ରାୟଗଡା,୧୫ ।୩ : ହୀରାଖଣ୍ଡ ଓ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବା ପାଇଁ ଦାବୀ କରିଛି ଜିଲ୍ଲା କଂଗ୍ରେସ କମିଟି । ଏ ନେଇ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା ଓ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟି ହୀରାଖଣ୍ଡ ଓ ସମଲେଶ୍ୱରୀ ଟ୍ରେନ ପୁରୁଣା ସମୟସାରଣୀରେ ଚଳାଚଳ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥି ସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲ୍ାକା ଓ ରେଳ ବିଭାଗର ଡିଆରଏମଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଜଣାଇଛନ୍ତି ।
କରୋନା ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ ୨୦୨୦ରେ ରେଳ ବିଭାଗ ତରଫରୁ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଥିଲେ । ତେବେ କରୋନା ସଂକ୍ରମଣ ଧିରେ ଧିରେ କମିବା ପରେ ରେଳ ବିଭାଗ ତରଫରୁ କୋଭିଡ ସ୍ପେଶାଲ ଟ୍ରେନ ଚଳାଚଳ କରାଯାଇଛି । ତେବେ ରାୟଗଡା ତଥା ଦକ୍ଷିଣ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ହୀରାଖଣ୍ଡ ଟ୍ରେନକୁ ବର୍ତମାନ ପର୍ଯ୍ୟନ୍ତ ପୁରୁଣା ରୁଟ ଦେଇ ଚଳାଚଳ କରାଯାଇ ନାହିଁ ।
କୋଭିଡ ସ୍ପେଶାଲ ଟ୍ରେନ ନାମରେ କୋରପୁଟ-ରାୟଗଡା-ସମ୍ବଲପୁର ଦେଇ ସପ୍ତାହିକ ୩ ଦିନ ଭୂବନେଶ୍ୱରକୁ ଟ୍ରେନ ଚଳାଚଳ କରୁଛି । ସିଧାସଳଖ ଭାବେ ଭୂବନେଶ୍ୱରକୁ କୌଣସି ଟ୍ରେନ ଯୋଗଯୋଗ ହୋଇପାରୁନଥିବା ଯୋଗୁଁ କୋରାପୁଟ ଓ ରାୟଗଡା ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଯଥାଶୀଘ୍ର ହୀରାଖଣ୍ଡ ଟ୍ରେନକୁ ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀରେ ଚଳାଚଳ କରିବା ପାଇଁ କଂଗ୍ରେସ ତରଫରୁ ଦାବୀ ହୋଇଛି ।
ଏଥି ସହ ସମଲେଶ୍ୱରୀ ଟ୍ରେନକୁ ମଧ୍ୟ ଯଥାଶୀଗ୍ର ଚଳାଚଳ କରିବା ପାଇଁ କଂଗ୍ରେସ ଦାବୀ କରିଛି । ବର୍ତମାନ ପରିସ୍ଥିତିରେ କୋରପୁଟ ଦେଇ କଲିକତାକୁ କୌଣସି ଟ୍ରେନ ଚଳାଚଳ କରୁନଥିବାରୁ ବିଶେଷ କରି ବାଣିଜ୍ୟ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଏହାର ପ୍ରଭାବ ପଡିଛି । ସମଲେଶ୍ୱରୀ ଟ୍ରେନ ଯୋଗେ ସୁଦୂର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା,ବଲାଙ୍ଗିର ଓ କଳାହାଣ୍ଡି ବାସିନ୍ଦା ନିର୍ଭର କରିଥାନ୍ତି । ତେଣୁ ରେଳବିଭାଗ ତରଫରୁ ତୁରନ୍ତ ହୀରାଖଣ୍ଡ ଓ ସମଲେଶ୍ୱରୀ ଟ୍ରେନ ଚଳାଚଳ କରି ଲକ୍ଷ ଲକ୍ଷ ଲୋକେ ଉପକୃତ ହୋଇପାରିବେ ବୋଲି କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।