Odisha news

କେଉଁଆଡେ ହଜି ଯାଇଛି ରଜ ପର୍ବର ସୁଗନ୍ଧ

0

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ , ରଜ ପର୍ବ ଆସିବା ମାତ୍ରକେ ପ୍ରତ୍ୟେକ ଓଡ଼ିଆ ଘରେ ଏହି ଧାଡି ଗୀତଟି ଶୁଣିବାକୁ ମିଳିଥାଏ l ଓଡିଶା ନିଜର ବିଶେଷ ସଂସ୍କୃତି ପାଇଁ ସାରା ବିଶ୍ୱରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରଖିଛି , ଯେଉଁଠି ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ l  ଜ୍ୟେଷ୍ଠ ମାସ ଆସିବା ମାତ୍ରକେ ଓଡ଼ିଶାରେ ରଜ ପର୍ବ ର ଆଗମନ ହୋଇଯାଇଥାଏ l ଏହି ପର୍ବ ୩ଦିନ ଧରି ପାଳିତ ହୋଇଥାଏ , ଏବଂ ବସୁଧା ମା ରୁତୁବତୀ ହୋଇଥିବା ଉଦେଶ୍ୟରେ ବିଶେଷ ଭାବରେ ରଜ ପର୍ବ ପାଳିତ ହୋଇଥାଏ l ଏହି ସମୟରେ ଚାଷୀ ଚାଷ କାର୍ଯ୍ୟରୁ ନିବୃତ ରହିଥାଏ, ବିଲରେ ହଳ ଲଙ୍ଗଳ ର ବ୍ୟବହାର ହୁଏନାହିଁ l ଏବଂ କୁମାରୀ କନ୍ୟାମାନେ ଭୂମି ଉପରେ ମଧ୍ୟ ଖାଲି ପାଦରେ ଚାଲନ୍ତି ନାହିଁ l ଏଭଳି ଅନେକ ନୀତି ନିୟମ କୁ ନେଇ ରଜ ପର୍ବ ପାଳିତ ହୋଇଥାଏ l

ଓଡ଼ିଶାର ଏହା ଗୋଟିଏ ମୁଖ୍ୟ ପର୍ବ, ଗ୍ରାମ ଠାରୁ ନେଇ ସହର ପର୍ଯ୍ୟନ୍ତ ହୋଇ ଯାଇଥାଏ ଲୋକାରଣ୍ୟ , ସତେକି ଲାଗେ ଯେପରି ଗୋଟିଏ ବଡ଼ ଉତ୍ସବ ପାଳିତ ହେଉଛି l ଘରେ ଘରେ ପିଠା ପଣାର  ସୁଅ ଛୁଟିଥାଏ, ରଜର ବିଶେଷ ଆକର୍ଷଣ ହେଉଛି ପୋଡ଼ ପିଠା, ରଜପାନ, ଓ ଦୋଳି ଖେଳ l ଗାଁ ଗହଳି ରେ ଝିଅ ମାନଙ୍କ ମଧ୍ୟରେ ପୁଚି ଖେଳ, ନାଚ ଗୀତ ର ବିଭିନ୍ନ ପ୍ରତିଯୋଗିତା ହୋଇଥାଏ l ଯାହା ଓଡ଼ିଶାର ସଂସ୍କୃତିକୁ ଉଜ୍ଜୀବିତ କରିଥାଏ l ପାଚିଲା ଆମ୍ବ ଓ ପାଚିଲା ପଣସ ର ସୁଗନ୍ଧରେ ମହକି ଉଠିଥାଏ ଗାଁ ଗହଳୀ l

କିନ୍ତୁ ଆଜି ସେହି ରଜର ସୁଗନ୍ଧ କେଉଁଆଡେ ଲୁଚି ଯାଇଛି କହିଲେ ଚଳେ, ବ୍ୟସ୍ତବହୁଳ ଜୀବନରେ ଲୋକେ ବର୍ତମାନ ନିଜକୁ କୋଳାହଳ ଠାରୁ ଦୁରେଇ ରଖିବାକୁ ପସନ୍ଦ କରୁଛନ୍ତି l ଗାଁ ଗୁଡିକ ରେ ମଧ୍ୟ ଆଗ  ଭଳି କୋଳାହଳ ଦେଖିବାକୁ ମିଳୁନାହିଁ l କାହିଁକି ନା ବର୍ତମାନ ଗାଁ ଭାଇମାନେ ସମସ୍ତେ ସହର ମୁହାଁ ହୋଇ ଯାଇଛନ୍ତି l ଯିଏ ଥରେ ସହରକୁ ଯାଉଛି ସେଠାକାର ସଂସ୍କୃତି ରେ ନିଜକୁ ଢାଳି ନେଉଛି ଏବଂ ଆଉ ଗାଁ ର ପାଣି ପବନ ତାର ମନେ ପଡୁନାହିଁ l ଲାଗୁଚି ସତରେ ଯେମିତି ଆଧୁନିକତାର କୋଳରେ କେଉଁଆଡେ ହଜି ଯାଇଛି ରଜ ପର୍ବ , ସତରେ କଣ ଆଉ ଫେରିବ ନାହିଁ ଗାଁ ଗହଳୀ ର ସେହି ପୁରୁଣା କୋଳାହଳ ?

Nalco
Leave A Reply