ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରୀ ନିକଟରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କର ଗୋଟିଏ ମନ୍ଦିର ଅଟେ l ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅଲାରନାଥ ମନ୍ଦିର କୁ ନେଇ ଅନେକ ବିବରଣୀ ରହିଛି l ଦେବସ୍ନାନ ପୁର୍ଣିମା ଦିନ ଶ୍ରୀଜୀଉ ମାନେ ମହାସ୍ନାନ କରି ଭୀଷଣ ଜ୍ବରରେ ପୀଡିତ ହୋଇ ଥାଆନ୍ତି l ଏହି ସମୟରେ ମହାପ୍ରଭୁଙ୍କୁ ଅଣସରରେ ରଖାଯାଇଥାଏ ଓ ମହାପ୍ରଭୁଙ୍କ ବଂଶଧର ଭାବରେ ପରିଚିତ ଦଇତାପତି ମାନେ ତାଙ୍କର ସେବା ଶୁଶ୍ରୁଷା କରିଥାଆନ୍ତି l ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ ଦିନ ଧରି ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ରେ ଦର୍ଶନ କରିପାରନ୍ତି ନାହିଁ , ତେଣୁ ଏହି ସମୟରେ ଭକ୍ତମାନେ ଅଲାରନାଥ ଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରନ୍ତି l ମାନ୍ୟତା ରହିଛି ଯେ ଶ୍ରୀମନ୍ଦିର ରେ ରତ୍ନ ସିଂହାସନ ରେ ଶ୍ରୀଜିଉ ଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ମିଳିଥାଏ ଅଣସର ସମୟରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ଦ୍ୱାରା ସେତିକି ପୁଣ୍ୟ ମିଳିଥାଏ l ଅଲାରନାଥ କୌନସୁ ପର୍ଯ୍ୟଟନସ୍ଥଳୀ ନହେଲେ ମଧ୍ୟ ଏହି ସ୍ଥାନ କୃଷ୍ଣ ଭକ୍ତ ଙ୍କ ପାଇଁ ଗୋଟିଏ ପ୍ରସିଦ୍ଧ ସ୍ଥାନ ଅଟେ l କାହିଁକି ନା ଭଗବାନ ଅଲାରନାଥ ହେଉଛନ୍ତି ବିଷ୍ଣୁଙ୍କର ଚଳନ୍ତି ପ୍ରତିମା l
ପୌରାଣିକ କଥା –
ଅଲାରନାଥ ଙ୍କୁ ନେଇ ଅନେକ ପୌରାଣିକ କଥା ରହିଛି, ସତ୍ୟଯୁଗ ରେ ସୃଷ୍ଟିକର୍ତ୍ତା ବ୍ରହ୍ମା ମର୍ତ୍ୟମଣ୍ଡଳ ରେ ବିଷ୍ଣୁ ଙ୍କ ଦର୍ଶନ ପାଇବା ପାଇଁ ଘୋର ତପସ୍ୟା କଲେ, ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ନିଜର ଚତୁର୍ଭୁଜ ରୂପ ଦେଖାଇ ପ୍ରକଟ ହେଲେ l ବିଷ୍ଣୁ କହିଲେ ଯେ ମୁଁ ତମ ତପସ୍ୟାରେ ସନ୍ତୁଷ୍ଟ, ତମେ ମୋର ଗୋଟିଏ ଚତୁର୍ଭୁଜ ମୂର୍ତି ନିର୍ମାଣ କରି ଏଠାରେ ପୂଜା କର l ଭଗବାନ ବିଷ୍ଣୁ ଙ୍କ ଆଜ୍ଞା ପାଇ ବ୍ରହ୍ମା ଗୋଟିଏ କଳା ମୁଗୁନି ପଥର ରେ ବିଷ୍ଣୁ ଙ୍କ ମୂର୍ତି ନିର୍ମାଣ କରି ପୂଜାର୍ଚନା କରିଥିଲେ l ସେହି ପ୍ରତିମୁର୍ତି ବର୍ତମାନ ଅଲାରନାଥ ଭାବରେ ସବୁଠି ବିଖ୍ୟାତ l ଯେଉଁ ପର୍ବତ ଉପରେ ବ୍ରହ୍ମ ତପସ୍ୟା କରିଥିଲେ ସେହି ସ୍ଥାନଟି ପରବର୍ତୀ ସମୟରେ ବ୍ରହ୍ମଗିରୀ ଭାବରେ ପରିଚିତ ହୋଇଥିଲା l ଅନ୍ୟ ଗୋଟିଏ କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ରାଜତ୍ୱ କାଳରେ ସୃଷ୍ଟିକର୍ତା ବ୍ରହ୍ମ ଶ୍ରୀମନ୍ଦିର ପ୍ରତିଷ୍ଠା ନିମିତ୍ତ ମର୍ତ୍ୟଭୂମି କୁ ଆସିଥିଲେ l ସେ ଯେଉଁ ସ୍ଥାନରେ ମର୍ତ୍ୟଭୂମୀ ରେ ଓଲ୍ହାଇ ଥିଲେ ସେହି ସ୍ଥାନ ପରବର୍ତୀ ସମୟରେ ବ୍ରହ୍ମଗିରୀ ନାମରେ ପରିଚିତ ହୋଇଥିଲା l ସୃଷ୍ଟିକର୍ତ୍ତା ମର୍ତ୍ୟଭୂମି କୁ ପାଦ ଦେବା ପରେ ବିଷ୍ଣୁଙ୍କୁ ପୂଜା କରିଥିଲେ, ସେ ଯେଉଁ ସ୍ଥାନରେ ବିଷ୍ଣୁ ଙ୍କୁ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ସେହି ସ୍ଥାନ ଅଲାରନାଥ ନାମରେ ନାମିତ ହେଲା l
ଅଲାରନାଥ ଓ ଶ୍ରୀଚୈତନ୍ୟ –
ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ପ୍ରକଟ ହୋଇଥିଲା l ତେବେ ଅନେକ ବର୍ଷ ଧରି ଏହି ଲୀଳା ଗୁପ୍ତ ରହିବ ପରେ ମହାନ ବୈଷ୍ଣବ ସନ୍ଥ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରକୁ ଆଗମନ ସମୟରେ ଅଲାରନାଥ ଙ୍କ ମହିମା ପୁନର୍ବାର ଲୋକ ମୁଖରେ ପ୍ରଚାରିତ ହୋଇଥିଲା l ଶ୍ରୀଚୈତନ୍ୟ ନିଜ ଜୀବନ ର ୧୮ ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ l ସେ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର କୁ ଯାଇ ଥାଆନ୍ତି, କିନ୍ତୁ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ନପାଇ ସେ ବିରହ ଜ୍ୱାଳାରେ ମ୍ରିୟମାଣ ହୋଇ ଯାଇଥିଲେ l ଏହାପରେ ତାଙ୍କୁ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ କରିଥିଲେ ଯେ ତମେ ଯାଇ ମତେ ବ୍ରହ୍ମଗିରୀ ସ୍ଥିତ ଅଲାରନାଥ ଠାରେ ଦର୍ଶନ କର l ଶ୍ରୀଚତନ୍ୟ ବ୍ରହ୍ମଗିରି ରେ ପହଂଚି ସ୍ୱୟଂ ନାରାୟଣଙ୍କୁ ପ୍ରଣିପାତ କରିଥିଲେ l କୁହାଯାଏ ଯେ ପ୍ରଭୁଙ୍କ ଦର୍ଶନ ନପାଇ ତାଙ୍କ ଶରୀର ବିରହ ଜ୍ୱାଳାରେ ଏତେ ଉତପ୍ତ ହୋଇ ଯାଇଥିଲା ଯେ ସେଠାରେ ଥିବା ପ୍ରସ୍ତର ଖଣ୍ଡ ତାଙ୍କ ଶରୀରର ଆକାରରେ ତରଳି ଯାଇଥିଲା l ବର୍ତମାନ ମଧ୍ୟ ସେହି ପ୍ରସ୍ତର ଖଣ୍ଡ ସର୍ବାଙ୍ଗ ଶିଳା ଭାବରେ ମନ୍ଦିର ପରିସରରେ ପୂଜା ପାଉଛି l
ଇତିହାସରେ ଅଲାରନାଥ –
ପୌରାଣିକ ମାନ୍ୟତା ଅନୁସାରେ କୁହାଯାଇଛି ଯେ ତାମିଲନାଡୁ ରୁ ଆସିଥିବା ଆଲବର ସମ୍ପ୍ରଦାୟ ଏଠାରେ ଚତୁର୍ଦ୍ଧା ମୂର୍ତି ଙ୍କୁ ସ୍ଥାପନା କରିଥିଲେ ଏବଂ ଏହି ସମ୍ପ୍ରଦାୟ ର ବ୍ରାହ୍ମଣମାନେ ପ୍ରଭୁଙ୍କର ପୂଜାର୍ଚନା କରି ଥାଆନ୍ତି l ଗବେଷକ ଙ୍କ ମତରେ ‘ଅଲାରନାଥ ‘ ନାଁଟି ଏକ ଦ୍ରାବିଡ଼ ଶବ୍ଦ ରୁ ଆସିଛି l ଦ୍ରାବିଡ଼ ଶବ୍ଦ ‘ଆଲୋୟାର’ ର ଅର୍ଥ ଭକ୍ତ , ଏଣୁ ଆଲୋୟାରନାଥ ର ଅର୍ଥ ଭକ୍ତଙ୍କ ନାଥ l ଅପରପକ୍ଷରେ ପୁରୁଷୋତ୍ତମ ଚନ୍ଦ୍ରିକାରେ ହୋଇଥିବା ଉଲ୍ଲେଖ ଅନୁସାରେ ପରମ ତାନ୍ତ୍ରିକ ଅଲବନ୍ଧାଚାର୍ଯ୍ୟ ନାମକ ଜଣେ ତନ୍ତ୍ର ସାଧକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର କୁ ଆସିଥିବା ସମୟରେ ଅଣସର ହେତୁ ଦର୍ଶନ ନପାଇ ନିଜର ତନ୍ତ୍ର ସାଧନା ବଳରେ ଗୋଟିଏ ଭ୍ରମରହଇ ଅଣସର ଗୃହକୁ ପ୍ରବେଶ କରିଥିଲେ l ଏଠାରେ ସେ ଅଷ୍ଟଦଳ ପଦ୍ମ ଦେଖି ତା ଉପରେ ବସିବାକୁ ଯିବା ସମୟରେ ସେହି ପଦ୍ମର ପାଖୁଡା ଗୁଡିକ ସୁନ୍ଦର ନାରୀ ହୋଇଯାଇଥିଲେ ଓ ଅଲବନ୍ଦlଚାର୍ଯ୍ୟ ଙ୍କୁ ଉପହାସ କରିଥିଲେ l ଏହାଦ୍ୱାରା ସେ ଅପମାନିତ ହୋଇ ଓ ଜଗନ୍ନାଥ ଙ୍କ ଦର୍ଶନ ରୁ ବଂଚିତ ହୋଇଥିବା କାରଣରୁ ସମୁଦ୍ରରେ ପ୍ରାଣ ବିସର୍ଜନ କରିବାକୁ ଉଦ୍ୟତ ହୁଅନ୍ତେ ଗୋଟିଏ ବିରାଟକାୟ ମର୍କଟ ତାଙ୍କ ସମ୍ମୁଖରେ ଲମ୍ଫ ପ୍ରଦାନ କରି ଦକ୍ଷିଣ ଦିଗକୁ ଗତି କରିଥିଲା, ଏହା ଭଗବାନ ଙ୍କ ନିର୍ଦେଶ ଭାବି ସେ ଦକ୍ଷିଣାଭିମୁଖୀ ଦିଗରେ ଗତି କରିଥିଲେ ଓ ଅଲାରନାଥ ପୀଠରେ ପହଂଚି ସେଠାରେ ଶିଳାରୁପି ବିଷ୍ଣୁ ବିଗ୍ରହ ଙ୍କୁ ଦର୍ଶନ କରିଥିଲେ l
ଅଲାରନାଥ ଙ୍କ କ୍ଷୀରୀ ଭୋଗ ର କିମ୍ବଦନ୍ତୀ –
ଅଲାରନାଥ ଙ୍କ କ୍ଷୀରୀ ଭୋଗକୁ ନେଇ ସୁନ୍ଦର କିମ୍ବଦନ୍ତୀ ରହିଛି, ଏକଦା ଅଲାରନାଥ ଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବା ପୂଜକ କୌଣସି କାର୍ଯ୍ୟ ବଶତଃ ଚାଲି ଯାଇଥିଲେ l ଯିବା ପୂର୍ବରୁ ସେ ନିଜର ନାବାଳକ ପୁତ୍ରକୁ କ୍ଷୀରି ଭୋଗ କରିବା ପାଇଁ କହିଥିଲେ l ଅଜ୍ଞାନ ବାଳକଟି କ୍ଷୀରି ହାଣ୍ଡିକୁ ଧରି ପ୍ରଭୁଙ୍କ ନିକଟରେ ଆବାହନ କରି କ୍ଷୀରି ସମର୍ପଣ କରି କହିଥିଲା, ଆସ ଅଲାରେ ଖାଅ କ୍ଷୀରି ବାପା ଯାଇଛନ୍ତି ଭିକ୍ଷା କରି , ଏତିକି କହି କ୍ଷୀରି ଭୋଗ ଲଗାଇଥିଲେ ଓ ଆକ୍ଷି ବନ୍ଦ କରି ଠାକୁରଙ୍କୁ ଆବାହନ କରି ଆକ୍ଷି ଖୋଲିବା ପରେ ଦେଖିଥିଲେ ଯେ ହାଣ୍ଡିରେ କ୍ଷୀରି ନାହିଁ l ଘରକୁ ଖାଲି ହାଣ୍ଡି ଧରି ଯିବାରୁ ତାଙ୍କ ମା ପଚାରିଥିଲେ କ୍ଷୀରି କୁଆଡେ ଗଲା l ପୁଅ କହିଥିଲା କ୍ଷୀରି ଠାକୁର ଖାଇଦେଲେ l ମା କିନ୍ତୁ ଚିନ୍ତାରେ ସୋଇ ପାରିଲେ ନାହିଁ, କାଳେ ବିଲେଇ ଖାଇଥିବ କିମ୍ବା କିଛି ଅଘଟଣ ଘଟିଛି କି l ପରଦିନ ପୁଅକୁ କ୍ଷୀରି ହାଣ୍ଡି ଦେଇ ତା ପଛେପଛେ ଲୁଚିକି ଚାଲିଲେ ଓ ମନ୍ଦିର ନିକଟରେ ଲୁଚିଗଲେ l ଏହି ସମୟରେ ତାଙ୍କ ପୁଅ ଠାକୁରଙ୍କୁ ଆବାହନ କରି କ୍ଷୀରି ସମର୍ପଣ କରିବା ପରେ ଆକ୍ଷି ବନ୍ଦ କରିବା କ୍ଷଣି ପ୍ରଭୁ ହାଣ୍ଡିରୁ ନେଇ କ୍ଷୀରୀ ଖାଇଥିଲେ l ଏହାଦେଖି ବ୍ରାହ୍ମଣୀ ଭୟରେ ଚିତ୍କାର ଛାଡ଼ିବାରୁ ଗରମ କ୍ଷୀରୀ ପ୍ରଭୁଙ୍କ ମୁହଁ ଓ ହାତ ପୋଡି ଫୋଟକା ହୋଇ ଯାଇଥିଲା l ଏବେ ମଧ୍ୟ ଏହି ଫୋଟକା ସ୍ମୃତି ସ୍ୱରୂପ ରହିଛି l ସ୍ଥାନୀୟ ଅଧିବାସୀ ଙ୍କ ବିଶ୍ୱାସ ଯେ ଅଲାରନାଥ ଏଠାରେ କ୍ଷୀରି କୁ ଆଘ୍ରାଣ କରି ଥାଆନ୍ତି , ଯେଉଁ କାରଣରୁ କ୍ଷୀରି ସ୍ୱାଦିଷ୍ଟ ହୋଇଥାଏ l