Odisha news

ଆସ ଅଲାରେ ଖାଅ କ୍ଷୀର ମୁ ଯାଉଛି ଦୁଆରକିଳି

0

ପଦ୍ମଜl ପଟ୍ଟନାୟକ : ଭଗବାନ ବିଷ୍ଣୁଙ୍କର ଅନେକ ରୂପ ମଧ୍ୟରୁ “ଅଲାରନାଥ “ହେଉଛନ୍ତି ଗୋଟିଏ ରୂପ l ଅଲାରନାଥଙ୍କ ମନ୍ଦିର କେବଳ ଓଡ଼ିଶାରେ ପ୍ରସିଦ୍ଧ ନୁହେଁ ,ବାହାର ରାଜ୍ୟରୁ ମଧ୍ୟ ଅନେକ ଲୋକ ଏଠାକୁ ଆସିଥାନ୍ତି l ଓଡ଼ିଶାର ପୁରାତନ ମନ୍ଦିର ଭିତରୁ ଅଲାରନାଥ ଗୋଟିଏ ,ପୁରୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ଏହି ସୁନ୍ଦର ମନ୍ଦିରଟି  ବ୍ରହ୍ମଗିରୀରେ ଅବସ୍ତିତ l ଅଲାରନାଥଙ୍କୁ ଜଗନ୍ନାଥଙ୍କର ରୂପ ବୋଲି ଗ୍ରହଣ କରାଯାଇଛି l

କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ମନ୍ଦିରର ୧00 ବର୍ଷ ପୂର୍ବରୁ ଅଲାରନାଥ ମନ୍ଦିର ତିଆରି ହୋଇଥିଲା l ଏହି ମନ୍ଦିରକୁ ସ୍ୱୟଂ ବ୍ରହ୍ମା ଧରା ପୃଷ୍ଠରେ  ନିର୍ମାଣ କରିଥିବାର କିମ୍ବଦନ୍ତୀରେ ରହିଛି l ଶ୍ରୀମନ୍ଦିର ପ୍ରତିଷ୍ଠା କରିବା ପାଇଁ ରାଜା ଇନ୍ଦ୍ରଦ୍ୟୁମନ ପ୍ରଭୁଙ୍କୁ ଆଜ୍ଞା ମାଗିଥିଲେ l ସେହି ସମୟରେ ମହାପ୍ରଭୁ ସ୍ୱପ୍ନାଦେଶ ଦେଲେ ଯେ ସ୍ୱୟଂ ବ୍ରହ୍ମା ବର୍ତ୍ତମାନ ଧରା ପୃଷ୍ଠାରେ ଅଛନ୍ତି ତାଙ୍କୁ ଶ୍ରୀମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ କରନ୍ତୁ l ରାଜା ଇନ୍ଦ୍ରଦ୍ୟୁମନ ପ୍ରଭୁଙ୍କ ନିର୍ଦେଶ ମାନି ବ୍ରହ୍ମାଙ୍କୁ ନିମନ୍ତ୍ରଣ କରି ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ l ସେହି ଦିନଠାରୁ ଏହି ସ୍ଥାନର ନାମ ବ୍ରହ୍ମଗିରୀ l

୧୫୧0 ରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେl  ସେତେବେଳେ ଠାକୁରଙ୍କର ଅଣସର ନୀତିର ତୃତୀୟ ଦିନ ଥିଲା ,ତେଣୁ ସେ ପ୍ରଭୁଙ୍କ ଦର୍ଶନ ପାଇ ପାରିଲେ ନାହିଁ l କାରଣ ଦେବସ୍ନାନ ପୁର୍ଣିମାରେ ଠାକୁର ମହାସ୍ନାନ କରି ଜ୍ବରରେ ପୀଡିତ ହୁଅନ୍ତି l ଏହି ସମୟରେ ତାଙ୍କର ଜ୍ୱରକୁ କମ କରିବା ପାଇଁ ଗୁପ୍ତନୀତି ସବୁ ଚାଲେ ,ଯାହାକୁ କୀ କୌଣସି ସାଧାରଣ ମଣିଷ ପକ୍ଷ ଜାଣିବା ଓ ଦେଖିବା ସମ୍ଭବ ନୁହେଁ l ଏହି ନୀତି ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ l ଏହି ସମସ୍ତ କାରଣ ରୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ରତ୍ନସିଂହାସନ ଉପରେ ଚତୁର୍ଧା ମୂର୍ତିଙ୍କୁ ଦେଖି ପାରିଲେ ନାହିଁ l ତାପରେ ଭାବବିହ୍ୱୋଳ ହୋଇ ଭୋଭୋ ହୋଇ କାନ୍ଦିବାକୁ ଲାଗିଲେ କହିଲେ ହେ ପ୍ରଭୁ ଏତେ ବାଟରୁ ଧାଇଁ ଆସିଛି ତୁମକୁ ଟିକେ ଦର୍ଶନ କରିବା ପାଇଁ l ଯଦି ଦର୍ଶନ ନକରି ପାରିଲି ତେବେ ମୋର ଏହି ପ୍ରାଣରଖି କିଛି ଲାଭନାହିଁ,ଆଜି ଏହି ମହୋଦଧି ଗର୍ଭରେ ମୁଁ ଜୀବନକୁ ଶେଷ କରିଦେବି l ଏହି ସମୟରେ ଶ୍ରୀ ଚୈତନ୍ୟଙ୍କୁ ଶୂନ୍ୟ ବାଣୀ ହେଲା “ହେ ଚୈତନ୍ୟ ତୁମେ ମୋର ପ୍ରିୟଭକ୍ତ l ଏଠାରୁ ମାତ୍ର କିଛିଦୂର ଯିବାପରେ  ବ୍ରହ୍ମଗିରୀ ଠାରେ ଅଲାରନାଥ ରୂପରେ ପାଇବ l ଏହା ପରେ ଚୈତନ୍ୟ ବ୍ରହ୍ମଗିରୀରେ ସ୍ୱୟଂ ନାରାୟଣଙ୍କୁ ପାଇ ଭୋଭୋ ହୋଇ କାନ୍ଦି ପଡିଥିବା ଗୋଟିଏ ପଥର ଖଣ୍ଡ ଉପରେ ୧0୮ ଥର ମୁଣ୍ଡିଆ ମାରିଲେ l ତାଙ୍କର ସେହି ଭକ୍ତିରେ ଏପରି ଶକ୍ତି ଥିଲା ପଥର ମଧ୍ୟ ତରଳି ଗଲା,ଆଜି ମଧ୍ୟ ସେହି ପଥରଖଣ୍ଡ ସେଠାରେ ବିରlଜମlନ l ସେହି ଦିନଠାରୁ ସମସ୍ତ ଭକ୍ତମାନେ ଅଣବସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି l

ଏହି ସମୟରେ ଜଗନ୍ନାଥଙ୍କ ପାଖରେ ଯେଉଁ ୬0 ପଉଟି ଭୋଗ ଲାଗିଥାଏ ତାହା ଅଲାରନାଥଙ୍କ ପାଖରେ ଲାଗେ କିନ୍ତୁ ଅଲାରନାଥଙ୍କ ମୁଖ୍ୟଭୋଗ ଖିରି l

ଏହି ଖିରିକୁ ନେଇ ଗୋଟିଏ ସୁନ୍ଦର ପୌରାଣିକ କଥାଅଛି l ଅଲାରନାଥ ମନ୍ଦିରକୁ ଜଣେ ବ୍ରାହ୍ମଣ ପୂଜା କରୁଥିଲେ ,ସେ ଭିକ୍ଷାକରି ନିଜର ଗୁଜୁରାଣ ମେଂଟଉଥିଲେ l ଥରେ ତାଙ୍କର ଭିକ୍ଷା କରିବାକୁ ଯିବା ପାଇଁ ଡେରି ହୋଇଗଲା ତେଣୁ ସେ ତାଙ୍କର ଛୋଟ ପୁଅକୁ ପୂଜା କରିବା ପାଇଁ କହିଗଲେ l ଛୋଟ ପିଲାଟି ପୂଜାର କୌଣସି ନୀତିନିୟମ ଜାଣି ନଥିଲା ,ପୂଜା ସରିଲା ପରେ ଠାକୁରଙ୍କ ପାଖରେ ଭୋଗ ଲଗାଇଲା ଓ କହିଲା “ଆସ ଅଲାରେ ଖାଅ କ୍ଷୀରି ,ମୁଁ ଯାଉଅଛି ଦୁଆର କିଳି ,ବାପା ଯାଇଛନ୍ତି ବାହାର ଗାଁ ,ମୁଁ ନଜଣାଇ ଦିଅଁଙ୍କ ନାଁ “l ବ୍ରାହ୍ମଣ ଜଣକ ନିଜ ଭିକ୍ଷାବୃତି ସାରି ଫେରିଲା ପରେ ମନ୍ଦିର ଭିତରକୁ ଗଲେ ,ସବୁ ଦେଖିଲା ବେଳକୁ ଠାକୁରଙ୍କ ହାତରେ କ୍ଷୀରି ଲାଗିଛି ଓ ଭୋଗ ଥାଳିରେ କୌଣସି ଭୋଗ ନାହିଁ l ତାପରେ ପୁଅ ପାଖରୁ ସମସ୍ତ କଥା ଶୁଣିଲେ ଓ ଆନନ୍ଦରେ ଭାବବିହ୍ୱୋଳ ହୋଇ କାନ୍ଦିବାକୁ ଲାଗିଲେ l

ସତରେ ଭଗବାନଙ୍କୁ ଧୂପଦୀପ ନୈବେଦ୍ୟରେ ନୁହେଁ ,ସ୍ନେହର ବନ୍ଧନରେ ବାନ୍ଧି ରଖାଯାଏ l

Leave A Reply