Odisha news

ଶିଶିର ପରଶ ମହୋତ୍ସବ ଉଦଘାଟିତ

0
ସୋର,୩/୧: ସୋର ବ୍ଲକ ସାଜନପୁର ପଞ୍ଚାୟତ ଗଞ୍ଜ ଛକ ନିକଟରେ ଶିଶିର ପରଶ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଶିଶିର ପରଶ କମିଟି ସଭାପତି ଅଶ୍ୱିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ସୋର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟନାଥ ନାୟକ, ସମ୍ମାନିତ ଅତିଥିଭାବେ ଶ୍ରୀରାମ ଯୁକ୍ତ ଦୁଇ ରେସିଡେନ୍ସିଆଲ କଲେଜର ଚେୟାରମ୍ୟାନ ଇନ୍ଦ୍ରଜିତ ଦେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଶିଶିର ପରଶ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ରାତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ କମିଟି ସମ୍ପାଦକ ଇନ୍ଦ୍ରଜିତ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପରେ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ସାତ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ରାମ ଦୋଳି, ମୌତ କା କୁଆଁ, ଠୁଙ୍କାପୁରୀ, ବିଭିନ୍ନ ପ୍ରକାର ସାମଗ୍ରୀର ଷ୍ଟଲ ସହିତ ବିଭିନ୍ନ ପ୍ରକାର ଖାଦ୍ୟର ମଜା ଦର୍ଶକ ମାନେ ଉଠାଇବା ସହିତ ଓଲିଉଡ଼ର ନାମୀଦାମୀ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି। ବିଶେଷ ଆକର୍ଷଣ ଭାବେ ଜଗନ୍ନାଥଙ୍କ ୩୨ ବେଶ ଏହି ମହୋତ୍ସବରେ ପ୍ରଦର୍ଶିତ ହେଉଛି। ଏଥି ପାଇଁ ପୁରୀ ଜଗନ୍ନାଥ ମନ୍ଦିରରୁ କର୍ମକର୍ତା ମାନେ ଆଜ୍ଞାମାଳ ଆଣିବା ପାରେ ଆଜି ଅପରାହ୍ନରେ ଉତ୍ତରେଶ୍ଵର ସେଣ୍ଟ ଜାଭିଅର ସ୍କୁଲ ନିକଟରେ ଆଜ୍ଞାମାଳକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେଠାରୁ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମହୋତ୍ସବ ପଡିଆରେ ପହଞ୍ଚିଥିଲା। ସେଠାରେ ଜଗନ୍ନାଥଙ୍କର ୩୨ ବେଶ ପ୍ରଦର୍ଶିତ ହୋଇଥିଲା। ଏହାକୁ ଦର୍ଶକ ବହୁତ ପସନ୍ଦ କରିବା ସହିତ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଥିବା କହିଥିଲେ।
Leave A Reply