ସାଲେପୁର, ୨୫ ।୯- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ରଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ନିଯୁକ୍ତି ହୋଇଯାଇଛି । ଏ ସଂପର୍କରେ ଚାନ୍ଦବାଲି ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ଛାତ୍ରବ୍ୟାପାର) ବ୍ୟୋମକେଶ ରାୟ ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଏହି କମିଟିରେ ସାଲେପୁର ବ୍ଲକ୍ର ପିକୋଳ ପଞ୍ଚାୟତ ସାଇଁପଡ଼ା ଗ୍ରାମର ଆକବର ଖାଁଙ୍କ ପୁତ୍ର ଇଂ. ତବରେଜ୍ ଖାଁଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ତବରେଜ୍ ଖାଁ ଏହା ପୂର୍ବରୁ ବିଜୁ ଛାତ୍ର ଜନତା ଦଳର ସକ୍ରିୟ କର୍ମୀ ରୂପେ କାର୍ଯ୍ୟ କରୁଥିଲେ । ତବରେଜ୍ ଏବେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ କାର୍ଯ୍ୟ କରୁଛନ୍ତି ।
ଚଳିତ ବର୍ଷ ଫେବୃୟାରୀ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଛାତ୍ର ଅଧିବେଶନରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ । ଇଂ. ତବରେଜ୍ ଖାଁଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସଭା ସାଂସଦ ମୁନା ଖାଁ, ବିଧାୟକ ବ୍ୟୋମକେଶ ରାୟ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାଶ, ଉଚ୍ଚଶିକ୍ଷାମନ୍ତ୍ରୀ ଡାକ୍ତର ଅରୁଣ କୁମାର ସାହୁ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
