କଣିହାଁ,୧/୬(ସବ୍ୟୁ): ସର୍ବସାଧାରଣ ଯାତାୟତ କରୁଥିବା ପଂଚାୟତ ରାସ୍ତାରୁ ପାଉଁଶ ବୋଝେଇ ଟ୍ରକ ହଟାଇବା ଦାବୀ ନେଇ ଟୋଲକବେଡା ଗ୍ରାମବାସୀ ଏନଟିପିସି ଶକ୍ତିଦ୍ୱାର ଗେଟ ସମ୍ମୁଖରେ ବସିରହି ଆନେ୍ଦାଳନ କରିଥିଲେ । ସୋମବାର ସକାଳ ୭ଘଟିକା ସମୟରେ ଗ୍ରାମବାସୀ ରାସ୍ତା ଉପରେ ବସିରହି ଆନେ୍ଦାଳନ କରିଥିଲେ । ଫଳରେ ଏନଟିପିସିରୁ ପାଉଁଶ ବୋଝେଇ କରୁଥିବା ଟ୍ରକ ଚଳାଚଳ ବନ୍ଦ ରହିବାସହ ପାୱାରଗ୍ରିଡକୁ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା । ପରେ କଣିହାଁ ତହସିଲ କାର୍ଯ୍ୟାଳୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀ, କଣିହାଁ ତହସିଲଦାର, ଏନଟିପିସି ମ୍ୟାନେଜମେଂଟ, ପାୱାରଗ୍ରିଡର ଅଧିକାରୀ, ଏନଟିପିସି ଥାନା ଆଇଆଇସିଙ୍କୁ ନେଇ ଏଜ ବୈଠକ ଅନୁଷ୍ଠିତ ହୋଇଥିଲା ।
ବେଠକରେ ଗ୍ରାମବାସୀଙ୍କ ପକ୍ଷରୁ ଏନଟିପିସିର ପାଉଁଶ ପୋଖରୀରୁ ପାଉଁଶ ବୋଝେଇ କରି ଆସୁଥିବା ଟ୍ରକ ଗୁଡିକ ଗ୍ରାମକୁ ଯାଇଥିବା ସର୍ବସାଧାରଣ ରାସ୍ତାରେ ବହୁ ସମୟ ଧରି ଠିଆ କରି ରାସ୍ତା ଅବରୋଧ କରୁଥିବା ଓ ଏଥେôଯାଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ରାସ୍ତା ଓସାରିଆ କରିବା, ଟ୍ରାଫିକ ବ୍ୟବସ୍ଥା କରିବା, ଗ୍ରାମର ବେକାର ପିଲାମାନଙ୍କୁ ନିଯୁକ୍ତି ଦେବା, ପାୱାରଗ୍ରିଡ ପକ୍ଷରୁ ଗ୍ରାମକୁ ଯାଉଥିବା ରାସ୍ତା, ଡ୍ରେନ, ପାଚେରି ନିର୍ମାଣ ସହ ଗ୍ରାମରେ ଖେଳପଡିଆ ଉନ୍ନତିକରଣ କରିବା ଉପରେ ଗରୁତ୍ୱାରୋପ ଦିଆଯାଇଥିଲା । ମାତ୍ର ଉକ୍ତ ଦାବୀଗୁଡିକୁ ଆଲୋଚନାରେ ଭାଗନେଇଥିବା ଏନଟିପିିସି ଓ ପାୱାରଗ୍ରିଡର ଅଧିକାରୀ ସମାଧାନ କରିବାର ସେମାନଙ୍କ କ୍ଷମତା ଭିତରେ ଯାଉନଥିବା ଯୋଗୁଁ ସେମାନଙ୍କର ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟ ଏକ ବୈଠକ କରିବା ପାଇଁ ଅଧିକାରୀ ମାନେ ୭ଦିନ ସମୟ ମାଗିଥିଲେ ।
୭ଦିନ ପରେ ଆସନ୍ତା ସୋମବାର ଦିନ ପୁନ୍ନର୍ବାର ଏକ ବୈଠକ କରି ଆଲୋଚନା କରାଯିବ ବୋଲି ନିଷ୍ପତି ହେବାପରେ ଆନେ୍ଦାଳନ ଅପରାହ୍ନ ସାଢେ୧ଘଟିକା ସମୟରେ ପ୍ରତ୍ୟାହୃତ ହୋଇଥିଲା । ଟୋଲକବେଡା ଗ୍ରାମର ସଭାପତି ସହଦେବ ସାହୁ, ସଂପାଦକ ଦେବରାଜ ପ୍ରଧାନ, ପ୍ରକାଶ ସାହୁ, ମାନସ ରଂଜନ ସାହୁ, ଶୁଭେନ୍ଦୁ ସାହୁ ,ଲୋଚନ ସାହୁ, ଜର୍ମାନି ସାହୁ, ବିଡିଓ ସାହୁ, ଇନ୍ଦ୍ରମଣି ସାହୁ, କାଳିଆ ସାହୁ, ଫଗୁଆ ବେହେରା, ମାନସ ସେଠୀ, ବନ୍ଧୁଆ ନାଏକ, ଭାଗ୍ୟଧର ନାଏକ, ନିତ୍ୟାନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଆନେ୍ଦାଳନ ଚାଲିଥିଲା ।