ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମେ’ ୪ ତାରିଖ ଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭାରତର ପ୍ରଥମ ନାଗରିକ ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି। ତାଙ୍କ ଗାଁ ପାହାଡପୁରର ସମେତ ଆଖପାଖ ଅଂଚଳ ଯୁଦ୍ଧକାଳୀନ ଭିର୍ତିରେ ପରିଷ୍କାର ପରିଚ୍ଛନ୍ନ, ମାଟି ରାସ୍ତାରୁ ପକ୍କା ରାସ୍ତା ନିର୍ମାଣ, ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ୍ ମରାମତି ସମେତ ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ପ୍ରଭୃତି କାର୍ଯ୍ୟ ଜୋରଦାର୍ ପ୍ରସ୍ତୁତି ଚାଲିଛି।
ଏହାବ୍ୟତୀତ ମେ’ ୪ତାରିଖରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ ନିମନ୍ତେ ପଡୋଶୀ ଝାଡ଼ଖଣ୍ଡର ଟାଟାନଗରରୁ ସ୍ୱତନ୍ତ୍ର ଖଟ ଓ ବିଛଣା ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଣାଯାଇଛି। ତାଙ୍କ ବସିବା ନିମନ୍ତେ ସ୍ୱତନ୍ତ୍ର ଚୌକି ମଧ୍ୟ ବିଶିଷ୍ଟ କାରିଗରମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି। ତାଙ୍କ ଦ୍ୱାରା ନିର୍ମିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟ ମଧ୍ୟ ଚକାଚକ୍ ହେଉଛି। ତାଙ୍କ ଗସ୍ତକୁ ନେଇ ବାମନଘାଟୀ ଉପଖଣ୍ଡ ଚଳଚଂଚଳ ହୋଇଉଠିଛି। ଯେପରି ଏକ ବିରାଟ ମହୋତ୍ସବ ହେବ ସେଭଳି ଅଂଚଳବାସୀ ତାଙ୍କୁ ଦେଖିବାକୁ ଉତ୍ସାହିତ ଅଛନ୍ତି। ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଦଳ ବଳ ନିର୍ବିଶେଷରେ ସମସ୍ତେ କେମିତି ତାଙ୍କୁ ଭେଟି ପାରିବେ ବୋଲି ଆଶା ବାନ୍ଧିଛନ୍ତି।
