ପଦ୍ମଜl ପଟ୍ଟନାୟକ : ପୃଥିବୀ ଆନନ୍ଦରେ ବିଭୋର ହୋଇ ନାଚିଉଠେ କାହିଁକି ନା ଝିଅମାନେ ରଜପାଳିବେ ମା ସହିତ ଧରଣୀ ମା ରଜବତୀ ହୋଇ ମାତୃତ୍ଵ ଲାଭ କରିବ l ସମସ୍ତେ ଏକ ପ୍ରକାର ଆତ୍ମୋବିଭୋର ସୁଖ ଅନୁଭବ କରନ୍ତି l ପରଦେଶୀ ବାବୁମାନେ ପରିବାର ସହିତ ଘରକୁ ବାହୁଡ଼ି ଆସନ୍ତି l ଚାଷୀମାନେ ହଳଲଙ୍ଗଳ ଘରେ ରଖି ରଜପର୍ବ କୁ ଆନନ୍ଦରେ ପାଳନ କରିଥାନ୍ତି l ଓଡ଼ିଶାରେ କିଛି ପର୍ବ ଅଧିକାଂଶ ଜାଗାରେ ପାଳିତ ହୁଅନାହିଁ l କିନ୍ତୁ ରଜପର୍ବ ପୂର୍ବ ରୁ ନେଇ ପଶ୍ଚିମ ଓଡିଶା ,ଉତ୍ତରରୁ ନେଇ ଦକ୍ଷିଣ ଓଡିଶା କୋଣ ଅନୁକୋଣରେ ପାଳନ କରାଯାଏ l
ରଜପର୍ବ କୁ ତିନିଦିନ ଧରି ପାଳନ କରିଥାନ୍ତି l ଏହି ପାର୍ବଟୀ ମୁଖ୍ୟତଃ ଝିଅମାନଙ୍କ ପାଇଁ l କାରଣ ଧରଣୀ ରାଣୀ ଏହି ସମୟରେ ରଜବତୀ ହୋଇଥାନ୍ତି l ଓଡ଼ିଶାର ଲୋକକଥା ଅନୁସାରେ ଧରିତ୍ରୀଙ୍କୁ ଏହି ତିନିଦିନ ବିଶ୍ରାମ ଦିଆଯାଏ l ଚାଷର ସମସ୍ତ କାର୍ଯ୍ୟ ପରିତ୍ୟାଗ କରି ଚାଷୀମାନେ ଘର ଓ ପରିବାର ସହିତ ରଜପର୍ବ ପାଳିଥାନ୍ତି l ଝିଅମାନଙ୍କର ଏହି ତିଣିନିଦିନ ପର୍ଯ୍ୟନ୍ତ ଏକ ମଉଜର ସମୟ ,ସେମାନେ ଘରର କୌଣସି କାର୍ଯ୍ୟ କରନ୍ତି ନାହିଁ l ଘରେ ପିଠାପଣାର ସମ୍ଭାର ଦେଖା ଯାଇଥାଏ l ପନିକିରେ କଟାକଟି ଠାରୁ ଶିଳରେ ବଟାବାଟି ପଯ୍ୟନ୍ତ ସମସ୍ତ କାମ ପରିତ୍ୟାଗ କରାଯାଏ l ସମସ୍ତଙ୍କ ଘର ସୁଖ ଓ ଆନନ୍ଦର ସହିତ ଉଛୁଳି ଉଠେ l କିସମ କିସମର ପିଠାପଣା ସହିତ ପାଚିଲା ଆମ୍ବ ଓ ପାଚିଲା ପଣସର ଘର ପୁରିଉଠେ l
ରଜର ମୁଖ୍ୟ ଆକର୍ଷଣ ରଜଦୋଳି ,ରଜପାନ ଓ ପୋଡପିଠା l ଦୀର୍ଘ ତିନିଦିନର ପର୍ବଟି ଧୀରେ ଧୀରେ କିପରି ସରିଯାଏ ତାହା ଜଣାପଡେନି l ତାପରେ ଗୋଟିଏ ବିଧିବିଧାନ ଅନୁସାରେ ରଜପର୍ବ କୁ ବିଦାୟ ଦିଆଯାଏ l ଏହି ଦିନଟି ହେଉଛି ବସୁମତୀ ସ୍ନାନ ,ବସୁର ଅର୍ଥ ପୃଥିବୀ ଓ ସ୍ନାନର ଅର୍ଥ ଗାଧୋଇବା l ଏହାର ଅର୍ଥ ଆମେ ବସୁନ୍ଧରା ମାଙ୍କୁ ଯେପରି ରଜପର୍ବ ପାଳନ କରି ଆନନ୍ଦରେ ନିଜ ଘରକୁ ନିମନ୍ତ୍ରଣ କରିଥାନ୍ତି ସେହିପରି ଭାବରେ ବସୁମତୀ ସ୍ନାନ ଦ୍ୱାରା ବିଦାୟ ଦେଇଥାନ୍ତି l
ଏହି ବର୍ଷ ବସୁମତୀ ସ୍ନାନ ଜୁନମାସ ୧୭ ତାରିଖରେ ପଡିଛି l ମା ଲକ୍ଷ୍ମୀଙ୍କର ଗୋଟିଏ ରୂପ ହେଉଛନ୍ତି ବସୁଧା ମା l ଏହି ଦିନ ଝିଅମାନେ ସକାଳୁ ଗାଧୋଇ ଗୋବରରେ ମାଟିକୁ ଲିପନ୍ତି l ତା ଉପରେ ଚାଉଳରେ ବଟl ହୋଇଥିବା ପିଠୋଉରେ ଝୋଟି ଲେଖନ୍ତି ,ସେହି ଝୋଟିଉପରେ ଗୋଟିଏ ପିଢା ରଖି ତାଉପରେ ଶିଳପୁଆ ,ପନିକି ,କଟୁରୀ ,ଦା ,ଲୁହାଲଙ୍ଗଳ ଇତ୍ୟାଦି ରଖିଥାନ୍ତି l ସେଗୁଡିକୁ ହଳଦୀ ଲଗାଇ ପାଣିଢାଳି ଗାଧୋଇ ଦିଅନ୍ତି l ପାଖରେ ଗୋଟିଏ କଳସ ସ୍ଥାପନ କରନ୍ତି ,ଫୁଲ ,ଚନ୍ଦନ,ସିନ୍ଦୁର ,କଜଳ ଲଗାଇଦେଇ ସଜାଇ ଦିଅନ୍ତି l ଧୂପଦୀପ ଓ ନୈବେଦ୍ୟ ଅର୍ପଣ କରି ମୁଣ୍ଡିଆ ମରିଥାନ୍ତି l ଓଡ଼ିଶାର ସଂକୃତି ଅନୁସାରେ ଶିଳପୁଆ କୁ ମା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି l
ଆଜିକାଲି ଆମେ ଯେଉଁ ସବୁ ପର୍ବପର୍ବାଣି କୁ ପାଳନ କରୁଛୁ ତାହା ଆମ ପୂର୍ବପୁରୁଷଙ୍କ କଥା ମନେପକାଇ ଦେଉଛି l ସେମାନେ ସର୍ବଦା ପ୍ରକୃତିକୁ ସବୁଠୁ ମହାନ ଭାବି ପୂଜା କରୁଥିଲେ l ଆଜି ସେ ସମୟର ପ୍ରଥା ଏବେବି ଗାଁ ଗହଳିରେ ପାଳନ କରାଯାଉଛି l ଆମେ ଏହି ସବୁ ପ୍ରଥାକୁ ମାନି ସମସ୍ତ ପର୍ବପର୍ବାଣୀ କୁ ପାଳନ କରି ଆମର ପୂର୍ବପୁରୁଷଙ୍କୁ ସମ୍ମାନ ଦେଇଥାଉ l