ଛତ୍ରପୁର : କବିସୂର୍ଯ୍ୟନଗର ଥାନା ଆଠଗଡ ପାଟଣା ସରପଞ୍ଚଙ୍କୁ ମାଡ ମାରିଥିବା ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ଗଞ୍ଜାମ ଏସ୍ପି ବ୍ରିଜେଶ୍ କୁମାର ରାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଷ୍ଟମ ବାଟାଲିଅନ୍ର ସିପାହୀ ତଥା କବିସୂର୍ଯ୍ୟନଗର ଥାନାରେ ଡେପୁଟେସନ ଭାବେ କାର୍ଯ୍ୟ କରୁଥିବା ଦିବାକର ପରିଡାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ସବ୍ ଇନ୍ସପେକ୍ଟର ଅର୍ଜୁନ କଅଁରଙ୍କୁ କବିସୂର୍ଯ୍ୟନଗର ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ତୁରନ୍ତ ବଦଳି କରାଯାଇଛି ।
ଗତ ୨୪ ତାରିଖରେ ମାସ୍କ୍ ପିନ୍ଧିନଥିବା କାରଣରୁ ଆଠଗଡ ପାଟଣା ସରପଞ୍ଚଙ୍କୁ ପୁଲିସ ମାଡ ମାରିଥିବା ପ୍ରତିବାଦରେ ଗ୍ରାମବାସୀ ଆସିକା-ଭୁବନେଶ୍ୱର ମୁଖ୍ୟରାସ୍ତାରେ ବାଉଁଶ ବାନ୍ଧି ପ୍ରାୟ ୩ଘଣ୍ଟା ଧରି ଅବରୋଧ କରିଥିଲେ । ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି ରଖିଥିଲେ । ଘଟଣା ସଂପର୍କରେ ତଦନ୍ତ କରି ଗଞ୍ଜାମ ଏସ୍ପି ଶ୍ରୀ ରାଏ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।