ରାୟଗଡା୧୪ ।୧(ରବୀନ୍ଦ୍ର ପାଟଖଣ୍ଡଳ)-ସକାଳୁ ସକାଳୁ ସଫେଇ କର୍ମଚାରୀ ମାନେ ସହରର ସଫେଇ କାମ ଛାଡି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କ ଦାବୀ ଗୁଡିକ ଶୀଘ୍ର ମାନିବାକୁ ଦାବୀ କରିଥିଲେ । ସଫେଇ କର୍ମଚାରୀ କରିଥିବା ପ୍ରମୁଖ ଦାବୀଗୁଡିକ ମଧ୍ୟରୁ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କୁସଳି ଶ୍ରମିକର ଦୈନିକ ହାରରେ ମଜୁରୀ ପ୍ରଦାନ, ସପ୍ତମ ବେତନ କମିଶନ ଲାଗୁ କରିବା, ପ୍ରତ୍ୟେକ ମାସର ୧ ରୁ ୧୦ ତାରିଖ ମଧ୍ୟରେ ଶ୍ରମିକ ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଦରମା ପ୍ରଦାନ, ୩ କି.ମିରୁ ଅଧିକ ଯାତାୟତ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ଯାତାୟତ ଖର୍ଚ୍ଚ ପ୍ରଦାନ, ପୌରପରିଷଦ ତରଫରୁ ଚିକିତ୍ସା ଖର୍ଚ୍ଚ ପ୍ରଦାନ, କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ବାସଗୃହ ପ୍ରଦାନ, କୋଭିଡ ୧୯ର ସମସ୍ତ ସୁବିଧା ପ୍ରଦାନ, କାର୍ଯ୍ୟର ସମୟସୀମା ଧାର୍ଯ୍ୟ କରିବା, ସଫେଇ କର୍ମଚାରୀ ମାନଙ୍କୁ ପୌରପରିଷଦ କର୍ମଚାରୀ ଭାବେ ଘୋଷଣା, ୯୦ ଦିନରୁ ଅଧିକ ସମୟ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ପି.ଏଫ ଓ ଇ.ଏସ.ଆଇ କାର୍ଡ ପ୍ରଦାନ, ପରିଚୟ ପତ୍ର ପ୍ରଦାନ ସହ ପର୍ବ ପର୍ବାଣୀରେ ବୋନସ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ସଫେଇ କର୍ମଚାରୀ । ଏ ନେଇ ସଫେଇ କର୍ମଚାରୀ ସଂଘ ତରଫରୁ ଏକ ଦାବୀପତ୍ର ପୌରନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ପ୍ରଦାନ କରାଯାଇଥିଲା । ୨୦୦ ରୁ ଉଦ୍ଧ୍ୱର୍ ସଫେଇ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ସଫେଇ ମଜଦୁର ସଂଘର ସଭାପତି ଓ ସଂପାଦକ ମଧ୍ୟ ଉପସ୍ଥିତ ଥିଲେ ।