ହିମାଂଶୁ ଶେଖର ଆଚାର୍ଯ୍ୟ : ଓଡିଆ ସାହିତ୍ୟ ସାମ୍ରାଜ୍ୟରେ ଆଦିକବି ସାରଳା ଦାସଙ୍କ ଯୁଗ ଓ ପଞ୍ଚସଖା ଯୁଗ ପରେ ଆରମ୍ଭ ହୁଏ ରୀତିଯୁଗ । ଏହା ସାଧାରଣତଃ ଦରବାରୀ ସାହତ୍ୟରୂପେ ପ୍ରତିଷ୍ଠା ଲାଭ କରିଅଛି । ସପ୍ତଦଶ ଶତାବ୍ଦୀରୁ ଅର୍ଜୁନ ଦାସଙ୍କ ଲିଖିତ “ରାମବିଭା” ଠାରୁ ଆରମ୍ଭ ହୁଏ ଓଡିଆ ସାହିତ୍ୟର ସର୍ବଶ୍ରେଷ୍ଠ ଯୁଗ ରୀତିଯୁଗ ଯାହାକୁ କି ପରବର୍ତ୍ତୀ ସମୟରେ ସାହିତ୍ୟ ସମାଲୋଚକମାନେ “ଭଞ୍ଜଯୁଗ” ନାମରେ ନାମିତ କରିଥାନ୍ତି । ରୀତିଧାରାର ପରମ୍ପରା ଅନୁସାରେ ଅର୍ଜୁନ ଦାସଙ୍କ ଠାରୁ ଆରମ୍ଭ କରି ଧନଞ୍ଜୟ ଭଞ୍ଜ,ଯଦୁମଣି ମହାପାତ୍ର, ଦୀନବନ୍ଧୁ ଦାସ, ଅଭିମନୁ୍ୟ ସାମନ୍ତ ସିଂହାର, ଉପେନ୍ଦ୍ରଭଞ୍ଜ ଓ ସର୍ବୋପରି କବିସୂର୍ଯ୍ୟ ବଳଦେବ ରଥ ରୀତିଯୁଗର ଜଣେ ଜଣେ ସର୍ବଶ୍ରେଷ୍ଠ କବି ।
କବିସୂର୍ଯ୍ୟ ବଳଦେବ ରଥ ୧୭୭୯ ମସିହା ଶ୍ରୀପଞ୍ଚମୀ ତିଥିରେ ଗଞ୍ଜାମର ବଡଖେମୁଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଉଜ୍ଜ୍ୱଳ ରଥ ।ସେ କିଶୋର ବୟସରେ ମାତାଙ୍କୁ ହରାଇ ଜେଜେ ପଣ୍ଡିତ ତାନ୍ତ୍ରିକ ତ୍ରିପୁରାରୀ ଓତାଙ୍କ ପାଖରେ ରହି ପାଠ ପଢିଲେ । ଏହି ସମୟରେ ସେ ଓଡିଆ, ସଂସ୍କୃତ, ତେଲଗୁ, ବଙ୍ଗଳା ଭାଷାକୁ ଆୟତ କରିବା ସହ ବହୁ ଶାସ୍ତ୍ର ଅଧ୍ୟୟନ କରି ଅସୀମ ଜ୍ଞାନର ଅଧିକାରୀ ହେଇପାରିଥିଲେ । ମାତ୍ର ୧୫ ବର୍ଷ ବୟସରେ ପୁରୀ ନିବାସୀ ରାମକୃଷ୍ଣ ମିଶ୍ରଙ୍କର କନ୍ୟା ରତ୍ନମଣି ଦେବୀଙ୍କୁ ସେ ବିବାହ କରିଥିଲେ । ଏହାପରେ ଜଳନ୍ତର ରାଜ୍ୟର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ପୃଷ୍ଠପୋଷକତାରେ ସେଠାରେ ରହି ଚନ୍ଦ୍ରକଳା କାବ୍ୟ ଲେଖିଲେ । ତାଙ୍କ କବିତ୍ୱ ପ୍ରତିଭାରେ ମୁଗ୍ଧ ହୋଇ ରାଜା ତାଙ୍କୁ କବିସୂର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ । ଏହାପରେ ସେ ଗଞ୍ଜାମ ଆଠଗଡ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନ ଜଗଦେବଙ୍କ ପାଖରେ ଆସି ରହିଲେ । ଏବଂ ଏଇଠି ରହିବା ଭିତରେ ସେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ରଚନା କରିଥିଲେ । ଏହି ଚମ୍ପୁ ତାଙ୍କୁ ଅଶେଷ ଖ୍ୟାତି ଦେଇଥିଲା ଏବଂ ସେ ଜଣେ ଉଚ୍ଚମାନର ସାରସ୍ୱତ ସାଧକ ରୂପେ ପରିଗଣିତ ହୋଇଥିଲେ ।
ଏହି କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ କ ଠାରୁ କ୍ଷ ଅକ୍ଷର ପର୍ଯ୍ୟନ୍ତ ଅତି ସୁନ୍ଦର ଭାବରେ ଲେଖାଯାଇଛି ।ଯାହାର ବର୍ଣ୍ଣନା ଶୈଳୀ ଓ ଶବ୍ଦ ସଂଯୋଜନା ଅତି ଚମକôାର ଥିଲା । ଉଦାହରଣ ସ୍ୱରୂପ-
କି ହେଲାରେ ଖରାପ ତୁ ହେଲୁରେ
କି ହେଲାରେ କହିତ ନୁହଁଇ ଭାରତୀରେ
ଖାଲି ଯା ଦୂରରୁ ଦେଖି କଳନା କଲା ମୋ ଆଖି
କଳା ଇନ୍ଦିବର ଆରତିରେ
ଗଲାଣି ତ ଗଲା କଥାରେ ସଙ୍ଗାତ
ଗଲାଣି ତ ଗଲା କଥା
ଗୁପତେ ସିନା ମୁଁ ତୋତେ ପଚାରିଲି
ବଳିପଡିବାରୁ ବ୍ୟଥା
ଶ୍ରୀପଞ୍ଚମୀ ତିଥି କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ଉପଲକ୍ଷେ……..
ଅନ୍ୟ ଚମ୍ପୁମାନଙ୍କ ମଧ୍ୟରେ ଚ,ଛ,ଡ,ଢ,ମ,ତ,ଥ ପ୍ରଭୃତି ପଟ୍ଟଳ ଗୁଡିକ ଅତି ସୁନ୍ଦର ଭାବରେ କବିସୂର୍ଯ୍ୟ ରଚନା କରିଥିଲେ । ଏହି ଚମ୍ପୁ ଗୁଡିକ ଅତୀବ ରସାଳ ଓ ପ୍ରାଣବନ୍ତ । ଏଥିସହିତ ରତ୍ନାକର ଚମ୍ପୁ, ପ୍ରେମୋଦୟ ଚମ୍ପୁ, ଅନେକ ଛାନ୍ଦ, ଚଉତିଶା, ଭଜନ, ଜଣାଣ ଏବଂ ହାସ୍ୟ କଲୋଳ ପରି ବ୍ୟଙ୍ଗାତ୍ମକ ଗଦ୍ୟ ରଚନା କରି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଯାଇଛନ୍ତି । ତାଙ୍କ ପ୍ରତିବାକୁ ପୂନଃ ସ୍ୱୀକୃତି ଜଣାଇ ପୁରୀ ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ତାଙ୍କୁ କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧିରେ ମଧ୍ୟ ସମ୍ମାନିତ କରିଥରଲେ ।
କବିସୂର୍ଯ୍ୟଙ୍କ ଅନେକ ଜନପ୍ରିୟ ଭଜନ ଘରେ ଘରେ ଆଦୃତ ହୋଇପାରିଥିଲା ।ତନ୍ମଧ୍ୟରୁ ସର୍ପ ଜଣାଣ ଅଶେଷ ଲୋକପ୍ରିୟତା ହାସଲ କରିଥିଲା । ଜଗନ୍ନାଥଙ୍କୁ ସର୍ପ ସହିତ ତୁଳନାକରି ସେ ଲେଖିଥିଲେ ଓ ଗାଇଥିଲେ-
ବାଧିଲା ଜାଣି କ୍ଷମା କର ନୋହିଲେ ରମା ରମଣ ଦଣ୍ଡେଦିଅ ଟାଳି
ତୁମ୍ଭଙ୍କୁ ଜଗନ୍ନାଥ ଅଜମୋ ମନୋରଥ ଭରତି କରିଦେବି ଗାଳି
ହେ କୃପାନିଧି!
କରୁଣା ସିନ୍ଧୁ ବୋଲିକରି କହନ୍ତି ବୁଦେ୍ଧ ଡରି ମରି
କାଳ ସର୍ପ ଆପଣ କବଳ କର ପ୍ରାଣ ପବନମାନଙ୍କୁ ସବୁରି ହେ
କୃପାନିଧି!
ସେହିପରି ତାଙ୍କର ଆଉ ଏକ ଅଭିମାନ ଭରା ଜଣାଣ ଥିଲା-
କ୍ଷୀର ମୟ ସିନ୍ଧୁ ଜେମା ଯିବ ବନ୍ଧୁ ତୁମ୍ଭେ ତ ଜଗତ ପତି
ଟେକି ସମ ଦୃଷ୍ଟି ପତାକାକୁ ଚାହିଁ
ଏକି ପକ୍ଷପାତ ରୀତି ହେ ମହାବାହୁ ….ଇତ୍ୟାଦି!
ଚମ୍ପୁ, ଛାନ୍ଦ, ଭଜନ, ଜଣାଣ ବ୍ୟତିରେକ ବ୍ୟଙ୍ଗ କବିତା ଲେଖିବାରେ ସେ ମାହିର ଥିଲେ । ତାଙ୍କର ଏକ କାଳଜୟୀ ବ୍ୟଙ୍ଗ କବିତା ଥିଲା ‘ଜଗତେ କେବଳ’ । ତାହାର ଲେଖା ଏହିପରିଥିଲା-
ବରଜି ବରଷେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀ ରଜ ଲଗାଇ
ଗ୍ରାମ ଶୂକରୀକି ହୋଇବ ଗାଈ
ଜଗତେ କେବଳ
ଜନେ ହସିବେ ଏହି ତହୁଁ ଫଳ!
ଏହି ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା ଆଜି ଆମ ଗହଣରେ ନାହାଁନ୍ତି । ୧୮୪୫ ମସିହାରେ ତାଙ୍କର ଦେହାବସାନ ହୋଇଯାଇଛି । କିନ୍ତୁ ସେ ଜୀଇଁ ରହିଛନ୍ତି ଓ ରହିଥିବେ କାଳ କାଳକୁ ତାଙ୍କର ସାରସ୍ୱତ ସୃଷ୍ଟି ପାଇଁ । ବିସ୍ମୃତିକୁ ଧୀରେଧୀରେ ଚାଲି ଯାଉଥିବା କବିସୂର୍ଯ୍ୟ ବଳଦେବ ରଥଙ୍କ ସାରସ୍ୱତ ସୃଷ୍ଟି ସମ୍ଭାରଗୁଡିକୁ ଉତ୍ତର ପିଢି ପାଖରେ ପହଞ୍ଚାଇବା ଦାୟିତ୍ୱ ଆମ ସମସ୍ତଙ୍କର ।
Comments are closed.