Odisha news

ବର୍ଷାରେ ବେହାଲ ରାଜଧାନୀ ବାସି : ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା

ଭୁବନେଶ୍ବର: ଗତକାଲି ସକାଳ ୮.୩୦ ରୁ ଆଜି ପାହାନ୍ତା ୪.୩୦ ମଧ୍ୟରେ ୧୮୪.୦ ମିଲିଲିଟର୍‌ ବର୍ଷା ହେବାରୁ ଭୁବନେଶ୍ବର ତା’ର ସର୍ବକାଳୀନ ସେପ୍ଟେମ୍ବର ବର୍ଷା ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡ ସୃଷ୍ଟି କରିଥିବା କଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନାରୁ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି।

୧୯୫୮ ମସିହା ସେପ୍ଟେମ୍ବର ୯ ତାରିଖରେ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୬୩.୦ ମିଲିମିଟର୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ତା’ପରେ ରାଜ୍ୟ ରାଜଧାନୀରେ ଦିନକରେ ଏତେ ପରିମାଣର ବୃଷ୍ଟିପାତ ହୋଇଥିବାର ରେକର୍ଡ ନାହିଁ।

ଉଲ୍ଲେଖଯୋଗ୍ୟ, ରବିବାର ସକାଳୁ ରାତି ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନର୍ଗଳ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥ ପାର୍ଶ୍ବବର୍ତ୍ତୀ ଉଠା ଦୋକାନ ଠାରୁ ଆରମ୍ଭ କରି ନାମୀଦାମୀ ସୋ’ରୁମ୍‌ଗୁଡ଼କ ମଧ୍ୟ ବର୍ଷାପାଣି ଘେରରେ ରହିଛି। ବର୍ଷା ପାଣି ସ୍ରୋତରେ ବାଇକ୍‌ ଓ କାର୍‌ ଭଳି ଯାନ ସବୁ କାଗଜଡଙ୍ଗା ଭାସିବା ଭଳି ଭାସୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ।

ପାଣିପାଗ ବିଭାଗ କହିବା ଅନୁସାରେ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳକୁ ଆଚ୍ଛାଦିତ କରିଥିବା ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୫ କିଲୋମିଟର୍ ବେଗ ପବନ ସହ ଗତିକରି ସେପ୍ଟେମ୍ବର ୧୨ ତାରିଖ ରାତି ୧୧.୩୦ ସୁଦ୍ଧା ଚାନ୍ଦବାଲିର ଦକ୍ଷିଣପୂର୍ବକୁ ୬୦ କିଲୋମିଟର୍‌ ଏବଂ ପାରାଦୀପର ଉତ୍ତର-ଉତ୍ତରପୂର୍ବକୁ ୪୦ କିଲୋମିଟର ଅଞ୍ଚଳ ମଧ୍ୟରେ କେନ୍ଦ୍ରୀଭୂତ ହୋଇ ରହିଥିଲା।

ଆଜି ସକାଳ ସୁଦ୍ଧା ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇ ଚାନ୍ଦବାଲିର ଦକ୍ଷିଣ ପାର୍ଶ୍ବ ନିକଟ ଦେଇ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପ ଆହୁରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାତ୍ରା ଜାରି ରଖି ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅତିକ୍ରମ କରିବ।

ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ବତାସ ଲାଗି ରହିଛି।

Nalco

Comments are closed.