ସୋର,୨/୭ : ସୋର ଥାନା ତଳନଗର ପଂଚାୟତ ହାବେଳି ଗଣ୍ଡତରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଚାରି ଜଣ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଦୁଇଜଣ ଗୁରୁତ୍ତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ସବିରା ପଂଚାୟତ ଦାଣ୍ଡପଳସା ଗ୍ରାମର ପିତାମ୍ବର ନାୟକ ଓ ତଳନଗର ପଂଚାୟତ ହାବେଳି ଗଣ୍ଡତରା ଗ୍ରାମର ଯଦୁନାଥ ବିଶ୍ବାଳଙ୍କ ପରିବାର ସହିତ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା। କିନ୍ତୁ ଆଜି ଅପରାହ୍ଣରେ ଯଦୁନାଥ ବିଶ୍ବାଳଙ୍କ ପରିବାର ପିତାମ୍ବରଙ୍କ ଜମିରେ ବେଆଇନ ନିର୍ମାଣ କରିଥିବା ବେଳେ ପିତାମ୍ବର ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ପିତାମ୍ବର ନାୟକ (୬୭) ଙ୍କ ସମେତ ଯଦୁନାଥ ବିଶ୍ୱାଳ(୭୪), ମୁକ୍ତିକାନ୍ତ ବିଶ୍ୱାଳ (୫୫) ଏବଂ ସାଣ୍ଟପଡା ଗ୍ରାମର ମହେଶ୍ୱର ନାୟକ (୫୫) ଚାରିଜଣ ଗୁରୁତ୍ତର ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଦୁଇଟି 108 ଆମ୍ବୁଲାନ୍ସ ରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ମୁକ୍ତିକାନ୍ତ ଏବଂ ପିତାମ୍ବରଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଜଣକୁ ଥାନାରେ ଅଟକ ରଖିଛି ।
