ଥିବା ସ୍ନାୟୁ ସର୍କିଟକୁ ଏହା ପ୍ରଭାବିତ କରୁଥିବାରୁ ମନର ଯାବତୀୟ ଧାରଣାରେ ପରିବର୍ତ୍ତନ ଘଟେ । ଏଲ୍ଏସ୍ଡି ୧୯୩୮ରେ ସର୍ବପ୍ରଥମେ ଲାବ୍ରୋଟୋରିରେ ତିଆରି ହୋଇଥିଲା ।
ଡ୍ରଗ୍ସ ମାମଲାରେ ଗିରଫ ରିୟା ଚକ୍ରବର୍ତ୍ତୀଙ୍କୁ ନାରକୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସ ଆକ୍ଟର ଧାରା ୨୭ଏ, ୨୧,. ୨୨ ଓ ୨୮, ୨୯ ବଳରେ ଗିରଫ କରାଯାଇଛି । ସେ ସ୍ପଷ୍ଟ କରିଛନ୍ତି ଯେ ରଙ୍ଗୀନ ଦୁନିଆରେ ଚରସ୍, ଗଞ୍ଜେଇ, ଅଫିମ ଏମାନଙ୍କ ପାଇଁ ନଗଣ୍ୟ । ଏମାନଙ୍କ ରଙ୍ଗୀନ ଦୁନିଆରେ କୋକିନ୍, ଏମ୍ଡି ଓ ଏଲ୍ଏସ୍ଡି ଭଳି ବିଦେଶୀ ଡ୍ରଗ୍ସର ପ୍ରମୁଖ ଭୂମିକା ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ବହୁ ପୂର୍ବରୁ ଅନୁରୂପ ମାମଲାରେ ସଞ୍ଜୟ ଦତ୍ତ ଓ ଫରବିନ୍ ଖାଁଙ୍କ ଭଳି ଚର୍ଚ୍ଚିତ ଅଭିନେତା ଗିରଫ ହୋଇଥିଲେ । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ ଏହି ନାମିଦାମୀ ଅଭିନେତା ଅଭିନେତ୍ରୀମାନେ ଡ୍ରଗ୍ସ ପ୍ରତି ଏତେ ଆସକ୍ତି କାହିଁକି? ରିୟା ଚକ୍ରବର୍ତ୍ତୀ ତଦନ୍ତକାରୀ ଅଫିସରଙ୍କ ସାମ୍ନାରେ ସ୍ୱୀକାର କରିଛନ୍ତି କି ଯେ ଡ୍ରଗ୍ସ ସେବନ ଦ୍ୱାରା କଳାକାରଙ୍କ ମନରେ କନ୍ଫିଡେଣ୍ଟ ଆସିଥାଏ । ଅତ୍ୟଧିକ କାର୍ଯ୍ୟ ଚାପ ଓ ଲେଟନାଇଟ ପାର୍ଟି ରଙ୍ଗୀନ ଦୁନିଆର ଏକ ପ୍ରକାର ଫ୍ୟାସନରେ ପରିଣତ ହୋଇଗଲାଣି ।
ଖାଲି ବଲିଉଡ ନୁହେଁ ଟିଭି ହେଉ ବା ସଙ୍ଗୀତ ଦୁନିଆ କୁହାଯାଏ ଅନେକ କଳାକାର ରହିଛନ୍ତି ଯେଉଁମାନେ ଡ୍ରଗ୍ସ ନ ମିଳିବା ପର୍ଯ୍ୟନ୍ତ ଅଭିନୟ କରିପାରନ୍ତି ନାହିଁ । ଫିଲ୍ମଷ୍ଟାରମାନେ କୋକିନ୍ ସେବନ କରି ନିଜକୁ “ମ୍ୟାଚେ ମେନ’ ଅନୁଭବ କରନ୍ତି ଅର୍ଥାତ୍ ସେମାନଙ୍କ ଠାରେ ଅଧିକରୁ ଅଧିକ ପୁରୁଷ ପଣିଆ ଉଜାଗର ହୁଏ ଆହୁରି ଅର୍ଥାତ୍ ସେମାନେ ନିଜକୁ ଶକ୍ତିମାନ ମନେ କରନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ କୋକିନ ଏକ ଅତି ମହାଙ୍ଗା ନିଶାଦ୍ରବ୍ୟ । କେହି ବ୍ୟକ୍ତି ନୂଆକରି ବଡ଼ ସେଲିବ୍ରେଟି ମାନଙ୍କ ପାର୍ଟିରେ ସାମିଲ ହେଲେ ତାଙ୍କୁ ମାଗଣାରେ କୋକିନ ପିଇବାକୁ ଦିଆଯାଏ । ଗ୍ରାମ ପିଛା ୮ରୁ ୧୦ ହଜାର ଟଙ୍କା ମୂଲ୍ୟର କୋକିନ୍କୁ ଦାମୀ ସିନେଷ୍ଟାରମାନେ ପାଖାପାଖି ୧୫ ହଜାର ଟଙ୍କା ଦେଇ କିଣନ୍ତି ।
ଅତୀତରେ ନିଶା ଅଭ୍ୟାସ ଯୋଗୁଁ ଯେଉଁ କେତେଜଣ କଳାକାରଙ୍କ ଜୀବନ ବରବାଦ ହୋଇଛି ତାଙ୍କ ଭିତରୁ ସର୍ବାଗ୍ରେ ମୀନା କୁମାରୀଙ୍କ ନାମ ରହିବ । ସେହିପରି ନିଦେ୍ର୍ଦଶକ ଗୁରୁଦତ୍ତ ମଧ୍ୟ କ୍ରମାଗତ ନିଶାରେ ବୁଡ଼ି ଏ ଦୁନିଆରୁ ବିଦାୟ ନେଲେ । ଫିରୋଜ ଖାଁଙ୍କ ପୁଅ ଫରିଦ୍ଦିନ୍ ଖାଁ ୨୦୦୧ରେ କୋକିନ ରଖିଥିବା କାରଣରୁ ଗିରଫ ହୋଇଥିଲେ । ପୂର୍ବତନ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ଓ ତାଙ୍କ ସ୍ୱାମୀ ଭିକି ଗୋସ୍ୱାମୀ ୨୦୧୬ରେ ଡ୍ରଗ୍ସ ର୍ୟାକେଟ ମାମଲାରେ ଅଭିଯୁକ୍ତ ହୋଇ ଗିରଫ ହୋଇଥିଲେ । ହି୍ରତିକ୍ ରୋସନ ଓ ତାଙ୍କ ପତ୍ନୀ ସୁଜୈନ ଖାଁଙ୍କ ବିବାହ ବିଚ୍ଛେଦର ମୁଖ୍ୟ କାରଣ ଥିଲା ସୁଜୈନଙ୍କ ଡ୍ରଗ୍ସ ଆଡ଼ିସନ ।
ସରକାରଙ୍କ ନାରକୋଟିକ୍ସ ଡ୍ରଗ୍ସ ଓ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗୁଇନ୍ଦା ବିଭାଗ ବ୍ୟାପକ ଚଢ଼ାଉ କରୁଥିଲେ ମଧ୍ୟ ବର୍ତ୍ତମାନ ସମୟରେ ଏହା ଉଦ୍ବେଗଜନକ ଭାବେ ବଢ଼ୁଛି । ମଦ, ଗଞ୍ଜେଇ, ଅଫିମ ଠାରୁ କମ୍ ମୂଲ୍ୟରେ ବିଭିନ୍ନ ନିଶା ଇଞ୍ଜେକ୍ସନ ଓ ବଟିକା ବଜାର ଦରରେ ଅଳ୍ପ ମୂଲ୍ୟରେ ମିଳୁଥିବାରୁ ନିଶାଳୀମାନେ ଏହାର ସହଜ ଶିକାର ହେଉଛନ୍ତି । ଯାହାଦ୍ୱାରା ସମାଜରେ ବ୍ୟାପକ ଭାବରେ ଚୋରା ନିଶାକାରବାର ସହ ବିଭିନ୍ନ ହିଂସାକାଣ୍ଡ ଓ ସାମାଜିକ ବିପତ୍ତି ବଢ଼ିବାରେ ଲାଗିଛି । ବ୍ୟକ୍ତିଗତ ଭାବେ ମୋ ଚିକିତ୍ସା ଜୀବନ ଭିତରେ ଅନେକ ନିଶାଖୋର ଭଲ ଜୀବନକୁ ଫେରିଛନ୍ତି । ତେବେ ସେମାନଙ୍କୁ ଉତ୍ତମ ଚିକିତ୍ସା ସହ ମନସ୍ତାତ୍ତ୍ୱିକ ପରାମର୍ଶ, ମାନସିକ ରୋଗ ବିଶେଷଜ୍ଞଙ୍କ ଯୋଗାଯୋଗରେ ରହି ଚିକିତ୍ସା ପରାମର୍ଶ ଓ ଘର ଲୋକଙ୍କର ସାହାଯ୍ୟ ସହଯୋଗ ଦ୍ୱାରା ସେମାନେ ପଥଭ୍ରଷ୍ଟ ଜୀବନରୁ ଫେରିବାରେ ସକ୍ଷମ ହେଉଛନ୍ତି । ଜଣେ ଏହି ନିଶାର ଶିକାର ହେବାପରେ ଭଲ ଜୀବନକୁ ଫେରିବା କିଛିଟା କଷ୍ଟକର ହୋଇଥାଏ ।
କାରଣ ସେ ଯେଉଁପରି ଭାବରେ ନିଶାସକ୍ତ ହୋଇ ଏହାର କବଳରେ ପଡ଼ିଥାଏ ସେଠାରୁ ମୁକୁଳିବା ପ୍ରାଥମିକ ଭାବେ କଷ୍ଟସାଧ୍ୟ ହୋଇଥିଲେ ବି ସେ ଏକ ପ୍ରକାର ପୁନର୍ଜୀବନ ପାଇବାରେ ସକ୍ଷମ ହୋଇଥାଏ । ଜଣଙ୍କ ଶାରୀରିକ, ସାମାଜିକ ମର୍ଯ୍ୟାଦା ଓ ସ୍ୱାସ୍ଥ୍ୟଗତ କ୍ଷେତ୍ରର ବିପଜ୍ଜନକ ପ୍ରତିବନ୍ଧକ ହୋଇଥାଏ ଏହି ନିଶା ବ୍ୟବହାର । ନିଜର ଆର୍ଥିକ ବ୍ୟବସ୍ଥା ଦୋହଲିବା ସହିତ, ପାରିବାରିକ ତଥା ସାଂସାରିକ ଜୀବନ ଦୁଃଖପୂର୍ଣ୍ଣ ହୋଇଥାଏ । ନିଜ କର୍ମକ୍ଷେତ୍ର, ପଡ଼ୋଶୀ ଓ ସାମାଜିକ ଭାବେ ଜଣେ ଅଲଗା ମଣିଷ ଭାବେ ପରିଚିତ ହୋଇ ନିନ୍ଦୀତ ହୋଇଥାଏ । ଏ କ୍ଷେତ୍ରରେ ଗୁରୁଦାୟିତ୍ୱ ରହିଛି ପରିବାର ତଥା ନିଜ ଲୋକମାନଙ୍କର । ପ୍ରାଥମିକ ଭାବେ ମାନସିକ ରୋଗ ବିଶେଷଜ୍ଞ ପରାମର୍ଶ ନେଇ ତକ୍ରାଳ ଚିକିତ୍ସା ଆରମ୍ଭ କରିବା ସହ ତାକୁ ମାନସିକ ଭାବେ ପ୍ରେରଣା ଯୋଗାଇଲେ ଜଣେ ଏହି ପଥରୁ ଫେରି ଭଲ ଜୀବନକୁ ଆସିପାରିଥାଏ । ମାନସିକ ରୋଗ ବିଶେଷଜ୍ଞଙ୍କ ଉତ୍ତମ ପରାମର୍ଶକୁ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବା ସହ ତାଙ୍କ ପରାମର୍ଶରେ ଜଣେ ନିଶାଖୋର ଉତ୍ତମ ଜୀବନକୁ ଫେରିବାକୁ ସକ୍ଷମ ହୋଇଥାଏ । ଏ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ଡାକ୍ତରଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଚିକିତ୍ସା ଆରମ୍ଭ କଲେ ଜଣେ ନିଶାଖୋର ଉତ୍ତମ ନାଗରିକ ଭାବେ ପୁନର୍ଜୀବନ ପାଇପାରିଥାଏ ।