ଅସୁରାଳି,ତା୩୦/୫ : ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଆନନ୍ଦ ବଜାରସ୍ଥିତ ସିଦ୍ଧପୀଠ ରଘୁନାଥ ଆଶ୍ରମରେ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏକ ସପ୍ତାହ ବ୍ୟାପୀ ଆୟୋଜିତ ହୋଇଥିବା ଏହି ଆଧ୍ୟାତ୍ମିକ ଉତ୍ସବର ବିଭିନ୍ନ ଦିବସରେ ମାନସିକଧାରୀ ପୁରୁଷ ଓ ମହିଳାଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ଘଟ ସଂସ୍ଥାପନ, ସୂର୍ଯ୍ୟ ପୂଜା, ଗୋ ପୂଜା, ବୈଷ୍ଣବୀ ଦେବୀଙ୍କ ସ୍ୱତନ୍ତ୍ର ପୂଜା, ହନୁମାନ ଚାଳିସା ପାଠ, ଚଣ୍ଡୀପାଠ, ବ୍ରାହ୍ମଣ ସେବା, ସାଧୁସନ୍ଥ ସମ୍ମିଳନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସାବିତ୍ରୀ ଅମାବାସ୍ୟା ଦିନ ଅପରାହ୍ନରେ ରଘୁନାଥ ଆଶ୍ରମର ପ୍ରତିଷ୍ଠାତା ପୂଜ୍ୟପାଦ ଶ୍ରୀମଦ ରଘୁନାଥ ବାବା ବିଶ୍ୱର ମଙ୍ଗଳ କାମନା କରି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣାହୂତି ପ୍ରଦାନ କରିଥିଲେ । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ସମସ୍ତ ପୂଜାକର୍ମ ସମ୍ପାଦିତ ହୋଇଥିଲା । ରାଜ୍ୟର ବିଭିନ୍ନ ଅଂଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଶ୍ରୀ ରଘୁନାଥ ସେବକ ମଣ୍ଡଳୀର କର୍ମକର୍ତ୍ତା ମାନେ ବାର୍ଷିକ ଯଜ୍ଞ ଉତ୍ସବ ପରିଚାଳନା କରିଥିଲେ ।
