ମଣିଷ ଜୀବନରେ ସମୟ ଠାରୁ ମୂଲ୍ୟବାନ୍ କିଛି ନାହିଁ । ଅର୍ଥାତ୍ ସମୟର ସଦୁପଯୋଗ କରିବା ପ୍ରତ୍ୟେକ ମଣିଷର ଉଚିତ୍ କର୍ତ୍ତବ୍ୟ । ଆଜିକା ଯୁଗରେ ନିଜନିଜର ମହତ୍ତ୍ୱକାଂକ୍ଷା ପୂରାକରିବା ଉଦ୍ଦେଶ୍ୟରେ ଧାଁଦୌଡ ଭରାଜୀବନରେ ଯେତେବେଳେ ଗୋଟିଏମିନିଟ୍ କାହାକୁ ଫୁରୁସତ୍ ନାହିଁ ସେତେବେଳେ ଏକୋଇଶି ଦିନର ତାଲାବନ୍ଦି ହଜମ କରିବା କ’ଣ କମ କଷ୍ଟ! ଏଇଟା କିନ୍ତୁ ଜୀବନମରଣର ସମସ୍ୟା । ବାହାରକୁ ବାହାରିଲେ ମଲ । ପ୍ରଧାନମନ୍ତ୍ରୀ ଯୋଡହସ୍ତରେ ଦେଶବାସୀଙ୍କୁ ନିବେଦନ କରି କହିଲେ, ‘ଜାନ୍ ହେ ତୋ ଜହାନ୍ ହେ । ଅପନିଅପନି ଘରମେ ରହୋ ।’ କିନ୍ତୁ ମୋ’ସାଙ୍ଗ ନରିକୁ କଥାଟା ସେତେ ଭଲ ଲାଗିଲାନି । ଟିଭିରୁ ଶୁଣିଦେଇ ସାଙ୍ଗେସାଙ୍ଗେ ଆଭିଏଟର୍ ବାହାରକଲା ।
କୁଆଡେ ଗଲା ଯେ ଠିକ୍ ରାତି ଏଗାରଟା ପଚାଶରେ ଆସି ଘରେ ପହଁଚିଲା । ରାତି ବାରଟାରୁ ବନ୍ଦ ଘୋଷଣା କରାଯାଇଛି । ଆଭିଏଟର ଡିକିଚାବିକୁ ମନିପର୍ସରେ ରଖି ଶୋଇଲା । ଡିକିିରେ ବୋଧେ ବିଶେଷ ଦ୍ରବ୍ୟ ରଖିଛି । ପରଦିନ ପୂର୍ବାହ୍ନ ଏଗାରଟାରେ ପତ୍ନୀ ବାଥ୍ରୁମ୍ରୁ ବାହାରି କହୁଛି, ‘ ଗୋଟାଏ କ’ଣ କଡାଗନ୍ଧା ହେଉଛି? ଏଇଟା ତ ସିଗାରେଟ୍ ଧୂଆଁଗନ୍ଧ ନୁହଁ । ବିଚମାମୁଁ ତ୍ରୀନାଥମେଳା କରି ଘରକୁଫେରିଲା ବେଳେ ତାଙ୍କ ମୁହଁ ବି ଏମିତି ବାସେ । ତୁମେ ଆଉ ଗଞ୍ଜେଇ ଅଭ୍ୟାସ କଲଣି ନା କ’ଣ?’ ନରିର ନିଶା ଖସିଗଲା । ସିଏ ବାହା ହେବାର ତିରିଶବର୍ଷ ହେଲାଣି । ବାହାଘର ଦୁଇବର୍ଷ ପୂର୍ବରୁ ଦିନକୁ ଦୁଇଟି ଗଞ୍ଜେଇ ସିଗାରେଟ୍ ନିୟମିତ ଟାଣେ । ଗୋଟିଏ ଦିନ ଏଗାରଟାରେ, ଆଉଗୋଟେ ଅପରାହ୍ନ ଚାରିଟାରେ । ବିଗତ ବତିଶବର୍ଷ ହେଲା ଏ ବଦଅଭ୍ୟାସକୁ ସିଏ ପାଳିଛି, କିନ୍ତୁ କେହି ଜାଣିନଥିଲେ ।
ଝଡ ହେଉ, ତୋଫାନ୍ ଆସୁ ପୁରୁଣାବଷଷ୍ଟାଣ୍ଡ ଖଟିକୁ ଯିବା ଭୁଲେନି କି ଏ ବଦଭ୍ୟାସଟିକୁ କେବେ ବି ବ୍ରେକ୍ କରିନଥିଲା । କିନ୍ତୁ ତାଲାବନ୍ଦି ଘୋଷଣା ଯୋଗୁଁ ତାର ଆଜି ଅବସ୍ଥା ସଙ୍କଟାପନ୍ନ । ଚବିଶଘଂଟା ଘରେ ରହିବାକୁ ପଡୁଛି । ମୁହଁରେ ଗଞ୍ଜେଇ ବାସ୍ନାଟା ଘଂଟାଏ ଉପରେ ରହୁଛି । ତାଙ୍କ ସ୍ତ୍ରୀକୁ ଭୟ । ଯଦି ଏ’କଥା ପେଟରେ ନରଖି ସାଇପଡିଶା କି ଶଳାଶାଳି ଆଗରେ ଗପୁଗପୁ ଗପିଦେଲା ନରିବାବୁଙ୍କର ଇଜତରେ ବହୁତ ଘାଟାହେବ । ସେଥିପାଇଁ ସହିହେଉନି କି କହିହେଉନି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, ଉଭୟଙ୍କ ଉପରେ ଗରଗର ହୋଇ ମନମାରି ରହିବାକୁ ପଡୁଛି ।
ନରିବାବୁଙ୍କର ବଦଭ୍ୟାସ ଗୋଟାଏ ନୁହେଁ । ଦୁଇଟା । ସନ୍ଧ୍ୟା ଆଠଟା ପରେ ନାଲିପାଣିରୁ ଦି’ପେଗ୍ ନହେଲେ ରାତ୍ରୀ ଭୋଜନ ରୂଚେନି । ସେଥିପାଇଁ ଆଭିଏଟର ଡିକିରେ ଗିଲାସ, ପାଣି ପାଉଚ୍, ଦୁଇଟା ହ୍ୱିସ୍କ୍ଖମ୍ବା କାଲିରାତିରେ ଆଣି ରଖିଛି । ବାବୁ ଗ୍ୟାରେଜ୍ ଭିତରକୁ ଯାଉଛନ୍ତି, ଦଶମିନିଟ୍ରେ ଦି’ପେଗ୍ ନେଇ ବାହାରିଲା ବେଳକୁ ସ୍ତ୍ରୀ ନାକକୁ ମଦଗନ୍ଧ ଆସୁଛି । ଅଫିସ ଯାଉଥିଲେ ସିନା ରାତି ଆଠଟାରେ ଏ ଅବକାରୀ କାମସାରି ଘରେ ପହଁଚୁପହଁଚୁ ନଅଟା ବାଜୁଥିଲା । ବାହାରୁ ଆସି ସିଧା ବାଥ୍ରୁମ୍ରେ ପଶି ମାଉଥ୍ଫ୍ରେସ୍ନର୍ , ଫଗ୍ ବଡିସ୍ପ୍ରେ ଆଦି ଲଗେଇ ବାହାରକୁ ବାହାରିଲା ବେଳକୁ ଘରଭିତରଟା ଗମ୍ଗମ୍ ହୋଇ ମହକିଯାଏ । ସ୍ତ୍ରୀ’କୁ କିଛି ଜଣାପଡେନି ।
କିନ୍ତୁ ଏଇ ଦି’ ତିନି ଦିନରେ ନରିବାବୁଙ୍କର ଅସଲି ଚେହେରାଟା ଧରା ପଡିଗଲାଣି । ଦୁଇପ୍ରାଣୀ ଭିତରେ ଖୁମ୍ପାଖୁମ୍ପି ହୋଇ ମହାଭାରତ ହେବାର ଲକ୍ଷଣ ଦିଶିଲାଣି । ଆଗକୁ ଆଉରି ଅଠରଦିନ ଏଇଘରେ ଏମିତି ତାଲାବନ୍ଦି ହୋଇ ରହିବାକୁ ହେବ । ଚିନ୍ତାରେ ନରିବାବୁଙ୍କର ସୁଗାର ବଢିଯାଉଛି । ତିନିଟା ମୁଖ୍ୟ ଚିନ୍ତା । ପୁଡିଆ ଅଛି ଯେ ଲଗେଇଲା ବେଳକୁ ଧୂଆଁବାସ୍ନାଟା ଚାରିଆଡେ ମହକିଯିବାରୁ ଅସୁବିଧା ହେଉଛି । ବୋତଲର ଯାହା ଷ୍ଟକ୍ ଅଛି ମାତ୍ର ଆଗାମୀ ତିନିଦିନ ପାଇଁ କୁଳେଇବ ।
ଘରେ ବସିବସି ବୋର୍ ଲାଗିଲେ ଦିପେଗ୍ ଯାଗାରେ ଚାରିପେଗ୍ ମାରିବାକୁ ହେଉଛି । ସବୁ ଚାନେଲ୍ରେ କରୋନା କରୋନା । କେତେ ଟିଭିରେ ସେଇ ଏକା ଜିନିଷ ଦେଖିବ! ସବୁ ଅବକାରୀ କାଉଁଟର ବନ୍ଦ । ସେଥିରୁ ପ୍ରତ୍ୟେହ ରାତିରେ ଗିଲାସେ ନହେଲେ ନ ଚଳେ । ପ୍ରଧାନମନ୍ତ୍ରୀ ଭଲ ଲୋକ, ପିଆପିଇ କରୁନାହାନ୍ତି । ସିଏ କୁଆଡୁ ଜାଣିବେ ଯେ ଔଷଧ କ୍ଷୀର ଠାରୁ ଏଇଟା ବେଶୀ ଜରୁରୀ ବୋଲି! ତାପରେ ଘରେ ନରିବାବୁଙ୍କ ଘରମଣି କହୁଛି, ‘ତିରିଶବର୍ଷ ହେଲାଣି ମୁଁ ଗୋଟାଏ ମଦୁଆ ଗଞ୍ଜଡର ସ୍ତ୍ରୀ ହୋଇ ଗୋଟିଏଖଟରେ ଶୋଉଥିଲି, ଏଇଘରେ ଗୋଟିଏ ଛାତତଳେ ରହୁଥିଲି ବୋଲି ଆଜି ଜାଣିଲି । ନରେନ୍ଦ୍ରମୋଦୀଙ୍କୁ ଆନ୍ତରିକ ଧନ୍ୟବାଦ ।’ କଟା ଘାଆରେ ଚୁନ ନେସୁଛି, ମଜା ଦେଖୁଛି । ମଝିରେମଝିରେ ନରିବାବୁଙ୍କୁ ଧମକାଉଛି ତାଲାବନ୍ଦି ଖୋଲିଲେ ତା’ଙ୍କ ଘରକୁ ଯାଇ ତା’ଭାଇ ଭାଉଜ ପାଖରେ ରହିବ । ଗୋଟିଏ ବୋଲି ପୁଅ ତ ହଷ୍ଟେଲ୍ରେ ରହି ପାଠ ପଢୁଛି ।
ଜଣେ ବାବା କହିଥିଲେ ଯେ କୌଣସି ଅଭ୍ୟାସ କି ବଦଭ୍ୟାସ ବଦଳେଇବା ପାଇଁ ଏକୋଇଶି ଦିନ କାଳଖଣ୍ଡ ଏକ ପ୍ରକାର ପର୍ଯ୍ୟାପ୍ତ ସମୟ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସୌଜନ୍ୟରୁ ଆମକୁ ଘରଭିତରେ ଏକୋଇଶି ଦିନର ସମୟ ଉପହାର ସ୍ୱରୂପ ମିଳିଛି ବୋଲି ଜ୍ଞାନ କଲେ ଆମର ବହୁତ ଉପକାର ହେବ । ଦରମା କଟିବନି କିନ୍ତୁ ଘରପରିବାର ସାଙ୍ଗରେ ରହିବା । କଥାରେ କୁହନ୍ତି, ‘ବୋହିଗଲା ପାଣି ଓ ବିତିଗଲା ସମୟ କେବେ ଫେରେନାହିଁ ।’ ଏହି ଏକୋଇଶି ଦିନ ବିତିବ ହିଁ ବିତିବ । ଦୁଃଖରେ ହେଉ କି ସୁଖରେ ହେଉ ।
ମଣିଷ ପକ୍ଷରେ ପ୍ରତିଟି ଦିନ ପ୍ରତିଟି ଘଂଟା ବହୁତ ମୂଲ୍ୟବାନ୍ । ସମୟ କିଛି ନିଏ ନାହିଁ । କିନ୍ତୁ ଯଦି ଆମେ ସମୟର ସଦୁପଯୋଗ କରୁ ତେବେ ବହୁତକିଛି ପାଇ ପାରିବା । ତାଲାବନ୍ଦି ପୂର୍ବରୁ ଲୁଟୁନାକୁ ଯେତେବେଳେ କହେ ଅଧଘଂଟାଏ କପାଳଭାତି କର, ସଦାବେଳେ ତାଙ୍କର ସେଇ ଗୋଟିଏ ବାହାନା ମୋତେ ସମୟ କାହିଁ! ଗେଟୁର ମନ ଚଂଚଳ । ତାକୁ ଧ୍ୟାନ କରିବାକୁ କହିଲେ କହେ ମୋତେ କେତେବେଳେ ଫୁରୁସତ! ଏବେ କିନ୍ତୁ ସମୟ ନାହିଁ ବୋଲି ପୁରୁଣା ବାହାନା ଆଉ କାମ ଦେଉନି । ନୂଆନୂଆ ବାହାନାର ଆଶ୍ରୟ ନେବାକୁ ହେଉଛି । ତେବେ ଏସବୁ ନିଜ ଇଚ୍ଛା ଉପରେ ନିର୍ଭର କରେ । ଏହି ସମୟକୁ ଆମେ ଯଥାର୍ଥ ଭାବରେ ଉପଯୋଗ କରିପାରିଲେ ପୂଜା, ଧ୍ୟାନ, ପ୍ରାଣାୟମ ନିୟମିତକରି ଏକ ସୁନ୍ଦରଅଭ୍ୟାସକୁ ଜୀବନସାରା ପାଇଁ ଆପଣେଇ ନିଜକୁ ଆଧ୍ୟତ୍ମମାର୍ଗରେ ଉପରକୁ ଉଠାଇପାରିବା, ଏବଂ ନାନାଦି କୁଅଭ୍ୟାସକୁ ଭୁଲି ଶରୀରକୁ ରୋଗମୁକ୍ତ ବି କରିପାରିବା ।
ଗୋଟିଏ ଭଲ ଅଭ୍ୟାସକୁ ଆପଣେଇବା କିମ୍ବା କୌଣସି କୁଅଭ୍ୟାସକୁ ପରିତ୍ୟାଗ କରିବାକୁ ହେଲେ ପ୍ରଥମ ବାସ୍ତରି ଘଂଟା ଅର୍ଥାତ୍ ତିନିଦିନ ସବୁଠାରୁ ମୁଖ୍ୟ । ଏଇ ତିନିଦିନ ଯଦି ମନକୁ ଜିତିହେଲା ତେବେ ପଚାଶ ପ୍ରତିଶତ ମନୋବଳ ବଢିଯାଏ । ତାପରେ ଗୋଟିଏ ଘାଟି ଆସେ ପରବର୍ତ୍ତି ସାତ ଦିନରେ । ସାତଦିନ ପର୍ଯ୍ୟନ୍ତ ଯଦି ଜଣେ ସେ କୁଅଭ୍ୟାସରୁ ଦୂରରେ ରହେ ତେବେ ମସ୍ତିସ୍କ ସେହି କୁଅଭ୍ୟାସରୁ ମିଳୁଥିବା ମଜାକୁ ଧିରେଧିରେ ମନରୁ ପୋଛିବାକୁ ଆରମ୍ଭକରେ ।
ଏହି କ୍ରମ ଯଦି ଏକୋଇଶିଦିନ ପର୍ଯ୍ୟନ୍ତ ଲାଗିରହେ ତେବେ ସେ କୁଅଭ୍ୟାସଟି ସବୁଦିନ ପାଇଁ ପରିତ୍ୟକ୍ତ ଏବଂ ମନରୁ ପୁରା ସଫାହେଲା ବୋଲି ଧରି ନିଆଯାଏ । ଏହି ତାଲାବନ୍ଦି ଏକୋଇଶି ଦିନର କାଳଖଣ୍ଡକୁ ଦୁର୍ଯୋଗ ମଣି ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ବିରୁଧରେ ଅପପ୍ରଚାର ନକରି ଏହାକୁ ଏକ ସୁଯୋଗରେ ବି ପରିବର୍ତ୍ତନ କରାଯାଇପାରେ । ତେଣୁ ସମସ୍ତ ନାଗରିକଙ୍କୁ ବିନମ୍ର ଅନୁରୋଧ ଆସନ୍ତୁ କରୋନା ଭୁତାଣୁକୁ ହରେଇବା, ସରକାରଙ୍କୁ ସହଯୋଗ କରିବା ଏବଂ ନିଜର ଉନ୍ନତି ପାଇଁ ଆରମ୍ଭ କରିବା ତାଲାବନ୍ଦି ସମୟର ସଦୁପଯୋଗ ।