– ‘ଟି ଏଣ୍ଡ ସର୍ପେଣ୍ଟ’: ଭାରତରେ ପ୍ରାରମ୍ଭିକ ବୌଦ୍ଧ କାଳ ଉପରେ ଆଧାରିତ ପ୍ରଦର୍ଶନୀ ୨୧ ଜୁଲାଇରୁ
– ପ୍ରି ଭିୟୁ କାର୍ଯ୍ୟକ୍ରମରେ ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ତରନଜିତ୍ ସିଂ ସାନ୍ଧୁ ଏବଂ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ସାମିଲ ହୋଇଥିଲେ
ନ୍ୟୁୟର୍କ: ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଏବଂ ଚେୟାରପର୍ସନ ନିତା ଅମ୍ବାନିଙ୍କ ସହାୟତାରେ ଆମେରିକାର ପ୍ରତିଷ୍ଠିତ ମେଟ୍ ସଂଗ୍ରହାଳୟ ଭାରତୀୟ ଇତିହାସ ସମ୍ପର୍କରେ ଏକ ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି । ‘ଟି ଏଣ୍ଡ ସର୍ପେଣ୍ଟ’ ନାମକ ଏହି ପ୍ରଦର୍ଶନୀ ଜୁଲାଇ ୨୧ରୁ ଆରମ୍ଭ ହେବ । ଭାରତରେ ପ୍ରାରମ୍ଭିକ ବୌଦ୍ଧ ସମୟର ପ୍ରଥମ ବର୍ଷରୁ ନେଇ ୬୦୦ ବର୍ଷ ପର୍ଯ୍ୟନ୍ତ ସମୟର ସଫଳ ଯାତ୍ରା ଏହି ପ୍ରଦର୍ଶନୀରେ ପ୍ରଦର୍ଶନ କରାଯିବ । ପ୍ରଦର୍ଶନୀରେ ଖ୍ରୀଷ୍ଟପୂର୍ବ ୨୦୦ ବର୍ଷରୁ ନେଇ ୪୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସମୟର ଭାରତୀୟ ବୌଦ୍ଧ ଇତିହାସ ସ୍ଥାନ ପାଇବ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହାୟତାରେ ଆୟୋଜନ କରାଯାଉଥିବା ‘ଟି ଏଣ୍ଡ ସର୍ପେଣ୍ଟ’ ପ୍ରଦର୍ଶନୀର ଏକ ବିଶେଷ ପ୍ରି ଭିୟୁ କାର୍ଯ୍ୟକ୍ରମ ରଖାଯାଇଥିଲା । ଏଥିରେ ନିତା ଅମ୍ବାନିଙ୍କ ବ୍ୟତୀତ କଳା ଜଗତର ଅନ୍ୟାନ୍ୟ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହେଇଥିଲେ । ସେମାନଙ୍କ ମଧ୍ୟରେ ସଂଯୁକ୍ତ ରାଜ୍ୟ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି ଏବଂ ‘ଟି ଏଣ୍ଡ ସର୍ପେଣ୍ଟ’ କ୍ୟୁରେଟର ଜନ୍ ଗାୟ ସାମିଲ ହୋଇଥିଲେ ।
ନିତା ଅମ୍ବାନି ଏହାକୁ ନେଇ ଆନନ୍ଦ ପ୍ରକାଶ କରି କହିଛନ୍ତି, “ମୁଁ ବୁଦ୍ଧଙ୍କ ସ୍ଥାନ ଭାରତରୁ ଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ମେଟ୍ର ସହଭାଗୀତାକୁ ଆଗକୁ ବଢାଇବା ପ୍ରୟାସ ତଥା ‘ଟି ଏଣ୍ଡ ସର୍ପେଣ୍ଟ’ ପ୍ରଦର୍ଶନୀ ପ୍ରସ୍ତୁତ କରିବା ଅବସରରେ ଏହା ମୋ ପାଇଁ ଏକ ଗର୍ବିତ ଅନୁଭୂତି ପ୍ରଦାନ କରୁଛି । ପ୍ରାରମ୍ଭିକ ବୌଦ୍ଧକାଳର ୬୦୦ ବର୍ଷର ୧୨୫ରୁ ଅଧିକ କଳାକୃତିକୁ ଏହି ପ୍ରଦର୍ଶନୀରେ ଦେଖିବାକୁ ମିଳିବ । ବୁଦ୍ଧଙ୍କର ଚିନ୍ତନ ଏବଂ ଭାରତୀୟ ସଂସ୍କୃତି ମଧ୍ୟରେ ଗଭୀର ସମ୍ପର୍କ ରହିଛି । ବୁଦ୍ଧଙ୍କ ବିଚାର ଆଜି ପର୍ଯ୍ୟନ୍ତ ଦୁନିଆକୁ ପ୍ରଭାବିତ କରୁଛି । ଭାରତୀୟ ସଂସ୍କୃତିର ବୈଭବକୁ ଆମେ ଦୁନିଆ ନିକଟରେ ପହଞ୍ଚାଇବା ଏବଂ ଦୁନିଆର ସର୍ବଶ୍ରେଷ୍ଠ ବିଷୟ ଭାରତକୁ ଆଣିବା ଆମର ପ୍ରୟାସ ହୋଇଛି ।”
ପ୍ରତିଷ୍ଠିତ ‘ଦ ମେଟ୍’ ସଂଗ୍ରହାଳୟରେ ନିତା ଅମ୍ବାନି ପ୍ରଥମ ଭାରତୀୟ ଟ୍ରଷ୍ଟି । ୨୦୧୯ରେ ସେ ମେଟ୍ର ଅବୈତନିକ ଟ୍ରଷ୍ଟି ନିଯୁକ୍ତ ହୋଇଥିଲେ । ସେବେଠାରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀମତୀ ଅମ୍ବାନି ଭାରତର ଗୌରବଶାଳୀ କଳା ପରମ୍ପରାକୁ ଦୁନିଆଁ ସମ୍ମୁଖରେ ପ୍ରସ୍ତୁତ କରିଆସୁଛନ୍ତି ।
ଦି ଆର୍ଟ ଇନ୍ଷ୍ଟିଚ୍ୟୁଟ ଅଫ ସିକୋଗୋରେ ‘ଗେଟ୍ସ୍ ଅଫ୍ ଦ ଲ୍ୟାଣ୍ଡ୍:ଦ ଟ୍ରାଡିସନ୍ ଅଫ କୃଷ୍ଣା’ ପେଣ୍ଟିଙ୍ଗ୍ ଆଦି ପ୍ରସ୍ତୁତିକୁ ଆଗକୁ ବଢାଇବା ଅଥବା ‘ଦ ମେଟ୍’ରେ ଆରମ୍ଭ ହେବାକୁ ଥିବା ଭାରତୀୟ କଳା ପ୍ରଦର୍ଶନୀକୁ ସହାୟତା କରିବା । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବୈଶ୍ୱିକ ଦର୍ଶକଙ୍କୁ ଭାରତୀୟ କଳା ଓ ସଂସ୍କୃତି ସହିତ ପରିଚିତ କରାଇବା ଲାଗି ମଧ୍ୟ ରିଲାଏନ୍ସ ଲଗାତାର ପ୍ରୟାସ କରିଆସୁଛି । ରିଲାଏନ୍ସ ଭାରତୀୟ କଳା ଓ ସଂସ୍କୃତିକୁ ଆଗକୁ ବଢାଇବା ପାଇଁ ନିକଟରେ ‘ନିତା ମୁକେଶ ଅମ୍ବାନି କଲ୍ଚରାଲ ସେଣ୍ଟର’ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ଯେଉଁଠାରେ ପ୍ରତ୍ୟହ ୫ରୁ ୬ ହଜାର ଦର୍ଶକ ବିଭିନ୍ନ କଳା ଓ କଳାକାରଙ୍କ ନୈପୁଣ୍ୟ ଦେଖିବାକୁ ପହଞ୍ଚୁଛନ୍ତି ।
