Odisha news

ଧାନ ବିଲରେ ପାଣି ନମାଡ଼ିବାରୁ ବିଲା ଫାଟି ଆଁ କଲାଣି, ଧାନ ଗଛ ବଞ୍ଚାଇବାପାଇଁ ବାଲ୍ଟିରେ ପାଣି ନେଇ ଚାଷୀମାନେ ସିଞ୍ଚନ କରୁଛନ୍ତି

0

ସାଲେପୁର : ବର୍ଷା ନହେବାରୁ ସାଲେପୁର ଅଞ୍ଚଳରେ ହଜାର ହଜାର ଏକର ଚାଷଜମି ଫାଟି ଆଁ କରିଥିବାବେଳେ ନିଜର ଚାଷକୁ ବଞ୍ଚାଇବାପାଇଁ ଚାଷୀମାନେ ବାଲ୍ଟିରେ ପାଣି ନେଇ ଧାନ ତଳିରେ ପକାଉଥିବା ଦେଖାଯାଇଛି । ଅପର ପକ୍ଷରେ ଅଧିକାଂଶ କେନାଲର ଶେଷମୁଣ୍ଡକୁ ପାଣି ପହଞ୍ଚିପାରୁନଥିବାବେଳେ ବର୍ଷା ନହେବାରୁ ଗଜା ମରୁଡ଼ି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ପ୍ରକାଶ ଯେ ଶ୍ରାବଣ ମାସ ଶେଷ ହେବାକୁ ବସିଥିବାବେଳେ ବର୍ଷାର ଦେଖାନାହିଁ । ଚାଷୀମାନେ ବର୍ଷାକୁ ଆଖିଆଗରେ ରଖି ବିହନ ଜମିରେ ବୁଣିଥିଲେ ।

ଗଛ ହେବାପରେ ଆବଶ୍ୟକୀୟ ପାଣି ନମିଳିବାରୁ ଏବେ ଅଧିକାଂଶ ସ୍ଥାନରେ ଧାନ ତଳି ଗୁଡିକ ମରିବାକୁ ବସିଥିବାବେଳେ ଏବେ ଯେଉଁ ଚାଷୀମାନେ ବିଲରେ ଧାନ ବିହନ ବୁଣିଛନ୍ତି, ସେ ବିହନ ଗଜା ହୋଇଥିଲେ ମଧ୍ୟ ଆବଶ୍ୟକୀୟ ପାଣି ନପାଇ ଗଜା ମରୁଡ଼ି ଆଶଙ୍କା ଉପୁଜିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସାଲେପୁର ବ୍ଲକ୍ର ରାମକୃଷ୍ଣପୁର, ମିର୍ଜାପୁର, ଛୋଟିପଡ଼ା, ପଟୁଆ, ଭୀମଦାସପୁର, ତାଳପଦା, ସୁନାଖଣ୍ଡୀ, କାଶୀପୁର ଆଦି ଅଞ୍ଚଳରେ ।

ବର୍ଷା ନହେବା ଓ କେନାଲର ଶେଷମୁଣ୍ଡରେ ପାଣି ନପହଞ୍ଚିବାରୁ ଏହି ସମସ୍ୟା ଉପୁଜିଛି । ବାଧ୍ୟ ହୋଇ ଚାଷୀମାନେ ଗଛଗୁଡିକୁ ବଞ୍ଚାଇବାପାଇଁ ବାଲଟିରେ ପାଣି ନେଇ ଧାନ ବିଲରେ ପାଣି ସିଞ୍ଚନ କରୁଥିବା ଦେଖିବାକୁ ମିଳିଛି । କେନାଲ ମାଧ୍ୟମରେ ଏହି ସବୁ ଅଞ୍ଚଳର ଚାଷ ଜମିକୁ ଜଳସେଚନ କରିବାପାଇଁ ବ୍ୟବସ୍ଥା ଥିଲେ ହେଁ କେନାଲର ସଫେଇ କାର୍ଯ୍ୟ ଠିକ୍ ଭାବେ ହୋଇନଥିବାରୁ କେନାଲର ଶେଷମୁଣ୍ଡରେ ପାଣି ପହଞ୍ଚିପାରୁନାହିଁ । ଏହାନେଇ ଏହି ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଭାଳେଣୀ ପଡିଯାଇଛି । ଯଦି ଦିନେ ଦୁଇଦିନ ମଧ୍ୟରେ ଭଲ ବର୍ଷା ନହୁଏ, ତେବେ ଏହି ଅଞ୍ଚଳରେ ଧାନ ଗଛ ଗୁଡିକ ମରିଯିବା ସହ ଗଜା ମରୁଡ଼ି ହେବାର ଆଶଙ୍କା ଉପୁଜିଛି

Nalco
Leave A Reply