Odisha news

ବିଜୁ ସେତୁ ଯୋଜନାରେ ଯୋଡ଼ି ହେବ କୁଚେଇପାଳରୁ ରାଇରଙ୍ଗପୁର ଜାମଦା ବ୍ଲକ ସମେତ ପଡୋଶୀ ଝାଡଖଣ୍ଡ ରାଜ୍ୟବାସୀ ହେବେ ଉପକୃତ 

0
ରାଇରଙ୍ଗପୁର: ଆଉ ବୁଲିବାକୁ ପଡିବ ନାହିଁ ଅଧିକା ବାଟ । ବର୍ଷା ହେଲେ ବି ବଜାର ଯିବାରେ ନଦୀ କରିବ ନାହିଁ ଆକଟ । ଏପରି କୁହାକୁହି ହେଲେଣି ଜାମଦା ବ୍ଲକ ହେଁସଡା ପଞ୍ଚାୟତର ଜନସାଧାରଣ । ଏହି ପଞ୍ଚାୟତର କୁଚେଇପାଳ ମଧ୍ୟ ଦେଇ ଯାଇଛି କାହ୍ନୁ ନଦୀ । ଏହା ମୁଖ୍ୟ ସହର ରାଇରଙ୍ଗପୁର ଠାରୁ ଅଞ୍ଚଳକୁ ଅଲଗା କରିଛି । ନଦୀରେ ପୋଲ ନଥିବାରୁ ଅଞ୍ଚଳବାସୀଙ୍କୁ ସହର ଯିବାକୁ ଅଧିକ ୧୦ କିମି ବୁଲିବାକୁ ପଡେ । ଏବେ ଏହାର ଅନ୍ତ ହେବାକୁ ଯାଉଛି । ଏଠାରେ ଏବେ ତିଆରି ହେବ ହାଇ ଲେଭଲ୍ ପୋଲ । ହେସଁଡା ପଞ୍ଚାୟତର ସରପଞ୍ଚ ବାଲେମଣୀ ମୁନ୍ଦୁୟା ନିଜ ପଞ୍ଚାୟତ ତଥା ଜାମଦା ବ୍ଲକର ବୃହତ୍ତର ସ୍ୱାର୍ଥ ପାଇଁ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏଠାରେ  ପୋଲ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଅଗଷ୍ଟ ୧୧ ତାରିଖରେ ରାଇରଙ୍ଗପୁରରେ ଆୟୋଜିତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏ ସମ୍ପର୍କରେ ଏକ ଦାବିପତ୍ର ଦେଇଥିଲେ । ଏଠାରେ ବିଜୁ ସେତୁ ଯୋଜନାରେ ହାଇ ଲେଭଲ୍ ବ୍ରିଜ୍ ସ୍ଥାପନ ହେଲେ ଏହା ଜାମଦା ବ୍ଲକ ସମେତ ପଡୋଶୀ ଝାଡଖଣ୍ଡର ଜନସାଧାରଣ ରାଇରଙ୍ଗପୁର ସହର‌ ସହ ସିଧାସଳଖ ଯୋଡ଼ି ହୋଇପାରିବେ ବୋଲି ଦର୍ଶାଇଥିଲେ । ତେବେ ଇତି ମଧ୍ୟରେ ଏଠାରେ ପୋଲ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଠାରେ ୧୬ କୋଟି ୭୯ ଲକ୍ଷ ୯୨ହଜାର ବ୍ୟୟରେ ଏକ ଉଚ୍ଚସ୍ତରୀୟ ପୋଲ ନିର୍ମାଣ ନିମନ୍ତେ ଅର୍ଥରାଶି ମଞ୍ଜୁର କରାଯାଇଛି । ଏ ସମ୍ପର୍କରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ମିଳିଥିବା ହେଁସଡା ସରପଞ୍ଚ ବାଲେମଣୀ ମୁନ୍ଦୁୟା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଏହା ରାଇରଙ୍ଗପୁର ସହରକୁ  ଦୂରତ୍ଵ କମେଇବା ସହ ଏହି ପ୍ରୟାସ ପାଇଁ ସରପଞ୍ଚ ଶ୍ରୀମତୀ ମୁନ୍ଦୁୟାଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଛୁଟିଛି ।
Leave A Reply