ରାୟଗଡା- ରାୟଗଡା ରେଳ ଷ୍ଟେସନରୁ ଦାଦନ ଖଟିବାକୁ ଯିବାବେଳେ ୫ଜଣ ନାବାଳିକା ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶିଶୁ ଶ୍ରମିକ ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆରଭି ଗ୍ରାମର ୫ ଜଣ ନାବାଳିକା ଚଂଚଳା କୁମ୍ଭିରିକା(୧୭), ଗୀତା କୁମ୍ଭିରିକା(୧୬), ଅଂଜଳି କଣ୍ଡାଗରି (୧୭), ସଂଯୁକ୍ତା ସାରକା(୧୭),ବୃନ୍ଦାବତି କଣ୍ଡାଗରି(୧୭) ଆନ୍ଧ୍ରପ୍ରଦେଶ ସ୍ଥିତ ନେଲୁରୁ ଜିଲ୍ଲାକୁ ଟ୍ରେନ ଯୋଗେ ଯିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲା ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନର କର୍ମଚାରୀ ଏବଂ ଶ୍ରମ ବିଭାଗ ଅଧିକାରୀମାନେ ଷ୍ଟେସନ ପହଂଚି ୫ ଜଣ ନାବାଳିକା ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ଶ୍ରମିକ ମାନେ ଷ୍ଟେସନରୁ ଚମ୍ପଟମାରି ଚାଲିଯାଇଥିଲେ । ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶିଶୁ ଶ୍ରମିକ ମାନେ ନେଲୁରୁ ଠାରେ ଚାଷ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ଯାଉଥିବା ପ୍ରକାଶ କରିଥିଲେ ।
ସମସ୍ତଙ୍କୁ ଉଦ୍ଧାର କରାଯାଇ ରାୟଗଡା ଜିଆରପି ଥାନାରେ ରଖା ଯାଇଛି । ଘଟଣା ସଂପର୍କରେ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଥିଲା । ଉଦ୍ଧାର ଦାଦନ ଶ୍ରମିକ ମାନଙ୍କ ପରିବାରବର୍ଗ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ଚାଇଲ୍ଡ ଲାଇନ ସଂଯୋଜିକା ନିଳୀମା ପ୍ରକାଶ କରିଛନ୍ତି ।