ହିମାଂଶୁ ଶେଖର ଆଚାର୍ଯ୍ୟ : ୯ମାସର କରୋନା ବେଦନାପରେ ସ୍କୁଲରେ ପଡିଥିବା ତାଲା ଖୋଲିଛି । ଶୁକ୍ରବାର ଠାରୁ ସାରା ରାଜ୍ୟରେ ଖୋଲିଛି ସ୍କୁଲ । ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠପଢା ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ୪ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହୋଇଛି । ତେବେ ୯ଟା ୩୦ ସୁଦ୍ଧା ପିଲାମାନେ ସ୍କୁଲରେ ପହଞ୍ଚିଥିବା ବେଳେ କୋଭିଡ ନିୟମ ଅନୁଯାୟୀ ପିଲାଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଏସ୍ଓପିକୁ ସ୍କୁଲଗୁଡିକରେ କଡାକଡିଭାବେ ପାଳନ କରାଯାଇଥିଲା । ସ୍କୁଲରେ ପାନୀୟ ଜଳ ଶୈାଚାଳୟ ପ୍ରସ୍ତୁତ କରାଯାଇଥିବା ବେଳେ ପୁରା କ୍ୟାମ୍ପସକୁ ବିଶୋଧନ କରାଯାଇଥିଲା ।
ସାମାଜିକ ଦୂରତା ପାଳନ କରି ବସିବା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଅଭିଭାବକଙ୍କ ସହମତି ପତ୍ରନେଇ ସ୍କୁଲରେ ପ୍ରବେଶ କରିଥିଲେ । ପ୍ରତିକ୍ଲାସରେ ୨୦ରୁ ୨୫ଜଣ ଛାତ୍ରଛାତ୍ରୀଙ୍କ ବସିବା ଲାଗି ବ୍ୟବସ୍ଥା ହୋଇଥିଲା । ଏଥିସହିତ ସ୍କୁଲରେ ସ୍ୱତନ୍ତ୍ର ଭାବେ କରାଯାଇଥିଲା ଏକ ଆଇସୋଲେସନ୍ ରୁମ୍ । ସ୍କୁଲ ଖୋଲିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ପିଲାମାନେ ଆଗ୍ରହର ସହ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିଲେ । ପ୍ରଥମ ଦିବସରେ ସେପରି କିଛି ସମସ୍ୟା ଉପୁଜି ନାହିଁ ବୋଲି ଜଣା ପଡିଛି ।
ପିଲାମାନେ ସ୍କୁଲ ପରିସରକୁ ଯିବାପରେ ଅଧାରୁ କେଉଁ ପିଲାଙ୍କୁ ସ୍କୁଲ ବାହାରକୁ ଛଡାଯାଇନଥିଲା । ତେବେ ଦୀର୍ଘ ଦିନପରେ ସ୍କୁଲ ଖୋଲିଥିବାରୁ ପିଲାମାନେ ଉସôାହିତ ଥିବା ଦେଖିବାକୁ ମିଳିଥିଲା । ତେବେ ପ୍ରଥମ ଦିବସରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୪ ପ୍ରତିଶତରୁ ଅଧିକ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବରଗଡ ଜିଲ୍ଲାରେ ସର୍ବଧିକ ୭୩ ପ୍ରତିଶତ ଏବଂ ମାଲକାନଗିରିରେ ୪୦ ପ୍ରତିଶତ ଉପସ୍ଥାନ ହୋଇଥିଲା । ତଥାପି ଧୀରେ ଧୀରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ବଢିବ ବୋଲି ଆଶା କରାଯାଉଛି ।
ପ୍ରଥମ ଦିବସରେ ଅଧିକାଂଶ ସ୍କୁଲରେ ପାଠପଢା ସ୍ୱାଭାବିକ ହୋଇଥିବା ବେଳେ ଶନିବାର ଠାରୁ କନିଷ୍ଠ ମହାବିଦ୍ୟାଳୟରେ ଦ୍ୱାଦଶ ବିଦ୍ୟାର୍ଥୀମାନଙ୍କର ଶିକ୍ଷାଦାନ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ସ୍କୁଲରେ ୧୦୦ଦିନ ପାଠପଢା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ୧୦୦ ଦିନ ମଧ୍ୟରେ ଅନ୍ଲାଇନରେ ପଢାଯାଇଥିବା ପାଠ ପୁଣିଥରେ ଅଫ୍ଲାଇନରେ ଆରମ୍ଭ ହୋଇଛି । ସମସ୍ତ ପାଠ ଏହି ୧୦୦ଦିନ ଭିତରେ ସାରିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଶନିବାର ପାଠପଢା ସମୟରେ ପରିବର୍ତ୍ତନ କରାଯାଇଛି । ସବୁଦିନ ଭଳି ଶନିବାର ଓ ରବିବାର ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢାଯିବ । ସବୁ ଜିଲ୍ଲାକୁ ନୋଡାଲ ଅଫିସର ଯାଇଛନ୍ତି । ଅଧିକାରୀମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସ୍କୁଲ ଓ କଲେଜ ଗୁଡିକରେ କ’ଣ ସବୁ ଅଭାବ ରହିଛି ତାର ତଦାରଖ କରିଛନ୍ତି । ବିଶେଷକରି ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଇଛି । ସ୍କୁଲ ଚାଲୁଥିବା ବେଳେ ହଠାତ୍ ଯଦି କାହା ଦେହରେ କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ପ୍ରତି ସ୍କୁଲରେ କରାଯାଇଥିବା ଆଇସୋଲେସନ୍ ରୁମ୍ରେ ରଖି ନିକଟସ୍ଥ ମେଡିକାଲ ଟିମ୍କୁ ସୂଚନା ଦେବାକୁ ନିଦେ୍ର୍ଦଶ ଦିଆଯାଇଛି ।
ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ରାଜ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଅନେକ ଦ୍ୱନ୍ଦ ଥିବାବେଳେ ବୁଧୁବାର ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକରେ ମାଟ୍ରିକ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ପୂରଣ ନିମନ୍ତେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ଜାନୁଆରୀ ୧୦ରୁ ଫେବୃଆରୀ ୨ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ତେବେ ଏହି ତାରିଖ ମଧ୍ୟରେ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଅନ୍ଲାଇନରେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିସର ଅଧୀନରେ ମାଟ୍ରିକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ୮୦ ମାର୍କ ପରୀକ୍ଷା ଦେବେ । ପ୍ରଶ୍ନପତ୍ରରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ । ତେବେ ଫଳାଫଳ ପ୍ରକାଶ ସମୟରେ ୧୦୦ ମାର୍କକୁ ହିସାବକୁ ନିଆଯିବ । ପରୀକ୍ଷା ଦେଇଥିବା ୮୦ ମାର୍କ ମଧ୍ୟରୁ ପରୀକ୍ଷାର୍ଥୀ ଯେତେ ନମ୍ବର ପାଇବେ ତାହାକୁ ଆଧାରକରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ କରାଯିବ । ତେବେ ଦ୍ୱାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ମାର୍କ କମିବନି । ସେମାନେ ୧୦୦ମାର୍କର ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ରୁମ୍ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ । ସେମିଷ୍ଟର ପରୀକ୍ଷା ବ୍ୟବସ୍ଥାରେ ୟୁଜିର ପଞ୍ଚମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୧୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ଉଭୟ ସେମିଷ୍ଟରର ପରୀକ୍ଷା କରାଯିବ ଏବଂ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ୟୁଜିର ଷଷ୍ଠ ଓ ପିଜିର ଚତୁର୍ଥ ସେମିଷ୍ଟର ପାଠପଢା ଏପ୍ରିଲ ୨ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୧୬ରୁ ୩୦ ତାରିଖ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ।
ବାର୍ଷିକ ପରୀକ୍ଷା ବ୍ୟବସ୍ଥାରେ ଜାନୁଆରୀ ୧୧ ରୁ ଜୁନ୍ ୧୦ ମଧ୍ୟରେ ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ହେବ । ଜୁନ୍ ୧୧ରୁ ୩୦ ମଧ୍ୟରେ ପରୀକ୍ଷା ହେବା ସହ ଜୁଲାଇ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ଅନ୍ଲାଇନରେ ପାଠପଢା ହୋଇଥିଲେ ମଧ୍ୟ ପାଠ୍ୟକ୍ରମର ସମସ୍ତ ବିଷୟକୁ ଏହି ପାଠପଢା ମଧ୍ୟରେ ସାମିଲ କାରଯିବ । ଏପରିକି କ୍ଲାସରୁମ୍ ପାଠପଢାର ରେକଡିଂ କରାଯାଇ ତାହାକୁ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ କରାଯିବ ସହ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ଭଲଭାବରେ ବିଶୋଧନ କରିବାକୁ ପରାମର୍ଶ ଦିଆଯାଇଛି ।
ଦୀର୍ଘ ଦିନପରେ ସ୍କୁଲ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି । ତେବେ ଅଭିଭାବକ ଅଭିଭାବିକା, ଛାତ୍ରଛାତ୍ରୀ, ଶିକ୍ଷକ, ଅଧ୍ୟାପକମାନଙ୍କର ଏବେ ଗୁରୁଦାୟିତ୍ୱ । ବିଶେଷକରି ଶିକ୍ଷକମାନଙ୍କର ଦାୟିତ୍ୱ ବେଶି । ଶିକ୍ଷାନୁଷ୍ଠାନ ପରିସରରେ ଯେପରି ଅଧିକ ଗହଳି ନହୁଏ ତାହା ତଦାରଖ କରିବା ଦାୟିତ୍ୱ ସେମାନଙ୍କର । ସେହିପରି ଛାତ୍ରଛାତ୍ରୀମାନେ ମାସ୍କ ପରିଧାନ କରିବା ଉପରେ ସେମାନଙ୍କୁ ଦୃଷ୍ଟି ଦେବାକୁ ପଡିବ । ଏଥିସହିତ କ୍ଲାସ ରୁମ୍ ୃରେ ସେମାନଙ୍କୁ ପାଠପଢିବା ପାଇଁ ପୂର୍ବାପେକ୍ଷା ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ଏହାକୁ କେବଳ ସେମାନଙ୍କର କର୍ତ୍ତବ୍ୟ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଆଉଟିକେ ଅଧିକ ଜୋସ୍ରେ ଶ୍ରେଣୀ ଗୃହରେ ସକ୍ରିୟ ହେବାକୁ ପଡିବ । କାରଣ ସେମାନେ ମନେରଖିବା ଉଚିତ ଯେ, ଶିକ୍ଷାନୁଷ୍ଠାନ ଭଳି ମଣିଷ ତିଆରି କାରଖାନାରେ ସେମାନେ ପ୍ରକୃତ କାରିଗର । ସେମାନଙ୍କର ପ୍ରତିବଦ୍ଧତା କରୋନା ଜନିତ ପାଠପଢା କ୍ଷତିକୁ ଭରଣା କରିପାରିବ । ସେହିପରି ଅଭିଭାବକ ଅଭିଭାବିକାମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ସ୍କୁଲ କଲେଜ ପଠେଇବା ପିଲାଙ୍କୁ କୋଭିଡ କଟକଣା ଭିତରେ ପଠାଇବା ଉଚିତ । ଏଦିଗପ୍ରତି ଅବହେଳା କଲେ ଚଳିବ ନାହିଁ । ଏଥିସହିତ ସବୁଠୁ ଅଧିକ ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କର । ସେମାନଙ୍କ କ୍ଲାସକୁ ନିୟମିତ ଆସିବା ଦରକାର ।
କୁହାଯାଏ- ସଫଳତା ହାସଲ ପାଇଁ ସଂକ୍ଷିପ୍ତ ବାଟ କିଛି ନାହିଁ । କଠିନ ପରିଶ୍ରମ ହିଁ ସଫଳତାର ଆଧାର । ଆଜିଠାରୁ ଅର୍ଥାତ ଜାନୁଆରୀ ୮ରୁ ବାଜିବ ସ୍କୁଲ ଘଣ୍ଟା । ତା ସହିତ ଚଳଚଞ୍ଚଳ ହେବ ଶିକ୍ଷାନୁଷ୍ଠାନ ପରିସର । ଦୃଢ ଇଚ୍ଛାଶକ୍ତି ଓ ଗଭୀର ଆତ୍ମ ବିଶ୍ୱାସ ଆମ ବିଦ୍ୟାର୍ଥୀଙ୍କୁ ପାଠପଢା ପ୍ରତି ସେମାନଙ୍କର ପୂର୍ବଲୟ ପୁଣି ଫେରାଇ ଆଣିବ ବୋଲି ଆଶା ଓ ବିଶ୍ୱାସ ।ତେବେ ରବିବାର ଦିନ ପାଠପଢା ଯିବାର ଯେଉଁ ନିଷ୍ପତ୍ତି ସରକାର ନେଇଛନ୍ତି ସେଥିରେ ପରିବର୍ତ୍ତନ କରି ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ଏହି ଗୋଟିଏ ଦିନ ଛୁଟି ଦେବା ଜରୁରୀ ମନେହୁଏ । ଏକଥା ଓଷ୍ଟାର ରାଜ୍ୟ ସମ୍ପାଦକ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।