ରେଢାଖୋଲ: ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ।
ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ ଗାଁର ଗୋଟିଏ ପରିବାରର ୫ଜଣ ଆଦିବାସୀ ଲୋକ ଯାଇଥିବା ଜଂଗଲକୁ ଯାଇଥିଲେ। ହଠାତ ୨ଜଣଙ୍କୁ ଅତି ଦୟନୀୟ ଭାବରେ ଆକ୍ରମଣ କରିଥିଲା ଭାଲୁ। ଭାଲୁର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନେ ବିକଳରେ ଗଛ ଉପରେ ଚଢିଯାଇଥିଲେ। ଏମାନଙ୍କର ଲଢେଇରେ ଭାଲୁର ମଧ୍ୟ ମୃତ୍ୟୁ ହୋଇଛି।
ଅନ୍ୟ ଜଣେ ଆହତ ଅବସ୍ଥାରେ ଖସି ଆସି ଗାଁକୁ ଆସି ଖବର ଦେଇଥିଲେ। ଗାଁ ଲୋକେ ଦଳବଳ ହୋଇ ଗଛରେ ଚଢିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳକୁ ବନବିଭାଗ ପହଞ୍ଚିଥିଲା।
କ୍ଷତିପୂରଣ ଦାବିରେ ଲୋକେ ବନବିଭାଗକୁ କିଛି ସମୟ ଘେରାଉ କରିଥିଲେ। ଏନେଇ ରେଂଜର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ପୋଲିସ, ବନବିଭାଗ ପହଞ୍ଚି ଉଭୟ ମଣିଷ ଓ ଭାଲୁର ମୃତଦେହ ଉଦ୍ଧାର କରିଛି।