କାନଡେରି ଟିକେ ଭଲଭାବରେ ଶୁଣିଲେ ଗୋଟିଏ କଥା ଆମ ସମସ୍ତଙ୍କର କାନରେ ବାଜେ ତାହା ହେଉଛି ଆଜିର ଯୁବ ସମାଜ ପଥଭ୍ରଷ୍ଟ ,ଉଦ୍ଭାନ୍ତ ପୁଣି ଅଶାନ୍ତ । ଅଫୁରନ୍ତ ଶକ୍ତିରେ ଉବୁଟୁବୁ ହେଉଥିବା ଯୁବଗୋଷ୍ଠୀ ଆଜି ବିଶୃଙ୍ଖଳ ,ବେପରୁଆ ଓ ଦାୟିତ୍ୱହୀନ । ବସ୍ତୁବାଦୀ ଚିନ୍ତାଧାରାରେ ଉନ୍ମାଦ ଅଧିକାଂଶ ଯୁବକ ଓ ଯୁବତୀ ।
ଘୋର ବିପର୍ଯୟ ସୃଷ୍ଟି ହୋଇଛି ସେମାନଙ୍କର ସକାରାତ୍ମକ ମାନସିକତାରେ । ନକରାତ୍ମକ ଚିନ୍ତାଧାରା ସେମାନଙ୍କୁ କାବୁକରିଛି ଆପାଦମସ୍ତକ । ସତେ ଯେମିତି ସେମାନଙ୍କ ନିକଟରୁ ମାନବିକତା ଦିନକୁ ଦିନ ଲୋପ ପାଇଯାଉଛି । ନୀତି ନୈତିକତା ଯେପରି ସେମାନଙ୍କ ପାଇଁ ଅପହଂଚ । ଯେଉଁମାନଙ୍କର ଶକ୍ତି ,ସାହାସ ,ଦାମ୍ଭିକତା ,କର୍ତ୍ତବ୍ୟପରାୟଣତା
ତ୍ୟାଗ ପ୍ରଭୃତି ମହନୀୟ ଗୁଣାବଳୀକୁ ନେଇ ସମାଜ ଗର୍ବ କରେ,ଆଜି ଦିନରେ ସେହିମାନେ ହିଁ ଅଥର୍ବ ଓ ପଙ୍ଗୁରୂପେ ନିଜେ ନିଜକୁ ସମାଜ ଆଗରେ ଉପସ୍ଥାପିତ କରୁଛନ୍ତି । ତ୍ୟାଗବାଦ ବଦଳରେ ଭୋଗବାଦ ବା ଉପଭୋକ୍ତାବାଦ ମୁଣ୍ଡ ଟେକୁଛି । ବସ୍ତୁବାଦ ର କରାଳ ଛାଇରେ ଆଧ୍ୟାତ୍ମିକବାଦ ଦୁର୍ବଳ ହେବାରେ ଲାଗିଛି । କୃତ୍ରିମତା ବୃଦ୍ଧିପାଇଛି । ପ୍ରାକୃତିକତାର ଅବକ୍ଷୟ ଦେଖାଦେଇଛି ।
ଅଧୁନା ଯୁବସମାଜର ନୀତି ଓ ନୈତିକତାରେ ସ୍ଖଳନ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏଥିପାଇଁ ମୁଖ୍ୟତଃ ଉପଯୁକ୍ତ ନୈତିକ ଶିକ୍ଷାର ଅଭାବ ସହିତ ସଂସ୍କାରହୀନତା ହିଁ ଦାୟୀ,ଯାହାକି ପିଲାମାନଙ୍କର ଏକ ଶୃଙ୍ଖଳିତ ଚରିତ୍ର ଗଠନ ପଥରେ ଅନ୍ତରାୟ ସୃଷ୍ଟି କରୁଛି । ଏସବୁ ପାଇଁ ଅନେକ କ୍ଷେତ୍ରରେ ନିଜ ପିତାମାତାଙ୍କୁ ଦାୟୀ କରାଯାଇପାରେ। ଆଜିକାଲିର ପିତାମାତମାନେ ପିଲାମାନଙ୍କୁ ନୀତି ଶିକ୍ଷା ଦେବା ପରିବର୍ତ୍ତେ ପିଲାଟି ଭବିଷ୍ୟତରେ କିପରି ଭଲ ରୋଜଗାର କ୍ଷମ ହୋଇପାରିବ ବା ଏକ ଟଙ୍କା ତିଆରି ଯନ୍ତ୍ର ହୋଇପାରିବ ସେ ବିଷୟରେ ଅଧିକ ଧ୍ୟାନ ଦେଇଥାନ୍ତି ।
ପିଲାଟି କେତେମାତ୍ରାରେ ପାଠବହିଟିକୁ ମୁଖସ୍ଥ କରି ପରୀକ୍ଷାରେ ଅଧିକ ମାର୍କ ପାଇବା ସହିତ କ୍ଲାସ୍ ରେ ପ୍ରଥମ ହେବ ସେ ବିଷୟରେ ଆଜିକାଲିର ପିତାମାତାଙ୍କର କସରତ ଚାଲଛି । ପିଲାଟି ପ୍ରକୃତରେ କେତେ ପାଠ ବୁଝିଛି ଓ ତଦନୁସାରେ ତାହା ସେ ପ୍ରୟୋଗ କରୁଛି କି ନାହିଁ କିମ୍ବା ପିଲାଟି ଭବିଷ୍ୟତରେ ସମାଜ ପ୍ରତି କେତେ ପରିମାଣରେ ଉପଯୋଗୀ ହୋଇପାରିବ ସେଥିପ୍ରତି ଆମ ପିତାମାତାଙ୍କଳ ତିଳେମାତ୍ର ବି ନିଘା ନାହିଁ ।
ବିଶେଷକରି ଆମେ ପିତାମାତାମାନେ ଅର୍ଥ ରୋଜଗାର ପାଇଁ ଏତେ ବ୍ୟାକୁଳ ଯେ ନିଜ ପିଲାମାନଙ୍କର କଥା ବୁଝିବା ପାଇଁ ଆମ ନିକଟରେ ଟିକିଏ ସମୟ ମଧ୍ୟ ନାହିଁ । ପାଠ ପଢା ଦେଖିବା କଥା ପଚାରେ କିଏ ! ଏସବୁ ଦାୟିତ୍ୱ ଟିଉସନ୍ ଶିକ୍ଷକଙ୍କ ଉପରେ ନ୍ୟସ୍ତ କରିଦେଇ ଆମେ ଯେପରି ଦାୟିତ୍ୱ ମୁକ୍ତ ହେବାର ନିଖୁଣ ଅଭିନୟ କରୁଛୁ । ଯେଉଁ ପରିବାରରେ ପିତାମାତା ଉଭୟ ଚାକିରିଆ ସେମାନଙ୍କ କଥା ନ କହିବା ଭଲ । ଘରେ ରଖିଥିବା ଚାକରାଣୀ ହିଁ ସବୁକଥା ବୁଝନ୍ତି ପିଲାମାନଙ୍କର ।
କିଛି ପିତାମାତା’ ଅଛନ୍ତି ଘରେ କିଛି ଖାଦ୍ୟ ଓ କିଛି ଖେଳନା ସାମଗ୍ରୀ ସହିତ ନିଜ ପିଲାଙ୍କୁ ଘରେ ଏକା ଛାଡି ଘର ବାହାରେ ତାଲା ଦେଇ ଅଫିସ ଚାଲି ଯାଆନ୍ତି ନିଜ ନିଜ କାମରେ । ସତରେ କହିଲେ ଏ କଥା କେତେ ହୃଦୟ ବିଦାରକ ! ପରୀକ୍ଷା ଆସି ଗଲେ ନିଜ ପିଲା କେତେ ମାର୍କ ରଖିଛି ସେ ବିଷୟରେ ଚର୍ଚ୍ଚା ଜୋର୍ ଧରେ ।”ଅମୁକ ପିଲାଟି ଏତେ ନମ୍ବର ରଖିଛି ସମୁକ ପିଲାଟି ସେତେ ନମ୍ବର ରଖିଛି, ତୁ କାହିଁକି ଏତେ କମ୍ ରଖିଛୁ ? ଇତ୍ୟାଦି ଇତ୍ୟାଦି । ଆମ ପିତାମାତାଙ୍କ ଭାଳେଣି ପଡେ ସକାଳୁ ସଂଜ ପର୍ଯ୍ୟନ୍ତ ।
ଏ ପ୍ରସଙ୍ଗ ଆଲୋଚନା କଲାବେଳେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କର କଥା ମନେକୁ ଆସୁଛି । ସେ ବନ୍ଧୁ ଜଣକ ପ୍ରତିଦିନ ପାଖାପାଖି ଅଶି କିଲୋମିଟର ଯିବା ଆସିବା କରି ଚାକିରି କରନ୍ତି । ସେ କୌଣସି ଏକ ବ୍ୟାଙ୍କ୍ ରେ କାର୍ଯ୍ୟ କରନ୍ତି ଓ ଘରଠାରୁ କାର୍ଯ୍ୟସ୍ଥଳୀର ଦୂରତ୍ବ ପ୍ରାୟତଃ ଅଶି କିଲୋମିଟର ହେବ । ସେ ପ୍ରତିଦିନ ସକାଳ ଛଅଟାରୁ ଘରୁ ବାହାରନ୍ତି ପୁଣି ଘରେ ପହଞ୍ଚିଲା ବେଳକୁ ରାତି ନଅ କିମ୍ବା ଦଶ । ଏମିତି କି ସେ ତାଙ୍କ ପିଲାମାନଙ୍କୁ ଦିନସାରା ଦେଖିପାରନ୍ତିନି ।
କାରଣ ସେ ସକାଳେ ଘରୁ ବାହାରିଲା ବେଳେ ପିଲାମାନେ ଶୋଇଥାନ୍ତି ଏବଂ ସେ ପହଂଚିଲା ବେଳେ ବି ପିଲାମାନେ ନିଦରେ ଶୋଇପଡିଥାନ୍ତି । ସପ୍ତାହର ରବିବାର ଦିନ କେବଳ ପିଲାଙ୍କ ସହିତ ହସଖୁସି ଓ କଥାବାର୍ତ୍ତା ପାଇଁ ଯାହା ଯେତିକି ସ୍ବଳ୍ପ ସମୟ ମିଳେ । ମାପଚୁପ କଥା ଭିତରେ ରବିବାର ବି ସରିଯାଏ । ସେଥିରେ ସେ ବନ୍ଧୁ ଜଣକ ନିଜ ପିଲାଙ୍କ ପଢାପଢି ରେ ବହୁତ ଖୁସି ଯେ ସେମାନେ ଶତକଡ଼ା ନବେ ଉପରକୁ ପରୀକ୍ଷାରେ ନମ୍ବର ରଖନ୍ତି ।
ଧନ୍ୟ ଧନ୍ୟ ଆମ ମାନସିକତା ! ପିତାମାତାଙ୍କର ଏତାଦୃଶ ଚିନ୍ତାଧାରା ପିଲାମାନଙ୍କର କେଉଁ ସଫଳତା ଦିଗରେ ସାହାଯ୍ୟ କରିବ ତାହାହିଁ ବିଚାର୍ଯ୍ୟ । ଆମେ ଅଧିକାଂଶ ଅଭିଭାବକ ପିଲାଟାକୁ ଚାରି ପାଞ୍ଚ ବର୍ଷ ହେଉ ନ ହେଉଣୁ ଆବାସିକ ବିଦ୍ୟାଦୟାରେ ନାମ ଲେଖାଇ ଦେଇ ଦାୟିତ୍ୱ ମୁକ୍ତ ହେବା ସହିତ ନିଜ ନିଜର ବଡିମା ଦେଖାଇବାରେ ସତତ ବ୍ୟସ୍ତ । ମାସକୁ ମାସ ଅନଲାଇନ୍ ସ୍କୁଲ୍ ଫି’ ଭରିଦେଇ ଆମେ ଯେମିତି ସବୁ ଝମେଲାରୁ ମୁକ୍ତ ହୋଇଯାଉଛେ । ଆବାସିକ ବିଦ୍ୟାଳୟର ଚାରିକାନ୍ଥ ଭିତରେ କଡା ଶୃଙ୍ଖଳା ଥାଏ ।
ମାତ୍ର ପିଲାଟିର ବାଲ୍ୟ ସୁଲଭ ଗୁଣାବଳୀର ବିକାଶ ହୋଇପାରେ ନାହିଁ । ବାପା ମା’ଙ୍କର ସ୍ନେହ ଶ୍ରଦ୍ଧା ପାଇବାରୁ ସେ ବଂଚିତ ହୁଏ ।ଫଳରେ ପିଲା ଦିନରୁ ହିଁ ପିଲାଟିର ନିଜ ପରିବାର ତଥା ବାପା ମା’,ଭାଇ ବନ୍ଧୁ ଇତ୍ୟାଦିଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଭକ୍ତି ଓ ଦାୟିତ୍ୱ କ୍ରମଶଃ ହ୍ରାସ ପାଏ । ସେହି ପିଲାଟି ଯେତେବେଳେ ବଡ ହୁଏ ଓ ରୋଜଗାରକ୍ଷମ ହୁଏ ସେ ଏକା ରହିବାକୁ ଅଧିକ ପସନ୍ଦ କରେ ଓ ଚିଡିଚିଡା ଭାବ ପ୍ରକାଶ କରେ । ତା’ ମନରେ ନିଜର ପିତାମାତା ତଥା ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରତି ଏକପ୍ରକାର ଉଦାସୀନ ଭାବ ସୃଷ୍ଟି ହୁଏ ।
ବାପା ମା’ଙ୍କର ଆଜିକାଲି ନିଜ ପିଲାମାନଙ୍କ ସୁଖଦୁଃଖରେ ସାମିଲ ହେବାରେ ସମୟ ନାହିଁ । ସେମାନଙ୍କ ସହ ଟିକେ ହସଖୁସି କରିବାର ବି ଇଚ୍ଛା ନାହିଁ କି ଆଗ୍ରହନାହିଁ।
ଏଭଳି ପରିସ୍ଥିତିରେ ପିଲାଟି କେଉଁ ପ୍ରକାର ନୈତିକ ଶିକ୍ଷା ପାଇଲା ଓ କେଉଁ ପ୍ରକାର ନୈତିକତା ସୃଷ୍ଟି ହେଲା -ଏହା ସହଜରେ ଅନୁମେୟ । ଆମେ କେବଳ ମାସକୁ ମାସ କିଛି ପକେଟ ଖର୍ଚ୍ଚ ଟଙ୍କା ପଠେଇଦେଇ ଆମ କର୍ତ୍ତବ୍ୟ ଯେକୌଣସି ପ୍ରକାର ଶେଷ କରିଦେଲେ ଦାୟିତ୍ୱ ସରିଗଲା ବୋଲି ଭାବୁଛୁ । ମାତ୍ର ପିଲାଟି ସେ ଟଙ୍କା ନେଇ କ’ଣ କରୁଛି ବା କେଉଁ ବାଟରେ ଖର୍ଚ୍ଚ କରୁଛି ସେସବୁ ବିଷୟରେ ବୁଝିବାକୁ ନା ଆମ ପାଖରେ ସମୟ ଅଛି ନା ଆଗ୍ରହ ଅଛି ।
ଏହାଦ୍ବାରା ପିଲାମାନଙ୍କୁ ଅବାଟରେ ଯିବାକୁ ଆମେ ଯେପରି ପରୋକ୍ଷରେ ବାଧ୍ୟ କରୁନୁ କି ? ଆଜିକାଲି ଲକ୍ଷ୍ଯକରା ଯାଉଛି ଯେ ପିଲାମାନେ ଅଧିକରୁ ଅଧିକ ଆଳସ୍ୟ ପରାୟଣ ହୋଇ ପଡୁଛନ୍ତି।କୌଣସି କାମ ପ୍ରତି ସେମାନଙ୍କର ଆଗ୍ରହ ରହୁନାହିଁ ।କୌଣସି ପ୍ରକାରେ ଅଧିକରୁ ଅଧିକ ଟଙ୍କା ରୋଜଗାର କରିବା ସେମାନଙ୍କର ଲକ୍ଷ୍ୟ ହୋଇଯାଇଛି ।
ନାମିଦାମୀ ବ୍ରାଣ୍ଡର ମୂଲ୍ୟବାନ ମୋବାଇଲ ,ଲାପଟପ,ଗାଡି ଇତ୍ୟାଦି କିଣିବାରେ ଜୀବନର ସାର୍ଥକତା ମିଳେ ବୋଲି ସେମାନେ ଭାବୁଛନ୍ତି । ଏହି ଶସ୍ତା ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ପିତାମାତାଙ୍କ ଉପରେ ଅଯଥା ଚାପ ପ୍ରୟୋଗ କରୁଛନ୍ତି । ଆବଶ୍ୟକ ହେଲେ ଚୋରି ଭଳି ଯେକୌଣସି ଅସାମାଜିକ ଓ ଘୃଣ୍ୟ ପନ୍ଥା ଅବଲମ୍ବନ କରିବାକୁ ବି ଆଦୌ ପଛାଉ ନାହାଁନ୍ତି । ଏବେ ଏବେ ଯେତିକି ସାଇବର କ୍ରାଇମ ଦେଖିବାକୁ ମିଳୁଛି ସେଗୁଡିକରେ ପ୍ରାୟତଃ ଅଧିକାଂଶ ଉଚ୍ଚ ଯୋଗ୍ୟତାଧାରି ଯୁବକ ଯୁବତୀ ସଂଶ୍ଳିଷ୍ଟ ଅଛନ୍ତି ବୋଲି କୁହାଯାଉଛି ।
ବର୍ତ୍ତମାନ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ତଥା ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହେଉଛି ଯେ ଅନେକ ଯୁବକ ଯୁବତୀ ନିଶାଖୋର ବା ନିଶାସକ୍ତ । ନିଶା ସେବନର ମୟାଜାଲରେ ଦିନକୁ ଦିନ ନିଜକୁ ଛନ୍ଦି ଦେଇ ନିଜର ବହୁମୂଲ୍ଯ ଜୀବନକୁ ନଷ୍ଟ କରିଦେବାକୁ ବି ସେମାନେ ପଛାଉ ନାହାଁନ୍ତି । ବିଭିନ୍ନ ପ୍ରକାର ଡ୍ରଗ୍ସ କାରବାର ସହିତ ଜଡିତ ହୋଇଯାଉଛନ୍ତି । ଏହା ଅତ୍ୟନ୍ତ ପରିତାପ ଓ କ୍ଷୋଭର ବିଷୟ । ଯେଉଁମାନେ ଏ ଦେଶ ଓ ସମାଜର କର୍ଣ୍ଣଧାର ସେହିମାନେ ଯଦି ଅବାଟରେ ଯାଇ ନିଜ ଭବିଷ୍ୟତକୁ ନିଜ ହାତରେ ଜାଳିପୋଡି ଧ୍ବଂସ କରିଦିଅନ୍ତି, ତେବେ ଏ ଦେଶ ଓ ଜାତିର ଭାଗ୍ୟ ଭବିଷ୍ୟତ କ’ଣ ହୋଇପାରେ ? ଏହା ନିଶ୍ଚୟ ଏକ ଚିନ୍ତା ଓ ଉଦବେଗର ବିଷୟ ।
ଜଗତିକରଣର ପ୍ରଭାବରେ ସମଗ୍ର ବିଶ୍ବ ଏକ କ୍ଷୁଦ୍ର ଗ୍ରାମ ରୂପେ ପ୍ରତୀୟମାନ ହେଉଛି । ବିଶ୍ବର କୌଣସି ଏକ କ୍ଷୁଦ୍ର ଅଂଶରେ ପରିବର୍ତ୍ତନ ସମଗ୍ର ବିଶ୍ବ ଉପରେ ପ୍ରଭାବ ପକାଉଛି ।ଆଧୁନିକୀକରଣ ପ୍ରଭାବରେ ସମଗ୍ର ବ୍ୟବସ୍ଥାରେ ଢାଂଚାଗତ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ସରଳିକରଣ ଉପରେ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି । ଉଦାରିକରଣର ପ୍ରଭାବ ସବୁ ସ୍ତରକୁ ସ୍ପର୍ଶ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଆମ ସମାଜର ପ୍ରତିଟି ସ୍ତରରେ ପ୍ରତୀୟମାନ ।ଏହା ଆମ ଜୀବନ ଓ ଜୀବିକାକୁ ନିୟନ୍ତ୍ରଣ କରିବାରେ ଲାଗିଛି ପ୍ରତି ମୁହୂର୍ତ୍ତରେ ଓ ପ୍ରତିଟି କ୍ଷେତ୍ରରେ । ଏହି ସମଗ୍ର ବ୍ୟବସ୍ଥା ଯୁବସମାଜର ମାନସିକତାରେ ନକରାତ୍ମକ ପ୍ରଭାବ ପକାଉଛି ।
ଏହାର ପ୍ରଭାବରେ ବସ୍ତୁବାଦୀ ବିକାଶ ପଛରେ ଆମ ଯୁବ ଗୋଷ୍ଠୀ ସର୍ବଦା ଧାବମାନ ।ଏହା ସହିତ ଲକ୍ଷ୍ୟ କରାଯାଏ ଯେ ନୀତି ନୈତିକତାର ସେଭଳି କିଛି ବିକାଶ ଯେପରି ହେଉନି ।ଦିନକୁ ଦିନ ନୈତିକ ସ୍ଖଳନ ଘଟୁଛି ଯେମିତି । ସକାଳୁ ରାତ୍ର ଅର୍ଦ୍ଧ ଯାଏ ମୋବାଇଲ, କମ୍ପ୍ୟୁଟର, ଲାପଟପ ପ୍ରଭୃତି ସହିତ ଯୁବସମାଜ ଯେପରି ସତତ ଅନୁବନ୍ଧିତ । ରକ୍ତ ମାଂସର ସାମିଜିକ ମଣିଷ ହୋଇ ଯେପରି ପ୍ରତି ମୁହୂର୍ତ୍ତରେ ଯନ୍ତ୍ର ମାନବ ରୂପେ ନିଜକୁ ବିକଶିତ କରୁଛନ୍ତି । ଯନ୍ତ୍ରବତ୍ କାର୍ଯ୍ୟ କରୁଛନ୍ତି ପ୍ରତିଟି କ୍ଷେତ୍ରରେ । ଆଚରଣ ଓ ଉଚ୍ଚାରଣରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ।ସଂକ୍ଷେପରେ କହିବାକୁ ଗଲେ ବିଜ୍ଞାନର ପ୍ରଗତି ସିନା ମଣିଷକୁ ବିଜ୍ଞାନୀ କରିଦେଉଛି,ମାତ୍ର ସଦାଚାରଯୁକ୍ତ ଚରିତ୍ରବାନ ମଣିଷ ତିଆରି କରିବାରେ ଅଧିକଂଶ ଭାବରେ ବିଫଳ ହେଉଛି କହିଲେ ବୋଧହୁଏ ଭୁଲ ହେବନି ।
ଆମେ ଏକ ସୁଖ ଓ ସମୃଦ୍ଧିକର ଜୀବନ ଜୀଇଁବା ପାଇଁ ହେଲେ ଆଧୁନିକତାର ଭୂମିକା ରହିଛି । ବସ୍ତୁବାଦୀ ବା ଉପଭୋକ୍ତାବାଦୀ ପ୍ରଗତିର ଆବଶ୍ୟକତା ରହିଛି । ଏହା ନିଃସନ୍ଦେହରେ କୁହାଯାଇପାରେ । ବଂଚିବା ପାଇଁ ଅର୍ଥର ଏକ ବଡ ଭୂମିକା ରହିଛି । ମାତ୍ର ସଂପୂର୍ଣ୍ଣ ରୂପେ ଅର୍ଥ ସର୍ବସ୍ବ ହେବା ଆଦୌ ଠିକ୍ ନୁହେଁ । ସ୍ନେହ,ପ୍ରୀତି,ଶ୍ରଦ୍ଧା,ଦୟା,କ୍ଷମା ,ଭକ୍ତି ସମ୍ମାନ ଇତ୍ୟାଦି ମହନୀୟ ସାମାଜିକ ଗୁଣାବଳୀଗୁଡିକର ସମାଜ ଗଢିବାରେ ଯେ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି ଏକଥା ଆମେ କେହି ଭୁଲି ନ ଯିବା ଉଚିତ୍ ।ନୀତି ନୈତିକତାର ଯଥାର୍ଥ ବିକାଶ ଘଟିଲେ ବସ୍ତୁବାଦୀ ବିକାଶ ଦୀର୍ଘଜୀବୀ ହୋଇପାରିବ ନିଶ୍ଚୟ ।
ସମାଜ ଶୃଙ୍ଖଳିତ ହେବ। ଜୀବନ ଆନନ୍ଦମୟ ହେବ ।ସେଥିପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ।ଜନ୍ମ ଠାରୁ ଶିଶୁଟିକୁ ସଦାଚାର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । ମାତ୍ର ଆମେ ଆଜିକାଲିର ବାପା ମା’ ସଦାଚାର ପରବର୍ତ୍ତେ କର୍ତ୍ତବ୍ୟ ଉପରେ ଅଧିକ ଗୁରୁତ୍ବ ଦେଉଛୁ । କର୍ତ୍ତବ୍ୟ ହସ୍ତଗତ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଶୃଙ୍ଖଳିତ କରେ, ମାତ୍ର ସଦାଚାର ମଣିଷ ଜୀବନକୁ ଗଢିବା ସହିତ ସମାଜକୁ ସୁସଂହତ ଓ ଶୃଙ୍ଖଳିତ କରେ ।
ଆଜିର ସମାଜରେ ସଦାଚାର ଶିକ୍ଷାର ଅଭାବ ଦେଖିବାକୁ ମିଳୁଛି ।ଆଧୁନିକ ଜୀବନ ଶୈଳୀ,ବ୍ୟକ୍ତିକୈନ୍ଦ୍ରିକ ପାରିବାରିକ ଜୀବନ,ସ୍ବାର୍ଥପର ଓ ସଂକୀର୍ଣ୍ଣ ମନୋଭାବ,ଈର୍ଷା, ପରଶ୍ରୀକାତରତା, ଅସୂୟା ଭାବ ପ୍ରଭୃତି ଆମର ଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ନଷ୍ଟ କରିବା ସହିତ ସମାଜରେ ଅସାମାଜିକ ପରିବେଶ ସୃଷ୍ଟି କରୁଛି । ସାମାଜିକ ମୂଲ୍ୟବୋଧର ଦ୍ରୁତ ପତନ ଦେଖାଯାଉଛି ।ଏହା ଯୁବସମାଜର ଚପଳ ମାନସିକତାକୁ ଅତି ସହଜରେ କବ୍ଜା କରୁଛି । ଫଳରେ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି ।
ବୃଦ୍ଧାବସ୍ଥାରେ ବାପା ମା’ମାନେ ଚିତ୍କାର କରୁଛନ୍ତି ସେମାନଙ୍କ ସନ୍ତାନମାନଙ୍କର କ୍ରୁର ଓ ଆଶାଳୀନ ବ୍ୟବହାରରେ । ବୃଦ୍ଧାଶ୍ରମର ଦ୍ବାର ଯେମିତି ସେମାନଙ୍କୁ ଅପେକ୍ଷା କରିଛି ସେମାନଙ୍କର ପରିଣତ ବୟସରେ । ଆଜିର ପିଲାମାନେ ବୃଦ୍ଧ ପିତାମାତାଙ୍କ ଉପସ୍ଥିତିକୁ ନିଜର ଏକ ଶକ୍ତ ବୋଝ ରୂପେ ଭାବୁଛନ୍ତି । ଏପରିକି ଭରଣପୋଷଣ ପାଇଁ କୋର୍ଟ କଚେରୀ ର ଦ୍ବାରସ୍ଥ ହେବାକୁ ପଡୁଛି ବୃଦ୍ଧ ପିତାମାତାଙ୍କର ଏଭଳିି ଅସହାୟ ଅବସ୍ଥାରେ । କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ଆଜି ନିଜର ଏ ଅବସ୍ଥା ପାଇଁ କିଏ ଦାୟୀ ??
ଆଜିର ଯୁବ ସମାଜ ବିଭିନ୍ନ ପ୍ରକାର ସଫଳତା ପଛରେ ଧାଉଁଛନ୍ତି ।କିଏ ପାଠ କ୍ଷେତ୍ରରେ ସଫଳତା ଚାହେଁ ତ ଆଉ କିଏ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ସଫଳତା ଚାହେଁ । ଆଉ କିଛି ସାମାଜିକ ପ୍ରତିଷ୍ଠା ପଛରେ ଧାଉଁଥାନ୍ତି ଆଖିବୁଜି । ମାତ୍ର ଜୀବନର ପୂର୍ଣ୍ଣ ସାର୍ଥକତା କେତେ ଲୋକ ଚାହାଁନ୍ତି ? ହୁଏତ ଏଭଳି ମାନସିକତାର ଲୋକଙ୍କ ସଂଖ୍ୟା କମ୍ ହୋଇପାରେ ।ଜୀବନରେ ସଫଳତା ଚାହୁଁଥିବା ବ୍ୟକ୍ତି ଜୀବନରେ ସାର୍ଥକତା ନପାଇ ପାରନ୍ତି । ସେହିଭଳି ଜୀବନ ଓ ଜୀବିକା ଏକ ନୁହେଁ ।
ଜଣେ ବ୍ୟକ୍ତି ଜୀବିକାର ସଫଲତା ପାଇପାରେ ମାତ୍ର ଜୀବନରେ ବିଫଳତାର ସ୍ବାଦୁ ଚାଖିପାରେ। ଭଲ/ବଡ ମଣିଷ ଓ ଧନୀ ମଣିଷ ମଧ୍ୟରେ ପାର୍ଥକ୍ୟ ରହିଛି । ଭଲ / ବଡ ମଣିଷ ନିକଟରେ ପ୍ରାକୃତିକତା ଥାଏ ମାତ୍ର ଧନୀ ମଣିଷ ପାଖରେ କୃତ୍ରିମତା ଯଥେଷ୍ଟ ଅଧିକ ଦେଖିବାକୁ ମିଳେ । ଜଣେ ଭଲ ଛାତ୍ର ପାଇଁ ତା’ର ଶିକ୍ଷିତ ବାପା ବା ପାପା ବା ଡାଡି ଆଦର୍ଶ ହୋଇପାରନ୍ତି । ଶିକ୍ଷିତ ବାପା ଜଣକ ନିଜ ପିଲାର ଶିକ୍ଷା କ୍ଷେତ୍ରରେ ଅଧିକ ଯତ୍ନ ନେଇପାରେ । ମାତ୍ର ଜଣେ ଅଶିକ୍ଷିତ ବାପା ଜଣେ ଭଲ ପିଲା ପାଇଁ ଆଶୀର୍ବାଦ ହୋଇଥାନ୍ତି । କାରଣ ସେହି ପିଲାଟି ଭବିଷ୍ୟତରେ ଜଣେ ପୂର୍ଣ୍ଣାଙ୍ଗ ମଣିଷ ହେବାର ବାଟ ପାଇଥାଏ ।
ଆଜିର ସମାଜରେ ଅହଙ୍କାର ଓ ଫାଙ୍କା ଆଦର୍ଶ ଯୁବସମାଜକୁ ସ୍ଥାଣୁ କରିବାରେ ଲାଗିଛି ।ଏହାଦ୍ବାରା ସାଂସ୍କୃତିକ ମୂଲ୍ୟବୋଧ ହାସ ଘଟୁଛି । ମାନବିକତାରେ ସଂକଟ ସୃଷ୍ଟି ହେଉଛି । ଆଧୁନିକତା ବହୁଳ ଭାବରେ ଯୁବସମାଜକୁ ମୋହାଚ୍ଛନକରି ରଖିଛି । ଧର୍ମର ଲୌକିକ ରୀତି,ନୀତି,ପୂଜା ପାଠ,ଉପବାସ,ବ୍ରତ ଇତ୍ୟାଦି ନିକଟରେ ଆଧ୍ୟାତ୍ମିକତାର ସରଳ ବର୍ଣ୍ଣବିଭା ଯଥା ସତ୍ୟ, ଶାନ୍ତି, ଶ୍ରଦ୍ଧା, ଦୟା,କ୍ଷମା,ସମର୍ପଣ ଭାବ,ମାନବିକତା ପ୍ରଭୃତି ନଷ୍ଟ ହେବାକୁ ବସିଲାଣି । ଏହାଦ୍ବାରା ମଧ୍ୟ ଯୁବସମାଜ ଗଭୀର ଭାବରେ ପ୍ରଭାବିତ । କକ୍ଷଚ୍ୟୁତ ଉଲ୍କାଖଣ୍ଡ ଭଳି ସେମାନେ ଏଣେତେଣେ ଲକ୍ଷ୍ୟହୀନ ଭାବରେ ଘୂରିବୁଲୁଛନ୍ତି।
ଏ ସବୁର ଆଶୁ ସମାଧନ ନିତ୍ୟାନ୍ତ ଆବଶ୍ୟକ । କିଛି ବଡ ବିପର୍ଯ୍ୟୟ ହେବା ପୂର୍ବରୁ ଅଧଃପତିତ ଯୁବସମାଜ ଥରେ ସମାଜକୁ ଭଲଭାବରେ ଚାହିଁବା ଦରକାର । ସେମାନଙ୍କର ସମାଜ ପ୍ରତି ଥିବା ଅଙ୍ଗୀକାରବୋଧତା ସମ୍ପର୍କରେ ନିଶ୍ଚିତ ଧାରଣା ରହିବା ଆବଶ୍ୟକ ।ଭଲ ମନ୍ଦ ବିଷୟରେ ଫରକ୍ ଜାଣିବା ଦରକାର । କେବଳ ରୂପେଲୀ ପରଦାର ଚକମକ ଚିତ୍ରିରେ ଭାସିଗଲେ ସମାଜ ଆହୁରି ତଳକୁ ତଳକୁ ଚାଲିଯିବା ସହିତ ଆମ ସାମାଜିକ ଜୀବନରେ ଦେଖାଦେବ ଅନେକ ଫାଟ ଓ ବିଶୃଙ୍ଖଳା ।
ଯାହା ଫଳରେ ସାମାଜିକ ଓ ସାଂସ୍କୃତିକ ବିଧିବ୍ୟବସ୍ଥା ଦିନେ ନା ଦିନେ ତାଆସର ଘର ଭଳି ଭୁଷୁଡି ପଡିବ । ବର୍ତ୍ତମାନ ଆମ ସମାଜ ଏକ ଶୃଙ୍ଖଳିତ ଯୁବ ଗୋଷ୍ଠୀ ଉପରେ ନିର୍ଭରଶୀଳ । ଆଧୁନିକତା ସହିତ ଆମର ମହାନ ପ୍ରଥା ପରମ୍ପରା ପ୍ରତି ଗଭୀର ବିଶ୍ବାସ ରହିବା ବିଧେୟ । ପ୍ରାଚୀନତା ଓ ଆଧୁନିକତା ମଧ୍ୟରେ ଏକ ଯୋଗସୂତ୍ର ରହିବା ଆବଶ୍ୟକ ।ଆଜିର ଯୁବସମାଜ ଏଗୁଡିକୁ ନିଶ୍ଚୟ ଥରେ ଧୀର ଓ ସ୍ଥିର ମନରେ ଅନୁଶୀଳନ କରିବା ଏକାନ୍ତ ବାଂଛନୀୟ । ନିଜ ଅନ୍ତର୍ନିହିତ ଶକ୍ତିର ଭରପୂର ଉପଯୋଗ କରି ଥରେ ଭାବିବା ଦରକାର ଯେ ”ସବୁ ଚକ୍ ଚକ୍ ଦେଖାଯାଉଥିବା ଜିନିଷ ସୁନା ନୁହେଁ “।