ଭୁବନେଶ୍ବର : ରାଜ୍ୟରେ ଗରମ ବଢ଼ିବ ନାହିଁ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। କିନ୍ତୁ ଆଜିଠାରୁ କାଳବୈଶାଖୀ ବର୍ଷା ଆରମ୍ଭ ହେବା ସହ ପରେ ପ୍ରାକ୍ ମୌସୁମୀ ବର୍ଷା ହେବାକୁ ଯାଉଛି। ଏଣୁ ରାଜ୍ୟରେ ଗରମ ବଢ଼ିବାର ସମ୍ଭାବନା ନାହିଁ। ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଆସନ୍ତା ୩/୪ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ବଢ଼ିବନି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ରହିବ। ପରେ ଧୀରେଧୀରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଲାଗି ରହିବ। ଏହି ସମୟରେ ପବନର ବେଗ ମଧ୍ୟ ୩୦ରୁ ୪୦କିମି ରହିବ। ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
୩୧ ସୁଦ୍ଧା ଉତ୍ତର ଓଡ଼ିଶାରେ ତାପମାତ୍ରା କମିଲେ ମଧ୍ୟ ୪୧ ଡିଗ୍ରିରୁ ଅଧିକ ରହିବ ଏବଂ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୩୧ ତାରିଖ ପରେ ୪୦ ଡିଗ୍ରି ତଳକୁ ପାରଦ ଖସିବାର ସମ୍ଭାବନା ରହିଛି। ପୂର୍ବ ଆକଳନ ଅନୁଯାୟୀ, ଗତକାଲିଠାରୁ ଦକ୍ଷିଣ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଆଡ଼କୁ ଗତି କରି ୩୦ ତାରିଖରେ ଅଧିକ ହୋଇ ଲଘୁଚାପ ଓ ତା’ରେ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ତେବେ ଏହା ୨ ତାରିଖରେ ୟେମେନ୍ କିମ୍ବା ଓମାନ୍ରେ ପହଞ୍ଚିବ। ୩୧ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ କେରଳ ଉପକୂଳରୁ ଦୂରରେ ଆରବ ସାଗରରେ ସୃଷ୍ଟି ହେବ। ଏହା ଉତ୍ତର ଆଡ଼କୁ କ୍ରମଶଃ ଘନୀଭୂତ ହୋଇ ୫ତାରିଖରେ ମୁମ୍ବାଇରୁ ଦୂରରେ ଓ ୬ ତାରିଖରେ ଗୁଜରାଟ ଉପକୂଳରୁ ଦୂରରେ ରହିବ। ଆକଳନ କରଯାଉଛି ଯେ ବର୍ଷା ଉପକୂଳରେ ସୀମିତ ରହିବ। ତେବେ ମଧ୍ୟପ୍ରଦେଶ ସହିତ ଉତ୍ତର ଭାରତରେ ଏବେ ସ୍ବାଭାବିକ ତାପମାତ୍ରା କମିବ।
ଏହି ଦୁଇଟି ସିଷ୍ଟମ ଦ୍ବାରା କେରଳରେ ବର୍ଷା ହେଲେ ସୁଧା ଏହା ସ୍ବାଭାବିକଠାରୁ କମ୍ ରହିବ। ଦ୍ବିତୀୟ ସିଷ୍ଟମ୍ ଦ୍ବାରା ଓଡ଼ିଶାର ଅନେକ ସ୍ଥାନରେ ୫/୬ରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ଦକ୍ଷିଣ ମିଆଁମାର ଉପକୂଳ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ଘନୀଭୂତ ହୋଇ ଲଘୁଚାପ ଓ ପରେ ଅବପାତ ହୋଇ ମାଆଁମାରକୁ ଗତି କରିବ। ଏହା ଦ୍ବାରା ଜୁନ୍ ୮ରୁ ୧୧ ତାରିଖ ମଧ୍ୟରେ ସାରା ଓଡ଼ିଶାରେ ମଧ୍ୟମରୁ ଭୀଷଣ ବର୍ଷା ହେବ। ଏହାକୁ ପ୍ରାକ୍ ମୌସୁମୀ ବର୍ଷା କୁହାଯିବ। ଏହି ବର୍ଷାର ଉପଯୋଗ କରିବାକୁ ହେଲେ, ଚାଷୀମାନେ ଖାଲୁଆ ଜମିରେ ଧାନକୁ ସିଧା ବୁଣା ଓ ମଧ୍ୟମ କିସମ ଜମିରେ ତଳି ପକାଇ ପାରିବେ।
ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ରର ଆକଳନ କହୁଛି, ଶୁକ୍ରବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ଧୀରେଧୀରେ ହ୍ରାସ ପାଇବ। ଶୁକ୍ର ଓ ଶନିବାର ଦିନ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକା ରହିବ। ଏହା ପରେ ସୋମବାରଠାରୁ ତାପମାତ୍ରା ୩୫ରୁ ୩୭ ଡିଗ୍ରି ମଧ୍ୟକୁ ଖସି ଆସିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି।
ଅନ୍ୟପଟେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ମେ’ ୩୧ରୁ ଜୁନ୍ ୫ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।