Odisha news

ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା : ଜଣେ ମୃତ, ଜଣେ ନିଖୋଜ, ୧୮ ଅଳ୍ପକେ ବର୍ତିଲେ, ” ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

0
ରାଜନଗର, ୨୭ ।୪ : ବ୍ରାହ୍ମଣୀ ନଦୀରେ ୨୦ଜଣ ଯାତ୍ରୀଙ୍କୁ ଆଣୁଥିବା ହୁଲି ଡଙ୍ଗାଟି ଭାରସାମ୍ୟ ହରାଇ ନଦୀରେ ବୁଡି ଗଲା । ୨୦ଜଣଙ୍କ ମଧ୍ୟରୁ ୧୮ଜଣ ଅଳ୍ପକେ ବର୍ତି ଯାଇ ଜୀବନ ରକ୍ଷା କରିଥିବା ବେଳେ  ୧୬ ବର୍ଷର ବାଳକ ନଦୀ ସ୍ରୋତରେ ଭାସି ଯାଇ ମୃତ୍ୟୁବରଣ କରିଛି। ଜୀବନକୁ ବାଜି ଲଗାଇ ନାବୀକ ସୁଦର୍ଶନ ୧୬ବର୍ଷର ବାଳକକୁ ଉଦ୍ଧାର କରିବା ସମୟରେ ବାଳକ ସହିତ ସେ ମଧ୍ୟ ଭାସି ଯାଇଥିଲେ ।  ବାଳକର ଶବ ଉଦ୍ଧାର କରାଯାଇଥିବା ବେଳେ ନାବିକ ସୁଦର୍ଶନ  ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ରାଜନଗର ଏବଂ ଆଳି ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପୁତ୍ରକୁ ହରାଇଥିବା ପରିବାର ଲୋକଙ୍କ ସମେତ ନଳପାହି, ଏକମାଣିଆ, ଦକ୍ଷୀଣଡିଆ ଗାଁ ରେ କାନ୍ଦବୋବାଳିରେ ନଦୀତଟ ଫାଟି ପଡୁଛି । ଗୁରୁବାର  ଭୋର ସାଢେ ୫ ଟା ସମୟରେ ସବୁଦିନ ପରି ଏକମାଣିଆ ଘାଟରୁ ଦୀର୍ଘ ୨୦ ବର୍ଷ ଧରି ବ୍ରାହ୍ମଣୀରେ ହୁଲି ଡଙ୍ଗା ସାହାଯ୍ୟରେ ପାରଉତାର କରୁଥିବା ନାବିକ ସୁଦର୍ଶନ ସ୍ୱାଇଁ (୫୦ ବର୍ଷ) ଓରଫ ପାତିଆ ୨୦ଜଣ ଯାତ୍ରୀଙ୍କୁ ଧରି କେରେଡାଗଡ ଅଭିମୁଖେ ଆସୁଥିବା ସମୟରେ ନଈ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ପାଣିରେ ବୁଡି ଯାଉଥିବା ୨୦ଜଣଙ୍କ ଭିତରୁ ୧୭ଜଣ ପହଁରି କୂଳରେ ଲାଗିଥିବା ବେଳେ ନଦୀ ସ୍ରୋତରେ ଭାସିଯାଉଥିବା ଅନୁରାଗ ବିଶ୍ୱାଳ, ପାପୁନି ବିଶ୍ୱାଳ ଓ ଦେବେନ୍ଦ୍ର ବେହେରାଙ୍କୁ ଉଦ୍ଧାର କରିବା ପାଇଁ ନାବିକ ସୁଦର୍ଶନ ନଦୀ ସ୍ରୋତରେ ଜୀବନ ସହିତ ଲଢି ଅନୁରାଗ ଓ ପାପୁନିକୁ ଉଦ୍ଧାର କରିଥିଲେ । ପରେ ଦେବେନ୍ଦ୍ରକୁ ଉଦ୍ଧାର କରିବାକୁ ଯାଇ ଦେବେନ୍ଦ୍ର ଓ ସୁଦର୍ଶନ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଡଙ୍ଗା ବୁଡିବା ଖବର ପହଁଚିବା ପରେ ଘାଟର ଉଭୟ ପାଶ୍ୱର୍ରେ ଶହ ଶହ ଲୋକ ପହଁଚିଥିଲେ ନଦୀ କୂଳଲୋକାରଣ୍ୟ ରେ ପରିଣତ ହୋଇଥିଲା। ଦେବେନ୍ଦ୍ର ଓ ସୁଦର୍ଶନକୁ ଉଦ୍ଧାର କରିବା ପାଇଁ ରାଜନଗର ଅଗ୍ନିଶମ ବିଭାଗ, ବନବିଭାଗ ଓ ପୁଲିସ ବାହିନୀ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ନଦୀରେ ଖୋଜା ଖୋଜି ଆରମ୍ଭ କରିଥିଲେ । ଅପରାହ୍ନ ୨ଟା ସମୟରେ ଦେବେନ୍ଦ୍ରର ଶବ ମିଳିଥିବାବେଳେ ସୁଦର୍ଶନ ଏବେବି ନିଖୋଜ ରହିଛନ୍ତି ।
ଉଦ୍ଧାରକାରୀ ଦଳ ଦେବେନ୍ଦ୍ରର ଶବକୁ ଉଦ୍ଧାର କରି ପ୍ରଥମେ ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଦେବେନ୍ଦ୍ର ପଟ୍ଟାମୁଣ୍ଡାଇରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି । ପଟ୍ଟାମୁଣ୍ଡାଇ ମାମୁଁଘରେ ରହି ପାଠ ପଢୁଥିଲେ । ଗାଁ ଉତ୍ସବକୁ ଯାଇଥିଲେ । ଆଜିଦେବେନ୍ଦ୍ର ମାମୁଁଘର ଫେରୁଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ନଦୀ ସ୍ରୋତରେ ଦେବେନ୍ଦ୍ର ଭାସିଯାଇ ପ୍ରାଣ ହରାଇଲେ । ଅପରପକ୍ଷରେ  ନାବିକ ସୁଦର୍ଶନନିଖୋଜ ଥିବା ଜଣାପଡିଛି। ଡଙ୍ଗାବୁଡି ଘଟଣା ଏକମାଣିଆ, ନଳପାହି, ଦକ୍ଷିଣଡିଆ ଗ୍ରାମବାସୀଙ୍କ ପାଇଁ ନୂଆ କଥାନୁହେଁ, ଅତୀତରେ ଅନେକ ଥର ଡଙ୍ଗା ବୁଡିଘଟଣା ଘଟିଛି। ଆଜି  ସକାଳରେ ଡଙ୍ଗାବୁଡିରେ ପ୍ରାଣ ହରାଇଥିବା  ଛାତ୍ର ଦେବେନ୍ଦ୍ରଙ୍କ ପରିବାର ପାଇଁ କଳା ଦିନଟିଥିଲା । ଏହି ମର୍ମନ୍ତୁଦ ଖବର ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ଗଭୀର ଶୋକ ସମବେଦନା ଜଣାଇବା ସହିତ ୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ପ୍ରଦାନ କରିଛନ୍ତି । ଡଙ୍ଗାବୁଡି ଘଟଣା ଖବର ପାଇ ଆଳି ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏକମାଣିଆରେ ପହଁଚି ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସହିତ ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଖୁବ୍‌ଶୀଘ୍ର ଅଞ୍ଚଳବାସୀଙ୍କ ମୁଖ୍ୟ ସମସ୍ୟା ଗମନାଗମନକୁ ତୁରନ୍ତ ସମାଧାନ କରାଯିବା ପାଇଁ ବିହୀତ ପଦକ୍ଷେପ ନିଆଯିବ ବୋଲିଉପସ୍ଥିତ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ଉପାନ୍ତ ଏକମାଣିଆ ପଞ୍ଚାୟତର ଶହ ଶହ ଲୋକ ମନ୍ତ୍ରୀଙ୍କୁ ଘେରାଉ କରି ତୁରନ୍ତ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଘଟଣା ସ୍ଥଳରେ ପହଁଚି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଏକମାଣିଆ ପଞ୍ଚାୟତ ବାସୀଙ୍କ ପାଇଁ ଉପହାସ ବୋଲି କହିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଦୁଃଖଦ ଘଟଣା କେବଳ ଆଳି ନୁହେଁ, ରାଜନଗର ବାସୀଙ୍କ ପାଇଁ ମଧ୍ୟ ଦୁଃଖଦ ଘଟଣା ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହି ଖବର ପାଇବା ପରେ ଘଟଣା ସ୍ଥଳରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅରୁଣ କୁମାର ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟାଁ, କେରେଡାଗଡ ସରପଞ୍ଚ ତାପସ କୁମାର ସାହୁ, ବାଲିସାହିପାଟଣା ସରପଂଚ କୈଳାସ ପରିଡା, ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ବହୁ ଉପସ୍ଥିତ ହୋଇ ସମବେଦନା ଜଣାଇଛନ୍ତି।  ରାତି ପାହିଲେ ଏହି ପଞ୍ଚାୟତବାସୀ ଆଳି ପରିବର୍ତେ ବିଶେଷକରି ରାଜନଗର ବ୍ଲକ ଉପରେ ନିର୍ଭର କରନ୍ତି।

Leave A Reply