ସିନାପାଲି -୩୧/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଦେଖାଦେଇଛି କାଳ ବୈଶାଖୀର ତାଣ୍ଡବ। ଲୋକଙ୍କ ଧନ ଜୀବନ ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି। ମାଖାପଦର ପଞ୍ଚାୟତ ଅନ୍ତର୍ଗତ କୋପିଆ ଠାରେ ଥିବା ଏକ କୁକୁଡ଼ା ଫାର୍ମ କାଳ ବୈଶାଖୀର ପ୍ରଭାବରେ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଯଦ୍ୱାରା ପ୍ରାୟ କୋଟିଏ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ଉକ୍ତ କୁକୁଡ଼ା ଫାର୍ମ ସ୍ଥାନୀୟ ଯୋଗିବାହାଲ ଗ୍ରାମର ସଂଯୁକ୍ତା ମେହେରଙ୍କ ବୋଲି ଜଣାପଡିଛି। ଗତ ଛଅ ମାସ ହେବ ଉକ୍ତ ଫାର୍ମ ଆରମ୍ଭ ହୋଇଥିବା ବେଳେ ମାତ୍ର ଦୁଇ ବେଚ କୁକୁଡ଼ା ଉତ୍ପାଦନ ହୋଇଥିବା ସେ ପ୍ରକାଶ କରିଛନ୍ତି। ଉକ୍ତ ଫାର୍ମ ସତର ହଜାର ଚିଆଁ କ୍ଷମତା ବିଶିଷ୍ଟ ହୋଇଥିବା ବେଳେ ପ୍ରାୟ ୧୪ ହଜାର ଚିଆଁ ରଖାଯାଇଥିଲା। ଗତ କାଲିର କାଳ ବୈଶାଖୀରେ ସମ୍ପୂର୍ଣ୍ଣ ଭାବେ ଚିଆଁ କାନ୍ଥ ଏବଂ ଆଜବେଷ୍ଟର ତଳେ ଚାପି ହୋଇ ମରିଯାଇଥିବା ଜଣାପଡିଛି। କୁକୁଡ଼ା ଫାର୍ମ ମାଲିକଙ୍କ କହିବା ଅନୁଯାୟୀ ପ୍ରାୟ ଷାଠିଏ ରୁ ସତୁରି ଲକ୍ଷ ବ୍ୟୟ ଅଟକଳ ରେ ଉକ୍ତ ଫାର୍ମ ନିର୍ମାଣ କରାଯାଇଥିଲା। ଚିଆଁ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ହିସାବ କରାଗଲେ ଆନୁମାନିକ ପ୍ରାୟ ଏକ କୋଟି ଟଙ୍କାର କ୍ଷୟ କ୍ଷତି ହୋଇଥିବା ପ୍ରକାଶ କରିଛନ୍ତି। ଉକ୍ତ କୁକୁଡ଼ା ଫାର୍ମ ନିଜସ୍ୱ ପାଣ୍ଠିରେ କରିଥିବା ବେଳେ ଏଭଳି କ୍ଷତିରେ ସେ ଭାଙ୍ଗି ପଡିଛନ୍ତି। ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି।