ସାଲେପୁର, ୨୫ ।୯- ଗରମ କ୍ଷୀରରେ ପଡ଼ି ଶତକଡ଼ା ୮୦ଭାଗ ପୋଡ଼ି ହୋଇ କଟକର ଏକ ଘରୋଇ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦୁଇବର୍ଷର ଶିଶୁକନ୍ୟାର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ଏହି ଘଟଣା ପ୍ରଚାରିତ ହେବାପରେ ଦ୍ୱୀପାଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଯେ ତରିତୋ ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମର ଅଭୟ କୁମାର ବେହେରାଙ୍କ ୨ବର୍ଷର ଝିଅ ଧକି ବେହେରା ଏକ ପାତ୍ରରେ ଗରମ କ୍ଷୀର ଥିବାବେଳେ ଖେଳୁଥିଲା ଅବସ୍ଥାରେ ଧକି ଉକ୍ତ ଗରମ କ୍ଷୀରେ ପଡିଯାଇଥିଲା ।
ଫଳରେ ତାହାର ଅଣ୍ଟା ପାଖରୁ ପାଦ ପର୍ଯ୍ୟନ୍ତ ପ୍ରାୟ ୮୦ଭାଗ ଅଂଶ ପୋଡ଼ି ଯାଇଥିଲା । ତାକୁ ତା’ ପରିବାର ଲୋକେ ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସିତ କରୁଥିଲେ ।
ତା’ର ଚିକିତ୍ସା ବାବଦ ଦୈନିକ ୨୦ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ତା’ ବାପା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ସକ୍ଷମ ହୋଇପାରୁନଥିଲେ । ଏହି ଖବର ଗତ ୧୯ତାରିଖ ଦିନ ପ୍ରମେୟରେ ପ୍ରକାଶ ପାଇବାପରେ ଶିଶୁଟିର ଚିକିତ୍ସା ପାଇଁ ସହାୟତାର ସୁଅ ଛୁଟିଥିଲା । କିନ୍ତୁ ଦୁଃଖର ବିଷୟ ଶିଶୁଟି ଚିକିତ୍ସା ହେବାର ୯ଦିନ ପରେ ଆଜି ତାର ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ଦ୍ୱୀପାଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
