ମିଶନ କୋଭିଡ୍ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ୍ ଓଡିଶାର ୨୫ଟି ଜିଲାରେ ୧୦ ଲକ୍ଷରୁ ଅଧିକ ମାସ୍କ, ସାନିଟାଇଜର ଏବଂ ଶୁଷ୍କ ଗ୍ରୋସେରୀ କିଟ୍ ପ୍ରଦାନ କରିଛି
ଭୁବନେଶ୍ୱର: କୋଭିଡ୧୯ ବିରୋଧୀ ଲଢେଇରେ ନିଜର ପ୍ରୟାସ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ଓଡ଼ିଶାରେ ଗୋଷ୍ଠୀ ଟିକାକରଣ ପ୍ରୟାସ ଆରମ୍ଭ କରିଛି । ବାଦ ପଡିଯାଇଥିବା ଜନସାଧାରଣଙ୍କ ସମେତ ଟିକା ନେବାକୁ କୁଣ୍ଠା ପ୍ରକାଶ କରୁଥିବା ଲୋକମାନଙ୍କୁ କୋଭିଡ ୧୯ ଟିକା ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ ସ୍ଥାନୀୟ ଏନଜିଓ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡିକ ସହିତ ଏହି ପ୍ର୍ରୟାସରେ ସହଭାଗିତା କରୁଛି । ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରର ଆଖପାଖ ଅଂଚଳ ସମେତ ବିଭିନ୍ନ ବସ୍ତିଗୁଡିକର ୩୫୦ରୁ ଅଧିକ ଲୋକଙ୍କୁ ସହାୟ, ପରିବର୍ତନ, ରୁଚିକା ସୋସିଆଲ ସର୍ଭିସ ଅର୍ଗାନାଇଜେସନ, ଓଡ଼ିଶା ଭଲ୍ୟୁଂଟାରି ହେଲ୍ଥ ଆସୋସିଏସନ, ରୋଟାରୀ କ୍ଲବ ଅଫ କଳିଙ୍ଗ ଭୁବନେଶ୍ୱର ଆଦି ଏନଜିଓ ସହଭାଗୀଙ୍କ ସହଯୋଗରେ ଭୁବନେଶ୍ୱରସ୍ଥିତ ନୀଳାଚଳ ହସପିଟାଲରେ ଆୟୋଜିତ ସ୍ୱତନ୍ତ୍ର ଟିକାକରଣ ଶିବିରରେ ଟିକାଦାନ କରାଯାଉଛି । ଟିକା ନେଉଥିବା ସମସ୍ତ ହିତାଧିକାରୀଙ୍କୁ ମଧ୍ୟ କୋଭିଡ ସୁରକ୍ଷା କିଟ୍ ପ୍ରଦାନ କରାଯାଇଛି, ଯେଉଁଥିରେ ଫେସ ଶିଲ୍ଡ, ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ରହିଛି । ଏହି ଗୋଷ୍ଠୀ ଟିକାକରଣ ଅଭିଯାନ ଭୁବନେଶ୍ୱରରେ ଜାରି ରହିବା ସହିତ ଏହା ବାଲେଶ୍ୱର ଓ ବ୍ରହ୍ମପୁରକୁ ଆଗାମୀ କିଛି ସପ୍ତାହ ମଧ୍ୟରେ ସମ୍ପ୍ରସାରିତ କରାଯିବା କାର୍ଯ୍ୟକ୍ରମ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଫାଉଣ୍ଡେସନ ତାହାର ମିଶନ କୋଭିଡ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ଓଡ଼ିଶାର ୨୫ଟି ଜିଲାରେ ପ୍ରମୁଖ ଏନଜିଓ ସହଭାଗୀ, କୃଷକ ଉତ୍ପାଦକ କମ୍ପାନୀସମୂହ, ପୌର କାର୍ଯ୍ୟାଳୟ ଏବଂ ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟଗୁଡିକ ଜରିଆରେ ୧୦ ଲକ୍ଷରୁ ଅଧିକ ମାସ୍କ, ସାନିଟାଇଜର ଏବଂ ଶୁଷ୍କ ଗ୍ରୋସେରୀ ସାମଗ୍ରୀ ଥିବା କିଟ୍ ବଂଟନ କରିଛି । କୋଭିଡ ମୁକାବିଲାରେ ନିୟୋଜିତ ସମ୍ମୁଖଭାଗର କର୍ମଚାରୀ, ସ୍ୱାସ୍ଥ୍ୟସେବା ଯୋଗାଣକାରୀ, ପୌରାଂଚଳ ପରିମଳ କର୍ମଚାରୀ, ରାସ୍ତାକଡ ଉଠାଦୋକାନି ଏବଂ ରାଜ୍ୟର ପ୍ରମୁଖ ହସପିଟାଲଗୁଡିକରେ ରୋଗୀ ଓ ସେଠାକୁ ଆସୁଥିବା ଜନସାଧାରଣଙ୍କୁ ଏହି ମାସ୍କ ଏବଂ ୧ ଲକ୍ଷରୁ ଅଧିକ ସାନିଟାଇଜର ପ୍ରଦାନ କରାଯାଇଛି । ଏଥିସହିତ ସମଗ୍ର ଓଡ଼ିଶାରେ କୋଭିଡ ସୁରକ୍ଷା ପ୍ରୟାସକୁ ଅଧିକ ସମ୍ପ୍ରସାରିତ କରି ରିଲାଏନ୍ସ ଫାଉଣ୍ଡେସନ ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ପୁରୀ ଓ କୋରାପୁଟ ଜିଲାରେ ଏନଜିଓ ସହଭାଗୀଙ୍କ ଜରିଆରେ ୭ରୁ ୧୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ପ୍ରାୟ ୩୦ ହଜାର ପିଲାଙ୍କ ମାସ୍କ ପ୍ରଦାନ କରିଛି । ଏଥିସହିତ ରିଲାଏନ୍ସ ଫାଉଣ୍ଡେସନ୍ ଓଡ଼ିଶାର ୧୬ଟି ଜିଲାରେ ପୁଲିସ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପାରାମେଡିକାଲ କର୍ମଚାରୀ, ପୌର ପରିମଳ କର୍ମଚାରୀଙ୍କ ସମେତ ସମ୍ମୁଖଭାଗ ଯୋଦ୍ଧାଙ୍କୁ ପୌରସଂସ୍ଥା କାର୍ଯ୍ୟାଳୟ ଏବଂ ସ୍ଥାନୀୟ ଏନଜିଓ ସହଭାଗୀଙ୍କ ଜରିଆରେ ୧.୧୩ ଲକ୍ଷରୁ ଉର୍ଦ୍ଧ୍ୱ ହ୍ୟାଣ୍ଡ ସାନିଟାଇଜର ଏବଂ ୭୦ହଜାରରୁ ଉର୍ଦ୍ଧ୍ୱ ଗ୍ଲୋଭସ ପ୍ରଦାନ କରିଛି ।
କୋଭିଡ୧୯ ର ଦ୍ୱିତୀୟ ଲହର ସମୟରେ ରିଲାଏନ୍ସ ଫାଉଣ୍ଡେସନ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ବରଗଡ, ଅନୁଗୁଳ, ଗଞ୍ଜାମ ଓ ପୁରୀ ଜିଲାରେ ବସ୍ତି ଅଂଚଳରେ ଥିବା ଅସହାୟ ଜନସାଧାରଣ, ଜରା ନିବାସ, ପ୍ରବାସୀ ଶ୍ରମିକଙ୍କର ୬ହଜାରରୁ ଅଧିକ ପରିବାରକୁ ଏନଜିଓ ସହଭାଗୀଙ୍କ ଜରିଆରେ ଶୁଷ୍କ ରାସନ କିଟ୍ ପ୍ରଦାନ କରିଥିଲା । ହାତଟଣା ରିକ୍ସାଚାଳକ, ସହରର ସଫେଇ ଓ ପରିମଳ କର୍ମଚାରୀ, ଜରା ନିବାସର ଅନ୍ତେବାସୀ, ବସ୍ତିବାସିନ୍ଦା, ପ୍ରବାସୀ ଓ ଦିନ ମଜୁରିଆ, ବାସଗୃହ ସହାୟିକା, ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପରିବାରକୁ ଏହି ଶୁଷ୍କ ରାସନ କିଟ୍ ପ୍ରଦାନ କରାଯାଇଥିଲା ।
ରିଲାଏନ୍ସ ଫାଉଣ୍ଡେସନ କେରଳ ଓ ମୁମ୍ବଇ ସମେତ ବହୁ ରାଜ୍ୟ ଓ ସହର କର୍ତୃପକ୍ଷଙ୍କୁ ସହଯୋଗ ପ୍ରଦାନ କରିବା ସହିତ ଆପଦଶଙ୍କୁଳ ଜନସାଧାରଣଙ୍କୁ ତ୍ୱରିତ ଟିକାଦାନ ସୁନିଶ୍ଚିତ କରିବା ଦିଗରେ ସହଯୋଗର ହାତ ବଢାଇଛି । ରିଲାଏନ୍ସ ଫାଉଣ୍ଡେସନ ତାହାର କୋଭିଡ ସୁରକ୍ଷା ଅଭିଯାନ ଅଧୀନରେ ମାସ୍କ ବଂଟନ ଓ ସଚେତନତା ବାର୍ତା ପ୍ରସାର ଜରିଆରେ ସଭିଙ୍କ ସୁରକ୍ଷା ବଜାୟ ରଖିବା ଅଭିଯାନକୁ ସମର୍ଥନ କରିଆସୁଛି । ଏହା ଦେଶର ୨୧ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ କୋଭିଡ ସୁରକ୍ଷା ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ, ରାସ୍ତାକଡ ଉଠାଦୋକାନି ଏବଂ ଆପଦଶଙ୍କୁଳ ଜନସମୁଦାୟଙ୍କୁ ୧.୩ କୋଟିରୁ ଅଧିକ ମାସ୍କ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ସହଭାଗୀଙ୍କ ଜରିଆରେ ଯୋଗାଇ ଦେଇଛି ଏବଂ ଏହି ଦିଗରେ ବ୍ୟାପକ ଉଦ୍ୟମ ଜାରି ରଖିଛି ।
Comments are closed.